କବିତା ସଙ୍କଳନ ‘ପିନ୍ଧିବା ଦିନେ ପାଟ’ ଉନ୍ମୋଚନ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ବଜାର ଶ୍ରୀରାମ ମନ୍ଦିର ପରିସରରେ ପ୍ରଧାନଶିକ୍ଷକ ପୁରୁଷୋତ୍ତମ ଧଳଙ୍କ ଶିଶୁ କବିତା ‘ପିନ୍ଧିବା ଦିନେ ପାଟ’ ଉନ୍ମୋଚିତ ହୋଇଯାଇଛି। କବି ଅଲେଖ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଶାସନିକ ଅଧିକାରୀ ଡ଼. ଦୁଃଶାସନ ଓଝା ଯୋଗଦେଇ କବିତା ସଂକଳନକୁ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ପ୍ରଫୁଲ୍ଲ ସାହୁ, ନିରଞ୍ଜନ ଓଝା, ସ୍ତମ୍ଭକାର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ସାହୁ, ଅକ୍ଷୟ କୁମାର ମହାନ୍ତି, ରବିନ୍ଦ୍ର କୁମାର ମହାରଣା, ସାମାଜିକ କର୍ମୀ ନାରାୟଣ ପୋଥାଳ ପ୍ରମୁଖ ଯୋଗଦେଇ ସାହିତ୍ୟ କଳାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। କବି ଭାସ୍କର ଚନ୍ଦ୍ର ଦାସ ପୁସ୍ତକଟିର ସମୀକ୍ଷା କରିଥିବା ବେଳେ ଘନଶ୍ୟାମ ସ୍ୱାଇଁ ଅତିଥି ପରିଚୟ ଓ କବିତା ସଂକଳନର ସ୍ରଷ୍ଟା ଶ୍ରୀ ଧଳ ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ଶିକ୍ଷକ ମାୟାଧର ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


