ସହୀଦ ଦିବସକୁ ସାମ୍ରାଜ୍ୟବାଦ ବିରୋଧି ଦିବସ ରୂପେ ପାଳନ
କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):ଦେଶର ସ୍ୱାଧୀନତା ପାଇଁ ସାମ୍ରାଜ୍ୟବାଦ ବିରୋଧି ଲଢେଇରେ ସର୍ବୋତ୍ତମ ବଳିଦାନ ଦେଇ ଫାଶୀ ମଞ୍ଚକୁ ଆଦରି ନେଇଥିବା ଦେଶର ସର୍ବଶ୍ରେଷ୍ଠ ବିପ୍ଳବୀ ସହୀଦ -ଇ-ଆଜମ ଭଗତ ସିଂହଙ୍କ ୯୬ତମ ବଳିଦାନ ଦିବସକୁ “ସାମ୍ରାଜ୍ୟବାଦ ବିରୋଧି ଦିବସ” ରୂପେ ପାଳନ କରିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆହ୍ୱାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗୋପ ସ୍ଥିତ ନିର୍ମାଲ୍ୟ ପ୍ୟାଲେସ ପରିସରରେ ବୁଦ୍ଧିଜୀବୀମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଚରଣ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ପ୍ରଗତିଶୀଳ ସାହିତ୍ୟିକ ଡ. ବାସୁଦେବ ଦାସ, ଅଧ୍ୟାପକ ଅଜୟ ସାମଲ, ଡ. ଦିଲ୍ଲୀପ ମିଶ୍ର, ବିଶିଷ୍ଟ ପ୍ରଗତିଶୀଳ କବି ନିରାକାର ଦାସ, ଗାଳ୍ପିକା ଅବନ୍ତୀ ବେହେରା, କର୍ମଚାରୀ ନେତା ବୈଷ୍ଣବ ସ୍ୱାଇଁ, ରଣଧୀର ଜେନା, ଶୈଳବାଳା ସାମଲ, ଧୀରେନ ବେହେରା, ଅମୀୟ ନାୟକ, ନିରୋଦ ରଞ୍ଜନ ଜେନା ପ୍ରମୁଖ ସହୀଦ ଭଗତ ସିଂହ, ରାଜଗୁରୁ ଓ ସୁଖରାମଙ୍କ ବଳିଦାନକୁ ସ୍ମରଣ କରିଥିଲେ। ଏଥିସହିତ ଉକ୍ତ ଯୁଦ୍ଧକୁ ଏକ ସାମ୍ରାଜ୍ୟବାଦୀ ଯୁଦ୍ଧ ରୂପେ ଅଭିହିତ କରି ଯୁକ୍ତରାଷ୍ଟ୍ର ଆମେରିକାର ନବ-ସାମ୍ରାଜ୍ୟବାଦୀ ଟ୍ରମ୍ପ ପ୍ରଶାସନର ଅହଂକାରୀ ନେତାନ୍ୟାହୁଙ୍କ ସମର୍ଥନରେ ମଧ୍ୟପ୍ରାଚ୍ୟରେ ଲଦି ଦେଇଥିବା ମହାପ୍ରଳୟଙ୍କାରୀ ଯୁଦ୍ଧକୁ ଶୀଘ୍ର ସମାପ୍ତ କରିବା ପାଇଁ ଆହ୍ୱାନ ଦେଇଥିଲେ। ଆଦିକନ୍ଦ ରାଉଳ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ ଓ ଅମରେନ୍ଦ୍ର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସୀତାକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


