କବି ବ୍ରଜନାଥ ରଥଙ୍କ ୮୭ତମ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା) : କବି ବ୍ରଜନାଥ ରଥ ଫାଉଣ୍ଡେସନ’ ପକ୍ଷରୁ ସ୍ୱର୍ଗତ କବି ଡ. ବ୍ରଜନାଥ ରଥଙ୍କ ୮୭ତମ ଜୟନ୍ତୀ ଓ ତାଙ୍କ ଦ୍ୱାରା ସ୍ଥାପିତ ‘ବିଶ୍ୱତାରା ଓଡ଼ିଆ ଗବେଷଣା ଗ୍ରନ୍ଥାଗାର’ର ୧୫ଶ ପ୍ରତିଷ୍ଠା ଉତ୍ସବ ସୁନହଟଠାରେ ଅନୁଷ୍ଠିତ ହୋଇଯାଇଛି । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ କବି ଡ. ରଥଙ୍କ କାବ୍ୟକୃତିର ବୈଶିଷ୍ଟ୍ୟ ଓ ଓଡ଼ିଆ ଭାଷା ସାହିତ୍ୟ ସମୃଦ୍ଧିରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ବ୍ୟାସକବିଙ୍କ ମାଟିରେ ଜନ୍ମ ହୋଇ ସ୍ୱର୍ଗତ କବି ଡ ରଥ କେବଳ ବାଲେଶ୍ୱର ନୁହେଁ ବରଂ ସମଗ୍ର ଓଡ଼ିଶାର ଗୌରବ ହୋଇ ପାରିଛନ୍ତି ବୋଲି ଡକ୍ଟର ତ୍ରିପାଠୀ ପ୍ରକାଶ କରିଥିଲେ । ତେବେ ଉତ୍ତର ପିଢ଼ିଙ୍କ ମଧ୍ୟରେ ଭାଷା ସାହିତ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବ୍ୟାସକବି ସାହିତ୍ୟ ଘର ପ୍ରତିଷ୍ଠା ହୋଇଥିବା ସେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ଭଳି ଏହା ମଧ୍ୟ ଡ ରଥଙ୍କ ଇଚ୍ଛା ଥିଲା ବୋଲି ଡ. ତ୍ରିପାଠୀ କହିଥିଲେ । ବିଶିଷ୍ଟ ସ୍ତମ୍ଭକାର ଅଧ୍ୟାପକ ବିଶ୍ୱରଞ୍ଜନ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଡ. ରଥଙ୍କ ସାହିତ୍ୟାକୃତି ତଥା ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ସାହିତ୍ୟ କ୍ଷେତ୍ରରେ ବେଶ ପାରଦର୍ଶିତା ଲାଭ ସହ ଡ. ରଥ ସମସ୍ତଙ୍କ ପାଇଁ ଆଦର୍ଶ ହୋଇପାରିଛନ୍ତି ବୋଲି ସେ କହିଥିଲେ । କେନ୍ଦ୍ର ସାହିତ୍ୟ ଏକାଡେମୀର ସଦସ୍ୟ ଡ. ବିଜୟାନନ୍ଦ ସିଂ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡ. ରଥ ଓଡ଼ିଆ ସାହିତ୍ୟ ଜଗତର ଉତ୍ତର କବାଟ ବୋଲି କହିଥିଲେ । ଫକୀର ମୋହନଙ୍କ ମାଟିରେ ମନୋଜ ଦାସ ଓ ଡ. ରଥ ଜନ୍ମ ନେଇ ଓଡ଼ିଆ ଭାଷା ସାହିତ୍ୟ ସମୃଦ୍ଧିରେ ଇତିହାସ ସୃଷ୍ଟି କରିଛନ୍ତି ବୋଲି ଡ. ସିଂ ମତ ପ୍ରକାଶ କରିଥିଲେ । ଆଦିବାସୀ ଲୋକ ସାହିତ୍ୟ ଓ ପ୍ରଗତିଶୀଳ ସାହିତ୍ୟର ଅନ୍ୟତମ ସାଧକ ବିଜୟ ଉପାଧ୍ୟାୟ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ‘କବି ବ୍ରଜନାଥ ରଥ ଫାଉଣ୍ଡେସନ’ର କର୍ମକର୍ତ୍ତା କବି କାଳୀପଦ ପଣ୍ଡା ସ୍ୱାଗତ ଅଭିଭାଷଣ ଓ ପ୍ରାକ ସୂଚନା ଦେଇଥିବା ବେଳେ କବି କାଳୀକିଙ୍କର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅଧ୍ୟାପକ ବିଶ୍ୱରଞ୍ଜନଙ୍କୁ ବ୍ରଜନାଥ ରଥ ସାରସ୍ୱତ ସମ୍ମାନ-୨୦୨୨, ବିଜୟାନନ୍ଦ ସିଂଙ୍କୁ ବ୍ରଜନାଥ ରଥ ସ୍ମୃତି ସମ୍ମାନ-୨୦୨୨ ଓ ଅଧ୍ୟାପକ ଡ. ବିଜୟ କୁମାର ମହାନ୍ତିଙ୍କୁ ବ୍ରଜନାଥ ର୍ ସମ୍ବର୍ଦ୍ଧନା-୨୦୨୨ ପ୍ରଦାନ କରାଯାଇଥିଲା । ଉଭୟ ପ୍ରତିଭାଙ୍କୁ ପ୍ରଶସ୍ତି ଫଳକ, ଅଙ୍ଗବସ୍ତ୍ର ଓ ନଗଦ ରାଶି ପ୍ରଦାନ କରାଯାଇଥିଲା । ଏଥି ସହିତ କାଳୀକିଙ୍କର ଦାସଙ୍କ ଗଳ୍ପ ସଙ୍କଳନ ‘ପ୍ରେମିକା ଓ ପ୍ରିୟତମା’, ଶରତ ଚନ୍ଦ୍ର ମିଶ୍ରଙ୍କ ଆତ୍ମଜୀବନୀ ‘ଅପରାହ୍ଣର ମୁହଁ’, ସିନ୍ଧୁ ସେନଙ୍କ ପୌରାଣିକ ଉପନ୍ୟାସ ‘ଦୂରନ୍ତ ଶିଖା’ ଓ ଡ. ବିଜୟ କୁମାର ମହାନ୍ତିଙ୍କ ଦ୍ୱାରା ଅନୁଦିତ କବି ବ୍ରଜନାଥ ରଥଙ୍କ କବିତାର ହିନ୍ଦୀ ସଂକଳନ ପୁସ୍ତକକୁ ଅତିଥିମାନେ ଲୋକାର୍ପଣ କରିଥିଲେ । ସ୍ୱର୍ଗତ କବିଙ୍କ କନିଷ୍ଠ ପୁତ୍ର ବ୍ରହ୍ମନାଥ ରଥ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବ୍ୟୋମନାଥ ରଥ, ବିଧୁନାଥ ରଥ, ଡା. ମୃତ୍ୟୁଞ୍ଜୟ ମିଶ୍ର, ପରମାନନ୍ଦ ପଣ୍ଡା, ରାଧାନାଥ ରଥ, ଓଜ୍ଜ୍ୱସିନୀ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ କବି ବ୍ରଜନାଥ ରଙ୍କ ନିର୍ବାଚିତ କବିତାକୁ ଉପସ୍ଥିତ କବି କବୟିତ୍ରୀମାନେ ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ