କମିଲା ମଦ ବିକ୍ରି, କରୋନା ଫି’କମାଇବାକୁ ସଂଘର ଦାବି
ଭୁବନେଶ୍ୱର: ଦୀର୍ଘଦିନର ତାଲା ପରେ ରାଜ୍ୟ ସରକାର ମଦବିକି୍ରକୁ ଅନୁମତି ଦେଲେ । ମଦ ଉପରେ ଲାଗିଲା ୫୦% ସ୍ୱତନ୍ତ୍ର କରୋନା ଫି । କେବଳ ଅନଲାଇନରେ ମଦ ବିକ୍ରି ପାଇଁ ମଧ୍ୟ ରହିଲା ସର୍ତ୍ତ । ଏ ସର୍ତ୍ତରେ ମଦଦୋକାନ ଖୋଲିଲା । ମାତ୍ର ମେ ମାସର ରେକର୍ଡ କହୁଛି ଗତ ବର୍ଷ ତୁଳନାରେ ବେପାର ପୁରା ପୁରି ଘାଟା । ରାଜ୍ୟରେ ଗତ ମେ ମାସରେ ୮୭% ମଦ ବିକ୍ରି କମିଛି । ରାଜ୍ୟ ରାଜକୋଷ ରାଜସ୍ୱ ହରାଉଛି । ଲାଇସେନ୍ସଧାରୀ ଦୋକାନୀମାନେ ମଧ୍ୟ ବେପାର ମାନ୍ଦା ଯୋଗୁଁ ଚିନ୍ତାରେ ଅଛନ୍ତି । ଏ ସମ୍ପର୍କରେ ମଦ କମ୍ପାନୀ ସଂଘ ରାଜ୍ୟ ସରକାରଙ୍କ ନିକଟରେ ଗୁହାରୀ କରିଛି । ମଦ ଉପରୁ କରୋନା ଫିକୁ କମାଅ । କେବଳ ଅନଲାଇନ ବଦଳରେ ଦୋକାନରେ ମଦ ବିକ୍ରି ପାଇଁ ମଧ୍ୟ ଦିଅ ଅନୁମତି । ନଚେତ ଆଗକୁ ରାଜ୍ୟରେ ମଦ ବେପାର ସଂକଟରେ ଗତି କରିବ ବୋଲି ସଂଘ ବି ସତର୍କ କରାଇଛି ।
ସିଆଇଏବିସି ଦର୍ଶାଇଛି, ମଦରେ କରୋନା ସେସ ୫୦ ପ୍ରତିଶତ ବୃଦ୍ଧି ଗ୍ରାହକଙ୍କୁ ସୁହାଉନି । ଅହେତୁକ ଦରବୃଦ୍ଧି ସହ ଅନଲାଇନରେ ଅଧିକାଂଶ ମଦ କିଣିବାକୁ ମଧ୍ୟ ଅକ୍ଷମ ହେଉଚନ୍ତି । ଏହାଦ୍ୱାରା କଳାବଜାରୀ ବୃଦ୍ଧି ପାଉଛି । ମଦ ଦୋକାନ ବନ୍ଦ ଥିବାରୁ ପ୍ରାୟ ୫୦ ହଜାର କର୍ମଚାରୀଙ୍କ ରୋଜଗାର ମଧ୍ୟ ପ୍ରଭାବିତ ହୋଇଛି । ସରକାର ସମସ୍ତ ବର୍ଗଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କରୋନା ଫି’କୁ ୧୦ ରୁ ୧୫ ପ୍ରତିଶତରେ ସୀମିତ ରଖନ୍ତୁ । କାଉଣ୍ଟରରେ ମଦ ବିକ୍ରିକୁ ଅନୁମତି ଦିଅନ୍ତୁ ବୋଲି ସିଆଇଏବିସି ନିର୍ଦ୍ଦେଶକ ବିନୋଦ ଗିରି କହିଛନ୍ତି । ସରକାର ଏ ଦିଗକୁ ଗମ୍ଭୀରତାର ସହ ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି ।


