କରୋନାଠୁ ଅଧିକ ଦାଉ ସାଧିଲା ଲଘୁଚାପ ବର୍ଷା: କୃଷ୍ଣଚନ୍ଦ୍ରଙ୍କ ଗୁହାରି ଶୁଣିବ କିଏ ?

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କରୋନା ନିଆଁରେ ସମଗ୍ର କନ୍ଧମାଳ ଜଳୁଥିବାବେଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ବଣ୍ଡଗୁଡା ପଞ୍ଚାୟତରୁ ଆସିଛି ଏକ କରୁଣ ଚିତ୍ର ।ଏହି ପଞ୍ଚାୟତରେ ଜୀବନ ଜୀବିକା ପାଇଁ ଲଢେଇ କରି ବଞ୍ଚିବାକୁ ଶ୍ରେୟସ୍କର ମନେକରୁଥିବା କୃଷ୍ଣଚନ୍ଦ୍ର ସାହୁଙ୍କ ପରିବାର ବାସ କରୁଥିବା ଝୁଂପୁଡି ଘର ଲଘୁଚାପ ଜନିତ ଲଗାଣ ବର୍ଷାରେ କାନ୍ଥ ଭୁଷୁଡି ଯାଇଥିବାରୁ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ଅସହାୟ କୃଷ୍ଣ । ପରିବାର କହିଲେ ସ୍ତ୍ରୀ ଓ ଏକମାତ୍ର ଝିଅ । ଗତ ତିତଲି ବାତ୍ୟା ସମୟରେ ମଧ୍ୟ କୃଷ୍ଣଚନ୍ଦ୍ରଙ୍କ ଘର କାନ୍ଥ ଭୁଷୁଡି ଯାଇଥିଲା । ସେ ସମୟରେ କୃଷ୍ଣ ଆଶା କରିଥିଲେ ସରକାରୀ ସହାୟତାରେ ଘରଟିଏ ମିଳିବ ବୋଲି । କିନ୍ତୁ ପ୍ରଶାସନ ତରଫରୁ ପଲିଥିନ ପାଲ ଖଣ୍ଡେ ଦେଇ ଚୁପ୍ ରହିଯାଇଥିଲେ । କୃଷ୍ଣଚନ୍ଦ୍ରଙ୍କର ପରିବାର ମଧ୍ୟ ପ୍ରମାଣ କରିଦେଇଛନ୍ତି ଯେ ମରୁଡି, ଖରା ଯେତିକି ଟାଣ ସେମାନଙ୍କର ସଂଘର୍ଷ କରି ବଞ୍ଚିବାର ଇଚ୍ଛାଶକ୍ତି ପ୍ରବଳ । ଏମାନଙ୍କୁ ଏକା ସାଙ୍ଗରେ ଦେଖି ସ୍ପଷ୍ଟ ଜଣାପଡୁଛି ଯେ ସେମାନେ ସବୁପ୍ରକାର ପ୍ରାକୃତିକ ଦୈବୀ ଦୁର୍ବିପାକକୁ ଖାତିର ନକରି ସବୁ ଝଡଝଞ୍ଜାକୁ ସହି ଯାଉଛନ୍ତି । କରୋନା ପାଇଁ କୃଷ୍ଣ ଚନ୍ଦ୍ର ଙ୍କ ଗ୍ରାମ ବଣ୍ଡଗୁଡାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବାରୁ କୃଷ୍ଣଚନ୍ଦ୍ର କୌଣସି ସରକାରୀ ଅଧିକାରୀଙ୍କୁ ଏ ସଂପର୍କରେ ଜଣେଇବା ପାଇଁ ମଧ୍ୟ ସୁଯୋଗ ପାଇ ପାରି ନାହାନ୍ତି । ଏଭଳି ପରିସ୍ଥିତିରେ ବଣ୍ଡଗୁଡାର ସାମାଜିକ କର୍ମୀ ବିଜୟ କୁମାର ସାହୁ କ. ନୂଆଗାଁ ତହସିଲଦାରଙ୍କୁ ଯୋଗାଯୋଗ କରି ଜଣାଇବା ପରେ ବଣ୍ଡଗୁଡା ରାଜସ୍ୱ ନୀରିକ୍ଷକ ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ