କରୋନାଠୁ ଭୟଙ୍କର ହେବ ଚାଷୀଙ୍କ ଜୀବିକା

ଭୁବନେଶ୍ବର (ବନିତା କୁମାରୀ ପ୍ରଧାନ) : ସମ୍ପ୍ରତି ସମଗ୍ର ବିଶ୍ବ କୋଭିଡ୍‌-୧୯ ଭୂତାଣୁ ସହ ଲଢେଇରେ ବ୍ୟସ୍ତ ରହିଛି। ବର୍ତ୍ତମାନ ୨୦୯ରୁ ଊର୍ଦ୍ଧ୍ବ ଦେଶରେ କରୋନା କାୟା ବିସ୍ତାର କରି ସଂକ୍ରମଣ କରିଚାଲିଛି । ବିଭିନ୍ନ ଦେଶରେ ପ୍ରତିଦିନ ଲୋକମାନେ ପୋକମାଛି ଭଳି ମରୁଥିବା ଦେଖିବାକୁ ମିଳୁଛି । ଏହାକୁ ପ୍ରତିହତ କରିବା ଲାଗି ବିଭିନ୍ନ ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଭଳି ଜରୁରୀ ବ୍ୟବସ୍ଥା। ଆମ ଦେଶ ଭାରତରେ ମଧ୍ୟ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନିଆଯିବା ସହ ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଲାଗୁ ହୋଇଛି ଲକଡାଉନ୍। ଏହା ସତ୍ତ୍ବେ ସମଗ୍ର ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ରୁ ଅଧିକ ରାଜଧାନୀ ଭୁବନେଶ୍ୱରରୁ ହିଁ ଚି଼ହ୍ନଟ ହୋଇଛନ୍ତି। ମଙ୍ଗଳବାର ଦିନ ଜଣେ କରୋନା ଆକ୍ରାନ୍ତଙ୍କ ମେଡିକାଲରେ ମୃତ୍ୟୁ ଘଟି ଥିବାବେଳେ ଏହା ରାଜ୍ୟରେ ପ୍ରଥମ ଘଟଣା ବୋଲି ସରକାରୀ ଭାବେ କୁହାଯାଇଛି, ଏଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଲକ୍‌ଡାଉନ୍‌ ଯୋଗୁଁ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି। ଅଧିକାଂଶ ଛୋଟ ମୋଟ ବ୍ୟବସାୟ ସଂସ୍ଥା ବନ୍ଦ। ବହୁ ଅଞ୍ଚଳରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆବଶ୍ୟକ ମତେ ମିଳୁନଥିବା ଅଭିଯୋଗ ହେଉଛି । ଏପରି ଘଡିସନ୍ଧି ମୁହୂର୍ତ୍ତରେ ରାଜଧାନୀବାସୀଙ୍କ ସମେତ ରାଜ୍ୟର ବହୁ ସହରରେ ଚାହିଦା ମେଣ୍ଟାଇବାକୁ ମହଜୁଦ ନାହିଁ ଆବଶ୍ୟକ ମୁତାବକ କଞ୍ଚା ପନିପରିବା। ମିଳିଥିବା ତଥ୍ୟ ଅନୁସାରେ, ସଟ୍‌ ଡାଉନ ଯୋଗୁ ବାହାର ରାଜ୍ୟରୁ ଆସୁଥିବା ପନିପରିବା ଆବଶ୍ୟକ ମତେ ଆସୁନଥିବାବେଳେ ରାଜ୍ୟର ଚାଷୀଙ୍କ ପରିବା ଜମିରେ ରହି ପଚିସଢ଼ି ଗଲାଣି । ଲକ ଡାଉନ ଯୋଗୁ ବାହାର ରାଜ୍ୟର ବ୍ୟବସାୟୀ ମଧ୍ୟ ଆଉ ପରିବା ପଠାଇବାକୁ ସୁବିଧା ପାଇପାରୁ ନାହାନ୍ତି। ଦୁଇ ଦିନ ହେବ ଆବଶ୍ୟକ ମୁତାବକ କଞ୍ଚା ପରିବା ବିଭିନ୍ନ ବଜାରରେ ଉପଲବ୍ଧ ହୋଇ ପାରୁନାହିଁ। ରାଜ୍ୟରେ ଉତ୍ପାଦନ ହେଉଥିବା ପରିବା ମଧ୍ୟ ଆବଶ୍ୟକତା ପୂରଣ କରିବାରେ ସମର୍ଥ ହୋଇ ପାରୁ ନାହାନ୍ତି । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚାଷୀମାନଙ୍କୁ ସେମାନଙ୍କ ଦୈନନ୍ଦିନ କୃଷି କାର୍ଯ୍ୟ ଲାଗି ଅନୁମତି ପ୍ରଦାନ କରିଥିଲେ ହେଁ ଓଡ଼ିଶା ଭଳି ଅନ୍ୟ କେତେକ ରାଜ୍ୟରେ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରିନାହିଁ। କୃଷି ଉତ୍ପାଦନ କାଜ୍ୟରେ ନିୟୋଜିତ କୃଷକ ଓ ଶ୍ରମିକମାନେ ପଦାକୁ ବାହାରିଲେ ପୋଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଛି। ତେଣୁ କୃଷକ ଓ କୃଷି ଶ୍ରମିକମାନେ ପଦାକୁ ବାହାରିବା ଲାଗି ଡରୁଛନ୍ତି। ଯାହା ଫଳରେ କୃଷି ଏବଂ ଖାଦ୍ୟ ପ୍ରକ୍ରିୟା କାର୍ଯ୍ୟ ପ୍ରଭାବିତ ହୋଇପଡୁଛି । କେବଳ ପନିପରିବା ଏବଂ ଧାନଚାଷୀ ନୁହଁନ୍ତି, ଦୁଗ୍ଧ ଓ ମାଛଚାଷୀମାନେ ଏହା ଦ୍ବାରା ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି। ଲକ୍‌ଡାଉନ୍‌ ପରଠାରୁ ଓମ୍‌ଫେଡ୍ ମାତ୍ର ଗୋଟିଏ ବେଳା କ୍ଷୀର ନେଉଥିବା ବେଳେ ଘରୋଇ କମ୍ପାନିମାନଙ୍କ ଜମା ଦେଖାମିଳୁନି। ଫଳରେ କ୍ଷୀର ବିକ୍ରି ଏକ ପ୍ରକାର କମି ଯାଇଥିବା ବେଳେ ଛେନା ବିକ୍ରି ପୂରା ବନ୍ଦ ହୋଇ ପଡ଼ିଛି। ପନିରକୁ ଚାଷୀମାନେ କମ୍‌ ମୂଲ୍ୟରେ ଯାଚିକି ଦେବାକୁ ବାଧ୍ୟ ହେଉଥିବା ବେଳେ ଉପଯୁକ୍ତ ଗ୍ରାହକ ମିଳୁନାହାଁନ୍ତି ।
ସୂଚନା ଅନୁସାରେ, କଟକ ଜିଲ୍ଲାରେ ପାଖାପାଖି ୮୦ହଜାର ଦୁଗ୍ଧ ଚାଷୀ ଅଛନ୍ତି। ଜିଲ୍ଲାର ନିଆଳି ବ୍ଲକରେ ସର୍ବାଧିକ ୧୮ହଜାର ଦୁଗ୍ଧଚାଷୀ ରହିଥିବାବେଳେ, କଣ୍ଟାପଡ଼ା, ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ବ୍ଲକ ଅଞ୍ଚଳରେ ଅଧିକ ଦୁଗ୍ଧ ଚାଷୀ ରହିଛନ୍ତି। ଜିଲ୍ଲାରୁ କେବଳ ଓମ୍‌ଫେଡ୍‌ ୩୦ହଜାର ଚାଷୀଙ୍କଠାରୁ କ୍ଷୀର ନେଇଥାଏ। ୪୫୦ଟି କଟକ ସମବାୟ ଦୁଗ୍ଧ ସଂଘ ମାଧ୍ୟମରେ ଓମଫେଡ଼ ଦିନକୁ ୨ଥରରେ ଏହି ୩୦ହଜାର ଚାଷୀଙ୍କଠାରୁ ୮୦ହଜାର ଲିଟର ଦୁଗ୍ଧ ସଂଗ୍ରହ କରିଥାଏ। କିନ୍ତୁ ଏବେ ଓମଫେଡ କେବଳ ଗୋଟିଏ ସମୟରେ କ୍ଷୀର ନେଉଛି। କିଛି ସ୍ଥାନରେ ଓମଫେଡ୍ କ୍ଷୀର ନେଉ ନଥିବା ମଧ୍ୟ ଦୁଗ୍ଧ ଚାଷୀମାନେ ଅଭିଯୋଗ କରିଛନ୍ତି। ୫ଦିନ ତଳେ ସାଲେପୁର ବ୍ଲକରେ ଓମଫେଡ୍‌ କ୍ଷୀର ନ ନେବା ପ୍ରତିବାଦରେ ଚାଷୀମାନେ ରାସ୍ତାରେ କ୍ଷୀର ଢାଳି ପ୍ରତିବାଦ କରିଥିଲେ । ଏହିପରି ସମ ଦଶା ରାଜ୍ୟର ସମସ୍ତ କ୍ଷୀର ଚାଷୀଙ୍କ କ୍ଷେତ୍ର ଦେଖିବାକୁ ମିଳିଛି। ଅନ୍ୟପଟେ, ଲାକଡାଉନ ପରଠାରୁ ଦୁଗ୍ଧ ସଂଗ୍ରହ କରୁଥିବା ଅନ୍ୟାନ୍ୟ ଘରୋଇ କମ୍ପାନି ମଧ୍ୟ ଚାଷୀଙ୍କଠାରୁ କ୍ଷୀର ନେଉନାହାନ୍ତି। ଫଳରେ ଚାଷୀଙ୍କ ଶହ ଶହ ଲିଟର କ୍ଷୀର ପ୍ରତିଦିନ ନଷ୍ଟ ହେଉଥିବା ବିଭିନ୍ନ ସ୍ଥାନରେ ଅଭିଯୋଗ ହୋଇ ଆସୁଛି । ଦୁଗ୍ଧ ସଂଗ୍ରହ କମ୍ପାନି କ୍ଷୀର ନେଉ ନଥିବା ବେଳେ ପୂର୍ବରୁ ହୋଟେଲରେ କ୍ଷୀର, ଛେନା ଓ ଦହି କରି ବିକ୍ରି ହେଉଥିଲା। କିନ୍ତୁ ଏବେ ଦୋକାନ, ହୋଟେଲ ସବୁ ବନ୍ଦ ଥିବାରୁ ଦୁଗ୍ଧ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ବାଦାମବାଡ଼ି-ଲିଙ୍କ୍‌ ରୋଡ଼ ମଝିରାସ୍ତାରେ ପ୍ରତିଦିନ ୫ଟା ବେଳେ ଯେଉଁସବୁ ଛେନା ଗାଡି ଲାଗିଥାଏ, ସେସବୁ ବେପାର ଏବେ ସମ୍ପୂର୍ଣ୍ଣ ବନ୍ଦ। ସେହି କାରଣରୁ ପାଖାପାଖି ହଜାର ହଜାର ଚାଷୀଙ୍କ କ୍ଷୀର ଛେନା ବେପାର ଏବେ ସମ୍ପୂର୍ଣ ବନ୍ଦ। ଫଳରେ କେତେକ ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀ ଏବେ ଗାଁ ଗାଁ ବୁଲି ଦହି, ଛେନା ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଯାହା ପଛେ ମିଳୁ ଗାଈଙ୍କ ଦାନା ଖର୍ଚ୍ଚ ଉଠିଯାଉ, ମାନସିକତା ନେଇ କ୍ଷୀର ବେପାର କରୁଥିଲେ ବି ଅଧାଦିନ କ୍ଷୀର ଫିଙ୍ଗିବାକୁ ପଡୁଛି। କେବଳ ଏହି ନିର୍ଦ୍ଦିଷ୍ଟ ଅଞ୍ଚଳ ନୁହେଁ, ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଏଭଳି ଦୁରାବସ୍ଥା ଦେଖାଦେଇଛି। ମିଠା ଦୋକାନ ସବୁ ସମ୍ପୂର୍ଣ ବନ୍ଦ ର ପ୍ରଭାବ କ୍ଷୀର ଚାଷୀଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସମାନ ବୋଲି କ୍ଷୀର ଚାଷୀ କହିଛନ୍ତି। ଗାଈଗୋରୁଙ୍କ ଖାଦ୍ୟ ଯୋଗାଡ଼ କରିବା ଏବେ ଚାଷୀଙ୍କ ପାଇଁ ବଡ ସମସ୍ୟା ହୋଇଛି। କାରଣ କ୍ଷୀର ବିକ୍ରି ନାହିଁ, ପଇସା ଆସିବ କେଉଁଠୁ! ଯଦି ଏଭଳି ଅବସ୍ଥା ଆଉ କିଛି ଦିନ ଲାଗି ରହେ, ତେବେ ଚାଷୀ ସର୍ବ ଶାନ୍ତ ହେବା ସହ ଆତ୍ମହତ୍ୟା ଭଳି ପନ୍ଥାକୁ ଆପଣେଇବା ଘଟଣାକୁ ଏଡ଼ାଇ ଦିଆଯାଇନପାରେ।
ଲକଡାଉନ୍ ଯୋଗୁ ଦିନକୁ ଦିନ ଚାଷ କାର୍ଯ୍ୟ କମ ହେବା ସହ ଅମଳ ହୋଇଥିବା ଫସଲକୁ ଜମିରୁ ଆଣିପାରୁନିନାହାନ୍ତି ଚାଷୀ। ଫଳରେ ଚାଷ କାର୍ଯ୍ୟ ବ୍ୟାହତ ହେବାରେ ଲାଗିଛି। ସେହି ଭଳି ମାଛ ଚାଷୀମାନେ ମଧ୍ୟ ବହୁ ମାତ୍ରାରେ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି। ମାଛ ପୋଖରୀରୁ ସେମାନେ ମାଛ ଧରିବାକୁ ଡରୁଛନ୍ତି। କାରଣ ମାଛ ନେବାକୁ ବ୍ୟବସାୟୀ ନାହାନ୍ତି। ଯେଉଁମାନେ ଅଛନ୍ତି ସେମାନେ ମନ ମୁତାବକ ମାଛ ନେଉନାହାନ୍ତି। କାରଣ ବଜାର ଯିବାରେ ଲକଡାଉନ ସମସ୍ୟା। ଯେଉଁ କେତେକ ଛୋଟ ବ୍ୟବସାୟୀ ଅଛନ୍ତି ସେମାନେ ଅଳ୍ପ ବହୁତ ସ୍ଥାନୀୟ ଅଞ୍ଚଳରୁ ସଂଗ୍ରହ କରି ବିକ୍ରି କରୁଛନ୍ତି। ସାମୁଦ୍ରିକ ମାଛ ବର୍ତ୍ତମାନ ପରିସ୍ଥିତିରେ ଭାବିବା ଭୁଲ। କାରଣ ଗ୍ରାହକ ଅଭାବରୁ ମାଛ ମାରିବାକୁ ଯାଉନାହାନ୍ତି ସମୁଦ୍ରକୁ ମାଛ ଧରାଳୀମାନେ। ଏଠି ମଧ୍ୟ ସମ ଅସୁବିଧା। କାରଣ ବ୍ୟବସାୟୀ ନାହାନ୍ତି। ଫଳରେ ମାଛ ଧରାଳିଙ୍କ ସମେତ ମାଛ ଚାଷୀ ନିଜର ଜୀବିକା ଏକ ପ୍ରକାର ହରାଇଛନ୍ତି। ଭବିଷ୍ୟତରେ ମହଜୁଦ୍ ଖାଦ୍ୟ ସାମଗ୍ରୀ କମିବାରେ ଲାଗିପାରେ ବୋଲି ଆକଳନ କରାଯାଉଛି। ଆଗାମୀ ଦିନରେ ବିଶ୍ବରେ ଘୋର ଖାଦ୍ୟ ସଙ୍କଟ ଦେଖାଦେବ ବୋଲି ଡବ୍ଲୁଟିଓ, ଡବ୍ଲୁଏଚ୍‌ଓ, ଜାତିସଂଘ ପୂର୍ବରୁ ଚେତାବନୀ ଦେଇସାରିଛନ୍ତି। ବିଶ୍ବର ବିଭିନ୍ନ ଦେଶରେ ଲକ୍‌ ଡାଉନ୍ ଘୋଷଣା କରାଯାଇଥିବା ଯୋଗୁ ଖାଦ୍ୟ ଯୋଗାଣରେ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାର ପ୍ରଭାବରେ କେତେକ ସ୍ଥଳରେ ଲୋକମାନେ ଛାନିଆ ହୋଇ ବିଭିନ୍ନ ସାମଗ୍ରୀ କିଣୁଥିବା ବେଳେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକୁ ମହଜୁଦ ରଖୁଥିବା ଜଣାପଡିଛି । ଫଳରେ ଖାଦ୍ୟ ଯୋଗାଣରେ ଏକ ଅସନ୍ତୁଳନ ସୃଷ୍ଟି ହେବାରେ ଲାଗିଛି। ଖାଦ୍ୟ ଉପଲବ୍ଧତା ଦିନକୁ ଦିନ ଅନିଶ୍ଚିତ ହୋଇପଡ଼ୁଥିବାରୁ ବିଭିନ୍ନ ଦେଶ ଏହି ସବୁ ସାମଗ୍ରୀର ରପ୍ତାନି ଉପରେ କଟକଣା ଲଗାଇପାରନ୍ତି ବୋଲି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ)ର ମୁଖ୍ୟ କୋ ଡଙ୍ଗୟୁ, ଡବ୍ଲୁଏଚ୍‌ଓର ଡାଇରେକ୍ଟର ଜେନେରାଲ୍ ଟେଡ୍ରସ୍‌ ଆଧାନମ୍ ଘେବ୍ରେୟେସୁସ୍‌ ଓ ଡବ୍ଲୁଟିଓର ମୁଖ୍ୟ ରବର୍ଟ ଆଜେଭେଡୋ ଅନୁମାନ କରିଛନ୍ତି। କୋଭିଡ୍‌-୧୯କୁ ନେଇ ଘୋଷଣା କରାଯାଇଥିବା ଲକ୍ ଡାଉନ୍ ପରିପ୍ରେକ୍ଷୀରେ ସବୁ ଦେଶଗୁଡ଼ିକୁ ବାଣିଜ୍ୟ କାରବାରରୁ ନିରବଚ୍ଛିନ୍ନ ରଖିବା ଲାଗି ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ବିଶେଷ କରି ଖାଦ୍ୟ ସାମଗ୍ରୀର କାରବାରକୁ ଜାରି ରଖିବାକୁ ଏହି ତିନି ସଂସ୍ଥାର ମୁଖ୍ୟ ଆହ୍ବାନ ଦେଇଛନ୍ତି ବୋଲି ଅଲ୍‌ଜଜିରା ତରଫରୁ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦେଶଗୁଡ଼ିକ ନିଜ ନାଗରିକଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣକୁ ସୁରକ୍ଷିତ ରଖିବାକୁ କାର୍ଯ୍ୟ କରୁଥିବା ବେଳେ ଖାଦ୍ୟ ଯୋଗାଣ ଶୃଙ୍ଖଳରେ ଯେଭଳି କୌଣସି ବିଭ୍ରାଟ ନଘଟେ ସେଥିପାଇଁ ସେମାନଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଲକ୍ ଡାଉନ୍ କଟକଣା ଯୋଗୁଁ କୃଷି ଶ୍ରମିକ ମିଳିବା କଷ୍ଟକର ହୋଇପଡ଼ିଛି। ଚାଷ ଜମିରୁ ଖାଦ୍ୟ ସାମଗ୍ରୀ ଠିକ୍ ସମୟରେ ବଜାରରେ ପହଞ୍ଚି ପାରୁନାହିଁ। ଫଳରେ ଅନେକ ସାମଗ୍ରୀ ଜମିରେହିଁ ନଷ୍ଟ ହେଉଛି ବୋଲି ସେମାନେ କହିଛନ୍ତି। ଖାଦ୍ୟ ଉତ୍ପାଦନ, ପ୍ରକ୍ରିୟାକରଣ ଏବଂ ବିତରଣ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଏହି ତିନି ସଂସ୍ଥାର ମୁଖ୍ୟ ଆହ୍ବାନ ଦେଇଛନ୍ତି। ବର୍ତ୍ତମାନ ସ୍ଥିତିରେ ଆନ୍ତର୍ଜାତିକ ସହଯୋଗ ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି । ଏହା ନରହିଲେ ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖାଦେବ। ଫଳରେ ପୁଷ୍ଟିହୀନତାର ଶିକାର ଓ ଭୋକ ଉପାସରେ ରହୁଥିବା ଲୋକଙ୍କ ସଂଖ୍ୟା ବହୁତ ବଢ଼ିଯିବ ବୋଲି ଏହି ତିନି ସଂସ୍ଥା କହିଛନ୍ତି। ଏହି ସବୁକୁ ସରକାର ତଥା ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ସିଧା ଚାଷୀଙ୍କୁ ସହଯୋଗ କରିବା ଆବଶ୍ୟକ, ପ୍ରଶାସନ ଆବଶ୍ୟକ ଗାଡି ବନ୍ଦ ବସ୍ତ କରି ଫଳ ଚାଷୀ ଙ୍କ ଠାରୁ ସିଧା କ୍ଷେତ ରୁ ପନି ପରିବା, କ୍ଷୀର ଓ ମାଛ ଆଣି ସାହି ସାହି ଗାଳି ବୁଲି ଏସ ଏଚ ଜୀ ଗ୍ରୁପ କିମ୍ବା ସ୍ୱଚ୍ଛା ସେବି ଅନୁଷ୍ଠାନ ମାଧ୍ୟମରେ ବିକ୍ରି କଲେ ସାଧାରଣ ଗ୍ରାହକ ଓ ଚାଷୀ ମାନେ ଉଚିତ ମୂଲ୍ୟ ପାଇ ପାରିବେ କାରଣ ଏଥିରେ କେହି ମଧ୍ୟସ୍ଥି ରହିବେନାହିଁ ଫଳରେ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିବା ସହ ଗ୍ରାହକ ମଧ୍ୟ ଉପକୃତ ହୋଇ ପାରିବ, ଅନୁରୂପ ଭାବେ ମିଠା ଦୋକାନୀଙ୍କୁ ମଧ୍ୟ ପ୍ରତିଦିନ କିଛି ଘଣ୍ଟା ଦୋକାନ ଖୋଲିବାକୁ ଅନୁମତି ମିଳିଲେ କ୍ଷୀର ଚାଷୀମାନେ ମଧ୍ୟ ଉପକୃତ ହୋଇପାରନ୍ତେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ