କାର୍ଯ୍ୟାନୁଷ୍ଠାନ ପାଇଁ ବିଡିଓଙ୍କୁ ଜିଲ୍ଲାପାଳଙ୍କ ନିର୍ଦେଶ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକର ଭରତପୁର ପଂଚାୟତର କମ୍ୟୁନିଟି ସେଂଟର ଭଡା ଲାଗିଥିବା ଘଟଣାରେ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା ୨ଦିନ ମଧ୍ୟରେ ସେହି କମ୍ୟୁନିଟି ସେଂଟରକୁ ଜବରଦଖଲ ମୁକ୍ତ କରାଯାଇ ଭରତପୁର ଗ୍ରାମପଂଚାୟତକୁ ହସ୍ତାନ୍ତର କରାଯିବା ସହ ଜବରଦଖଲ କରିଥିବା ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯୟାନୁଷ୍ଠାନ ଗ୍ରହଣ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିବାକୁ କେନ୍ଦ୍ରାପଡା ବିଡିଓ ସୁଧିର କୁମାର ସିଂକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତର ଭରତପୁର ସାମିଲ ପାରାଚକ ଗ୍ରାମରେ ପ୍ରାୟ ୨ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠି ସରକାରୀ ଅନୁଦାନରେ ଗତ ୨୦୦୬ମସିହାରେ ନିର୍ମିତ ହୋଇଥିବା କମ୍ୟୁନିଟି ସେଂଟରଟିକୁ ଗ୍ରାମପଂଚାୟତକୁ ହସ୍ତାନ୍ତର କରାନଯାଇ ସେହି ଗୃହଟିକୁ ୨୦୦୬ମସିହାରୁ ଭଡା ଦିଆଯାଇଥିବା ଗତ ଅଗଷ୍ଟମାସ ୫ତାରିଖ ଜନଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ସେହି ପଂଚାୟତର ହରିଡାଦଣ୍ଡା ପଡାଗ୍ରାମର ବାବାଜୀ ସାମଲଙ୍କ ପୁଅ ବିଶ୍ୱଜିତ ସାମଲ ସଂପୃକ୍ତ କମ୍ୟୁନିଟି ସେଂଟର ଗୃହକୁ ପ୍ରଥମେ କଲ୍ୟାଣୀ ମହାମଣ୍ଡଳକୁ ଭଡା ଦେଇଥିବା ବେଳେ ଏବେ ପାରାଚକ ଗ୍ରାମର ତନୁଜ ମଳିକକୁ କୁକୁଡାକଟା ଦୋକାନ କରିବାକୁ ଭଡା ଦେଇଥିବା ଅଭିଯୋଗ ହୋଇଥିଲା । ଦୀର୍ଘ ୧୩ବର୍ଷରୁ ଉଦ୍ଧ୍ୱର୍ ହେବ ସରକାରୀ ଅନୁଦାନରେ ନିର୍ମିତ ଏକ ଗୃହକୁ କିପରି ଜଣେ ଲୋକ ଭଡାଦେଇ ବ୍ୟକ୍ତିଗତ ଭାବରେ ଭଡା ଆଦାୟକରି ବେପାର କରୁଛି ତାହା ସାଧାରଣରେ ଆଶ୍ଚର୍ଯ୍ୟ ଚକିତ କରିଥିବା ବେଳେ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ନିର୍ଦେଶ କ୍ରମେ କେନ୍ଦ୍ରାପଡା ବ୍ଲକର ବିଡିଓ ସୁଧିର କୁମାର ସିଂ ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ଅନିରୁଦ୍ଧ ବେହେରାଙ୍କ ସହିତ କମ୍ୟୁନିଟି ସେଂଟର ନିକଟକୁ ଯାଇ ଘଟଣାର ତଦନ୍ତ କରି ଅଭିଯୋଗର ସତ୍ୟତାକୁ ଉପଲବ୍ଧି କରିଥିବା ଗଣମାଧ୍ୟମକୁ କହିଥିଲେ ମଧ୍ୟ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ କିମ୍ବା କମ୍ୟୁନିଟି ସେଂଟର ଜବରଦଖଲକାରୀଙ୍କ ଠାରୁ ସମ୍ପୂର୍ଣ୍ଣ ଭଡା ଆଦାୟ କରାନଯିବା ଏବଂ ତାଙ୍କ ବିରୋଧରେ କୈାଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇନଥିଲା । ମଙ୍ଗଳବାର ଅପରାହ୍ନରେ ଅଭିଯୋଗକାରୀମାନେ ଜିଲ୍ଲାପାଳଙ୍କୁ ଭେଟି ଏସମ୍ପର୍କରେ ଜଣାଇବା ପରେ ଜିଲ୍ଲାପାଳ ଶ୍ରୀ ବର୍ମା କେନ୍ଦ୍ରାପଡା ବିଡିଓ ଶ୍ରୀ ସିଂଙ୍କୁ ୨ଦିନ ମଧ୍ୟରେ ସେହି କମ୍ୟୁନିଟି ସେଂଟର ଗୃହଟିକୁ ତାଙ୍କ ଠାରୁ ବେଦଖଲ କରାଯାଇ ଗ୍ରାମପଂଚାୟତକୁ ହସ୍ତାନ୍ତର କରାଯିବା ସହିତ ସଂପୃକ୍ତ ଜବରଦଖଲକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି ।