କବି ଜନାର୍ଦ୍ଧନ ପରିଡାଙ୍କ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ବିଶିଷ୍ଟ ସମାଜସେବୀ କୋର ପଞ୍ଚାୟତର ପ୍ରାକ୍ତନ ସରପଞ୍ଚ ଓ ସମିତି ସଭ୍ୟ ତଥା ସତୀର୍ଥର ସଭାପତି ଜନାର୍ଦ୍ଧନ ପରିଡାଙ୍କ ଗତ ଅଗଷ୍ଟ ୨୩ତାରିଖରେ ହୃଦ୍ଘାତରେ ଦେହାନ୍ତ ହୋଇଥିବାରୁ ତାଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଜନ୍ମସ୍ଥାନ ଗଇଦୁଆରେ ଦ୍ୱଦଶାହତିଥି ଅବସରରେ ଅନୁଷ୍ଠିତ ହୋଇଯାଇଛି । କୋରପଞ୍ଚାୟତ ହାଇସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା ମୁଖ୍ୟ ଅତିଥିଭାବରେ ଯୋଗଦେଇ କହିଲେ ରାଜନୀତିଜ୍ଞ ସ୍ୱର୍ଗତ ଜନାର୍ଦ୍ଧନ ପରିଡାଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲାପାଇଁ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ମୁଖ୍ୟବକ୍ତାଭାବେ ତୁଳସୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଜୟ କୁମାର ସାମଲ କହିଥିଲେ ଯେ ସୂର୍ଗତ ପରିଡା ସରପଞ୍ଚ ଏବଂ ସମିତି ସଭ୍ୟ ଥିଲେ ମଧ୍ୟ ସାମାନ୍ୟ ଘରଖଣ୍ଡେ କରିପାରିଲେ ନାହିଁ,ଏହାତାଙ୍କ ସଚ୍ଚୋଟ ପଣିଆର ଶ୍ରେଷ୍ଠ ନିଦର୍ଶନ । ଏହି ଅବସରରେ ସତୀର୍ଥର ସମ୍ପାଦକ ମନ୍ମଥ ବରାଳଙ୍କ ସମ୍ପାଦିତ ଏକ ସ୍ମରଣୀକା “ସ୍ମୃତିରେ ଜନାର୍ଦ୍ଦନ”କୁ ମୁଖ୍ୟ ଅତିଥି ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆମ ଗାଁ ସାହିତ୍ୟ ପରିଷଦର କବିତା ମୁଦୁଲି, ସଂଜୟ ମଲ୍ଲିକ, ସ୍ୱପ୍ନାଶୁ କୁମାର ଦାସ, ଅଶୋକ ସାହୁ, ଶୁଭାଂଶୁ କୁମାର ଦାସ, ରାମକୃଷ୍ଣ ଦାସ,କାର୍ତ୍ତିକ ଚରଣ ନାୟକ, ମେଜର ଭତର ଚନ୍ଦ୍ର ଜେନା,ଗୋଲକ ସେଠୀ ପ୍ରଭୃତି ଯୋଗଦାନ କରି ବକ୍ତବ୍ୟ ଉପସ୍ଥାପନା କରିବା ସଙ୍ଗେ ସଙ୍ଗେ ତାଙ୍କ ଜୀବନ ସଂଗ୍ରାମ ଓ ସାହିତ୍ୟ କୃତି ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରଥମେ ସୂର୍ଗତ ପରିଡାଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଆଗାମୀ ଦିନରେ କୋରପଞ୍ଚାୟତରେ ତାଙ୍କର ଏକ ଆବକ୍ଷ ପ୍ରତିମୃର୍ତ୍ତି,ସତୀର୍ଥ ତରଫରୁ ତାଙ୍କ ସମସ୍ତ କବିତାକୁ ନେଇ ଏକ ସଂକଳନ ପ୍ରକାଶ କରିବା ,କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ନୂତନ ଗୃହରେ ତାଙ୍କର ଏକ ତୈଳଚିତ୍ର ଓ ପତ୍ରିକା ଦିଗବଳୟରେ ଏକ ପୃଷ୍ଠା ଉତ୍ସର୍ଗ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ।