କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ ଜାରୀ, ଅଂଚଳବାସୀ ଆତଙ୍କିତ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଖଣ୍ଡରେ ଚିନ୍ତା ବଢ଼େଇ ଦେଇଛି ୨୫ ଟିକିଆ ଝାଡଖଣ୍ଡି ହାତୀପଲଙ୍କ ଉପଦ୍ରବ । କେତେ ବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ଆଉ କେତେ ବେଳେ ପନିପରିବା ଫସଲ ନଷ୍ଟ କରୁଛନ୍ତି ଉକ୍ତ ହାତୀପଲ ।ଏବେ କରଞ୍ଜିଆ ଉପଖଣ୍ଡରେ ମୁଖ୍ୟ ସମସ୍ୟା ଭାବରେ ଦେଖା ଦେଇଛି ହାତୀ ଉପଦ୍ରବ । ଗତକାଲି ବିଳମ୍ବିତ ରାତ୍ରରେ ୪୯ ନଂ ଜାତୀୟ ରାଜପଥର ସିଙ୍ଗଡା ନିକଟରେ କିଛି ସମୟ ଧରି ରାସ୍ତା ଅବରୋଧ କରିଥିଲେ । ଏପରିକି ସିଙ୍ଗଡା ପେଟ୍ରୋଲ ପମ୍ପକୁ ଗୋଟିଏ ଦନ୍ତା ହାତୀ ପଶି ଯିବାରୁ ଲୋକେ ଭୟଭୀତ ହୋଇ ଯାଇଥିଲେ । କିଛି ଲୋକ ହାତରେ ନିଆଁ ହୁଳା ଧରି ହାତୀକୁ ଘୋଉଡାଇ ଥିଲେ। ରାସ୍ତାରେ ଦନ୍ତା ହାତୀ ବୁଲୁଥିବାରୁ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ଯାଇଥିଲା ।ହାତୀପଲଙ୍କୁ ଦେଖି ସ୍ଥାନୀୟ ଲୋକମାନେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଖବରପାଇ କରଞ୍ଜିଆ ରେଞ୍ଜ ଅଫିସର ପ୍ରବୀର ମୁର୍ମୁ ବନ କର୍ମଚାରୀ ଙ୍କ ସହିତ ହାତୀପଲ ଥିବା ସ୍ଥାନରେ ପହଁଚି ହାତୀ ଘଉଡେଇବା ପାଇଁ ଉଦ୍ୟମ କରିଥିଲେ।କରଞ୍ଜିଆ ବନଖଣ୍ଡକୁ ବର୍ଷରେ ଅନେକ ଦିନ ଝାଡ଼ଖଣ୍ଡ ଓ କେନ୍ଦୁଝର ପଟୁ ବହୁ ହାତୀ ଆସିଥାନ୍ତି । ଏହି ହାତୀପଲରେ ତିନୋଟି ହାତୀ ଛୁଆ ଥିବାରୁ ହାତୀ ପଲ କରଞ୍ଜିଆ ବନଖଣ୍ଡ ଛାଡି ଯାଉ ନଥିବା କଥା କହିଛନ୍ତି ଉତ୍ତର ଶିମିଳିପାଳ ଡେପୁଟି ଡ଼ାଇରେକ୍ଟର ତଥା କରଞ୍ଜିଆ ଡିଏଫଓ ସାଇ କିରଣ ଡିଏନ ।୨୫ ଟି ହାତୀ ଯୋଗୁଁ କରଞ୍ଜିଆ,ଶୁକୃଳି, ରରୁଆଁ ବ୍ଳକର ଦୁଇଶହରୁ ଊଦ୍ଧ୍ୱ ଗାଁ ଆତଙ୍କିତ ଅବସ୍ଥାରେ ଅଛନ୍ତି ।ଏହି ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟାରେ ଗାଁ ଅଭିମୁଖେ ଆସି ଅନେକ କ୍ଷୟକ୍ଷତି କରିଥାନ୍ତି । ଦୁଇମାସ ଭିତରେ ଏକର ଏକର ଚାଷ ଜମିରେ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି ।ହାତୀ ଯେଉଁ ସ୍ଥାନରେ ରହୁଛନ୍ତି ହାତୀର ସୁରକ୍ଷା ପାଇଁ ତା ଆଖ ପାଖ ଅଞ୍ଚଳରେ ବିଜୁଳି କାଟ କରାଯାଉଛି । ଦୁଇ ଦିନ ହେଲାଣି ଶୁକୃଳି ବ୍ଲକରେ ହାତୀ ଉପଦ୍ରବ ଲାଗି ରହିଛି । ସୋମବାର ଦୁଧିଆଣି ରେଞ୍ଜ ଅଧୀନରେ ଥିବା ମତା ଜଙ୍ଗଲରେ ହାତୀପଲ ଅଛନ୍ତି । ସନ୍ଧ୍ୟାରେ ହାତୀପଲ ବାହାରି ଧାନ ଫସଲ ଖାଇବା ସହିତ ନଷ୍ଟ କରିଦେଉଛନ୍ତି ।ବର୍ତମାନ ଫସଲ ଅମଳ ସମୟ ହୋଇଥିବା ରୁ ସ୍ଥାନୀୟ ଚାଷୀ ମାନେ ରାତି ଅନିଦ୍ରା ହୋଇ ପାଳି କରି ନିଜ ନିଜ ଫସଲ କୁ ଜଗିବାକୁ ବାଧ୍ୟ ହେଉଛନ୍ତି ।ବନବିଭାଗ ତୁରନ୍ତ ହାତୀପଲ ଙ୍କୁ ଏଠାରୁ ଘୋଉଡ଼େଇବାକୁ ଦାବୀ ହେଉଛି ।


