କରୋନାକୁ ନେଇ ନୂଆ ତଥ୍ୟ : କୋଷିକା ଭିତରେ ଛପିଯାଉଛି କରୋନା

କରୋନା ଭାଇରସ ମଣିଷ ଦେହରେ ଲୁଚି କରି ରହିଛି । ରୋଗୀ ସୁସ୍ଥ ହେବାର କିଛି ଦିନ ପରେ ଏହା ଥରେ ପୁଣି ସକ୍ରିୟ ହେଉଛି । କରୋନାରେ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବାର କେଇ ଦିନ ପରେ ପୁଣି ଥରେ ଆକ୍ରାନ୍ତ ହେବା ଘଟଣାକୁ ନେଇ ଦକ୍ଷିଣ କୋରିଆର କିଛି ବିଶେଷଜ୍ଞ ଏଭଳି ମତ ଦେଇଛନ୍ତି । ନିକଟରେ ଦକ୍ଷିଣ କୋରିଆରେ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ୫୧ ଜଣ ବ୍ୟକ୍ତି ପୁଣି ଥରେ କରୋନା ପଜିଟିଭ ବାହାରିଛନ୍ତି । ଏହି ବ୍ୟକ୍ତିମାନେ ପୂର୍ବରୁ କରୋନାରେ ସଂକ୍ରମିତ ହେବାର ଜଣାପଡ଼ିବା ପରେ କ୍ୱାରେଣ୍ଟାଇନରେ ରହିଥିଲେ । ସେମାନଙ୍କ ନମୁନା ନେଗେଟିଭ ବାହାରିବା ପରେ ସେମାନଙ୍କୁ ସୁସ୍ଥ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ସେମାନେ ପୁଣି ଥରେ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇ ଦକ୍ଷିଣ କୋରିଆର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନର ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ବ୍ୟକ୍ତିମାନେ କରୋନା ଦ୍ୱାରା ଆଉ ଥରେ ସଂକ୍ରମିତ ହୋଇନାହାନ୍ତି । ବରଂ ସେମାନଙ୍କ ଦେହରେ କରୋନା ଭାଇରସ ଲୁଚି କରି ରହିଥିଲା । ଦେହରେ କୋଷିକା ଭିତରେ ଏହା ଲୁଚିଥିଲା ଏବଂ କିଛି ଦିନ ପରେ ପୁଣି ଥରେ ସକ୍ରିୟ ହୋଇଛି । ତେବେ ଅନ୍ୟ ଦେଶର ବିଶେଷଜ୍ଞମାନେ ଏହି ମତକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି । ସେମାନେ କହିଛନ୍ତି ଯେ କରୋନା ଭାଇରସ ମଣିଷ ଦେହରେ କୋଷିକା ଭିତରେ ଲୁଚି କରି ରହୁଥିବା ସମ୍ପର୍କରେ କିଛି ପ୍ରମାଣ ମିଳିନାହିଁ । ବରଂ ମାଙ୍କଡ଼ମାନଙ୍କ ଉପରେ ଅଧ୍ୟୟନରୁ ଏହାର ଓଲଟା ଫଳ ମିଳିଛି । ଏଥିରୁ ଜଣାପଡ଼ିଛି ଯେ ଥରେ କରୋନା ଦ୍ୱାରା ଆକ୍ରାନ୍ତ ହେବା ପରେ ଜଣେ ବ୍ୟକ୍ତି ଦ୍ୱିତୀୟ ଥର ସଂକ୍ରମିତ ହେବାର ସମ୍ଭାବନା ନାହିଁ । କାରଣ ପ୍ରଥମ ଥର ଆକ୍ରାନ୍ତ ହେବା ପରେ ତାର ଦେହ କରୋନାର ମୁକାବିଲା କରିବାକୁ ଆଣ୍ଟିବଡ଼ି ପ୍ରସ୍ତୁତି କରିଦେଇଥାଏ । ହେଲେ ଦକ୍ଷିଣ କୋରିଆରେ ସୁସ୍ଥ ହୋଇଥିବା ୫୧ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ଏବଂ ପୁଣି ଥରେ ସେଥିରେ ଆକ୍ରାନ୍ତ ହେବା ଘଟଣା ଉପରେ ମତ ଦେଇ ସେମାନେ କହିଛନ୍ତି ଯେ ସେମାନଙ୍କର ନମୁନା ନେଗେଟିଭ ବୋଲି ଯେଉଁ ରିପୋର୍ଟ ଦିଆଯାଇଥିଲା ତାହା ତ୍ରୁଟିପୂର୍ଣ୍ଣ ହୋଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ