କରୋନା ଯୋଗୁଁ ମରି ଯାଇଛି ମାନବିକତା: ଗଞ୍ଜାମବାସୀ ବୋଲି ମିଳିଲାନି ଚିକିତ୍ସା, ପୁଅ ଆଗରେ ଚାଲିଗଲା ବାପାର ଜୀବନ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ): କରୋନା ଯୋଗୁଁ ମରି ଯାଇଛି ମାନବିକତା। କରୋନା ସଂକ୍ରମଣରୁ ବଳି ପଡ଼ିଛି ରୋଗୀଙ୍କ ପ୍ରତି ଛୁଆଁ ଅଛୁଆଁ ମନୋଭାବ। ଗଞ୍ଜାମ ଜିଲ୍ଲାବାସୀଙ୍କ ପ୍ରତି ଏଭଳି ମନୋଭାବ ସାଂଘାତିକ ରୂପ ନେବାକୁ ବସିଲାଣି। ଜୀବନ ବଞ୍ଚାଇବା ପାଇଁ ଗୋଟିଏ ‌ହସ୍‌ପିଟାଲ୍‌ରୁ ଆଉ ଗୋଟିଏ ହସ୍‌ପିଟାଲ୍‌କୁ ବାପାଙ୍କୁ ଧରି ଘୂରି ବୁଲୁଥିଲେ ପୁଅ। କେହି ଦେଖିବା ତ ଦୂରର କଥା ପାଖ ବି ମାଡ଼ିଲେନି। ଗଂଜାମ ଜିଲ୍ଲାର ରୋଗୀଙ୍କୁ ଆଇସୋଲେସନ୍‌ ପାଇଁ ବ୍ୟବସ୍ଥା ନାହିଁ କହି ଫେରାଇଦେଲେ। ଦୀର୍ଘ ୩ଘଣ୍ଟା କାଳ ଆମ୍ବୁଲାନ୍ସରେ ଛଟପଟ ହୋଇ ଶେଷରେ ଜୀବନ ହାରିଲେ। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଚିକିତ୍ସା ପାଇଁ ଭୁବନେଶ୍ୱର ଯାଇଥିବା ଜଣେ ବୃଦ୍ଧ ଶେଷରେ ଚିକିତ୍ସା ନ ପାଇ ଆଖି ବୁଜିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି।ବ୍ରହ୍ମପୁର ତୁଳସୀନଗର-୬ ଲାଇନ୍‌ରେ ରହୁଥିବା ବିଶିଷ୍ଟ ଲୁଗା ବ୍ୟବସାୟୀ ନରସିଂହ କୁଣ୍ଡୁ ୬ ମାସ ତଳେ ବ୍ରେନ୍‌ ଷ୍ଟ୍ରୋକ୍‌ ର ଶିକାର ହୋଇଥିଲେ। ସେତେବେଳେ ସେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିଛି ଦିନ ରହିବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ୧୫ ଦିନ ତଳେ ପୁଣି ଥରେ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଥିଲା। ତିନିଦିନ ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ।ସେ ଗୁରୁତର ହୋଇ ପଡ଼ିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସକାଳ ଆଠଟାରେ ତାଙ୍କୁ ବ୍ରହ୍ମପୁରରୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ନିଆଯାଇଥିଲା। ପୂର୍ବାହ୍‌ଣ ୧୧ଟା ୨୦ ମିନିଟ୍‌ରେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ। ଆପୋଲୋ ହସ୍‌ପିଟାଲ୍‌ କର୍ମଚାରୀମାନେ ରୋଗୀ ଗଞ୍ଜାମରୁ ଆସିଥିବା ଜାଣିବା ପରେ ହସ୍‌ପିଟାଲ୍‌ରେ ଭର୍ତ୍ତି କରିବା ତ ଦୂରର କଥା ବାହାରୁ ହିଁ ଫେରାଇ ଦେଇଥିଲେ। ନରସିଂହଙ୍କ ପୁଅ ଚୈତନ୍ୟ କୁଣ୍ଡୁ ହସ୍‌ପିଟାଲ୍‌ କର୍ମଚାରୀଙ୍କୁ ଯେତେ କାକୁତିମିନତି ହେଲେ ମଧ୍ୟ କିଛି ଶୁଣିଲେ ନାହିଁ। ସେଠାରୁ ଫେରି ଅନ୍ୟ ଏକ ଘରୋଇ ଆମ୍ରି ହସ୍‌ପିଟାଲ୍‌କୁ ଯାଇଥିଲେ।ସେଠାରେ ଡାକ୍ତର ଜଣକ ଗଞ୍ଜାମ ଜିଲ୍ଲା ରୋଗୀଙ୍କ ପାଇଁ ଆଇସୋଲେସନ୍‌ ବ୍ୟବସ୍ଥା ନାହିଁ କହି ଫେରାଇଦେଲେ। ପରେ କିମ୍‌ସ ହସ୍‌ପିଟାଲ୍‌ରେ ଯାଇ ପହଞ୍ଚିଥିଲେ। ସେଠାରେ ପ୍ରାୟ ୪୫ ମିନିଟ୍‌ ଅପେକ୍ଷା କରି ନିରାଶ ହେବାକୁ ପଡ଼ିଥିଲା। ଦୀର୍ଘ ୩ ଘଣ୍ଟା କାଳ ହସ୍‌ପିଟାଲ୍‌କୁ ହସ୍‌ପିଟାଲ୍‌ ଚକ୍କର କାଟି ପ୍ରାୟ ଅପରାହ୍‌ଣ ୨ଟାରେ ଆମ୍ବୁଲାନ୍‌ସ୍‌ରେ ହିଁ ବାପାଙ୍କ ପ୍ରାଣ ଚାଲିଗଲା ବୋଲି ପୁଅ ଚୈତନ୍ୟ କହିଛନ୍ତି। ସେଠାରୁ ସାଢ଼େ ତିନିଟାରେ ବାହାରି ୭ଟାରେ ବ୍ରହ୍ମପୁର ସ୍ଥିତ ବାସଭବନରେ ପହଞ୍ଚିଥିଲେ। ଏହି ଘଟଣା ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି। ନୀଳକଣ୍ଠନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ