ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ତରଫରୁ ଦୁଇଦିନିଆ ମହିଳା ଓ ଶିଶୁ ଅଧିକାର ଜାତୀୟ ସମାବେଶ ଉଦ୍ଯାପିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ତରଫରୁ ଦୁଇଦିନିଆ ମହିଳା ଓ ଶିଶୁ ଅଧିକାର ଜାତୀୟ ସମାବେଶ ଉଦ୍ଯାପିତ ହୋଇଯାଇଛି । ୨୭ ତାରିଖରେ ଜୟଦେବ ଭବନଠାରେ ଅନୁଷ୍ଠିତ ପ୍ରଥମ ଦିବସରେ ପୂର୍ବତନ ମନ୍ତ୍ରୀ ଏବଂ ମାନ୍ୟବର ସାସଂଦ ପ୍ରଶାନ୍ତ ନନ୍ଦ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଜୁଏଲ ଓରାମ ଯୋଗଦାନ କରିବା ସହିତ ସମ୍ମାନିତ ଅତିଥି ଭାବେ ଭଣ୍ଡାରୀ ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟ ମହିଳା କମିଶନର ଡଃ ମିନତୀ ବେହେରା, ଉତ୍କଳ ପ୍ରସଙ୍ଗ ତଥା ଓଡ଼ିଶା ରିଭ୍ୟୁର ସମ୍ପାଦିକା କସ୍ତୁରୀ ମହାପାତ୍ର, ପୂର୍ବତନ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣୀ, ଇନ୍ଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ସାଇନ୍ସ, ହିନ୍ଦୁ ୟୁନିଭରସିିଟି ବନାରସର ନିର୍ଦ୍ଦେଶକ ଡଃ ତ୍ରିଭୂବନ ମହାପାତ୍ର, ଡ଼େଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ ପ୍ରମୁଖ ଯୋଗଦେଇ ମହିଳାଙ୍କ ଉପରେ ନିର୍ଯ୍ୟାତନା, ମହିଳାମାନଙ୍କ ରାଜନୈତିକ ଅଧିକାର ଉପରେ ଆଲୋକପାତ କରିଥିଲେ । ମାତୃଶକ୍ତି ବଞ୍ôଚଲେ ଦେଶ ବଞ୍ôଚବ । ଦେଶରେ ଅନ୍ୟାୟ, ଅନୀତି, ଆତ୍ୟାଚାର ଓ ଦୁର୍ନୀତିକୁ ଦମନ କରିବାରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ନିରୂପମା ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଃ ସୁରେନ୍ଦ୍ର ମୋହନ ମିଶ୍ର ଏବଂ ସୁପ୍ରିମକୋର୍ଟର ଆଇନଜୀବୀ ଡଃ ଜନ୍ମେଜୟ ରାୟ, ଅଲ ଇଣ୍ଡିଆ ସ୍ପିରିଚୁଆଲ କମିଟିର ନିର୍ଦ୍ଦେଶିକା ମାତାଜୀ ପ୍ରଭାକିରଣ, ଆଇନଜୀବୀ ସ୍ନିଗ୍ଧା ପାଣିଗ୍ରାହୀ, ସୋନାଲି ସାହୁ ପ୍ରମୁଖ ଯୋଗ ଦେଇ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାମାନଙ୍କର ସ୍ଥିତି ଏବଂ ରାଜନୈତିକ ଅଧିକାର ଉପରେ ଆଲୋକପାତ କରିଥିଲେ । ବିଶେଷ ଭାବରେ ଆମ ଦେଶ ଓ ରାଜ୍ୟରେ ମହିଳାମାନଙ୍କ ସ୍ଥିତି ଉପଯୁକ୍ତ ସ୍ତରର ନୁହେଁ । ସେମାନଙ୍କର ଅବହେଳା, ପ୍ରବଞ୍ଚନା, ପୀଡ଼ନର ସମ୍ବାଦ ବହୁ ସମୟରେ ଆସୁଛି । ଶାସନ ପ୍ରଶାସନ ତଥା ନାଗରିକ ସମାଜ ଏ ଦିଗରେ ଅଧିକ ସମ୍ବେଦନଶୀଳ ଓ କ୍ର୍ରିୟାଶୀଳ ହେବାର ଆବଶ୍ୟକତା ଆମେ ସମସ୍ତେ ଅନୁଭବ କରୁଥାଏଁ । ଅନ୍ୟପକ୍ଷରେ ମହିଳାମାନେ ଜାତୀୟସ୍ତରରେ ଅଧିକ ସଂଗଠିତ ହୋଇ ସମୂହଶକ୍ତି, ଦାବୀ ଉପସ୍ଥାପନ, ନୀତିଗତ ଓକିଲାତି ଓ କାର୍ଯ୍ୟ କୌଶଳଗତ ମୂଲଚାଲ ଜରିଆରେ ହକ୍ ହାସଲର ଉଦ୍ୟମ କରିବା ମଧ୍ୟ ଦରକାର । ଏହା ପୁଣି ନିରନ୍ତର ଭାବେ ହେବା ଆବଶ୍ୟକ ।
ଦ୍ୱିତୀୟ ଦିବସ ୨୮ ତାରିଖ ଶନିବାର ଦିନ ଉଦ୍ଯାପନୀ ସମାବେଶ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ଥିବା ମାତା ବୈଷ୍ଣୋଦେବୀ ମନ୍ଦିର ପରିସରରେ ଶତାଧିକ ମହିଳା ଯୋଗଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀରୁ ଆସିଥିବା ମାତାଜୀ ପ୍ରଭାକିରଣ ଯୋଗଦେଇ ମହିଳାମାନଙ୍କ ସମସ୍ୟା ଓ ସମାଧାନ ସମ୍ପର୍କରେ ଆଲୋକପାତ କରିବା ସହିତ ମହିଳାମାନେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପୁରୁଷ ସହ ସମକକ୍ଷ ହୋଇପାରିବେ, ସେ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏଥିସହିତ ମହିଳାମାନେ ଅସାଧ୍ୟ କାର୍ଯ୍ୟକୁ ସହଜରେ ନିୟନ୍ତ୍ରଣ କରିପାରିବେ ଏବଂ ଦେଶର ଆର୍ଥିକ ସ୍ଥିତିକୁ ସୁଦୃଢ କରିବାରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରିଥିଲେ । ପ୍ରତ୍ୟେକ ମହିଳା ଶିକ୍ଷିତ ହୁଅନ୍ତୁ ଏବଂ ଅନ୍ୟାୟ, ଦୁର୍ନୀତୀ ଏବଂ ସର୍ବୋପରି ସମାଜରେ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା, ମହିଳାମାନଙ୍କ ଉପରେ ହେଉଥିବା ଶାରୀରିକ ମାନସିକ ନିର୍ଯ୍ୟାତନାକୁ ଦୃଢ ଭାବରେ ମୁକାବିଲା କଲେ ଦୁର୍ନୀତି ଓ ଅତ୍ୟାଚାର ଆପେ ଆପେ ଲୋପ ପାଇବ ବୋଲି ପରାମର୍ଶ ଦେଇଥିଲେ । ଅପରାହ୍ନରେ ପ୍ରସାଦ ସେବନ ପରେ ସଭା କାର୍ଯ୍ୟ ଶେଷ ହୋଇଥିଲା । ଦ୍ୱିତୀୟ ଦିବସ ସମାବେଶକୁ ଷ୍ଟେଟ ପ୍ରୋଗ୍ରେସିଭ ୱିମେନ୍ସ ଫୋରମ ଅଧ୍ୟକ୍ଷା ମମତା ସାମନ୍ତରାୟ ପରିଚାଳନା କରିଥିଲେ ।


