କରୋନାରେ ମୃତ ବ୍ୟକ୍ତିଙ୍କ ଶବ ସତ୍କାର ବିଳମ୍ବ ଯୋଗୁଁ ଉତେଜନା
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): କରୋନାରେ ମୃତ ବ୍ୟକ୍ତିଙ୍କର ଶବ ସ୍ମଶାନକୁ ନେବାପରେ ସଂସ୍କାରରେ ବିଳମ୍ବକୁ ନେଇ ମୃତକଙ୍କ ଆତ୍ମୀୟ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ସୃଷ୍ଟି ହୋଇଛି । ସେଥିପାଇଁ ଉତ୍ୟକ୍ତ ଲୋକମାନେ ରାସ୍ତାରେ ବସି କିଛି ସମୟ ପାଇଁ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଥିଲା । ଫୁଲବାଣୀ କୋଭିଡ ଡାକ୍ତରଖାନାରେ କରୋନାରେ ଆକ୍ରାନ୍ତ ଜଣେ ୫୫ ବର୍ଷର ବ୍ୟକ୍ତିଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ମୃତ ଦେହକୁ କୋଭିଡ ରୋଗରେ ମୃତକଙ୍କ ପାଇଁ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସ୍ଥନୀୟ ଏଫସିଆଇ ଛକ ନିକଟସ୍ଥ ସ୍ମଶାନରେ ସଂସ୍କାର କରିବାକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା । ହେଲେ ସେଠାରେ କୋଭିଡ ନିୟମ ଅନୁସାରେ ପ୍ରଶାସନ ଦ୍ୱାରା ଶବ ସଂସ୍କାର କରାଯିବା ଅପେକ୍ଷାରେ ମୃତକଙ୍କ ଏକମାତ୍ର ପୁଅ ଏବଂ ଗ୍ରାମାବାସୀ ମାନେ ଅପେକ୍ଷା କରିଥିଲେ । ଅପେକ୍ଷା କରିଥିବା ଲୋକେ ପ୍ରଶାସନ ସେଠାରେ କେବଳ ଶବ ଏବଂ ସଂସ୍କାର ନିମନ୍ତେ କାଠ ଓ ଆବଶ୍ୟକୀୟ ଜିନିଷ ସବୁ ସେମାନଙ୍କୁ ଦେଇ ମୃତକଙ୍କ ପରିବାର ଲୋକେ ଶବ ସଂସ୍କାର କରିବାକୁ କହିଥିଲେ । ତେବେ ମୃତକଙ୍କ ପରିବାରରେ କେବଳ ଜଣେ ମାତ୍ର ୧୮ ବର୍ଷର ପୁଅ ଥିବାରୁ ଏବଂ ତାଙ୍କର ଶବ ସଂସ୍କାର ପାଇଁ ଆଉ କେହି ଆସିନଥିବାରୁ ଗ୍ରାମବାସୀ ମାନେ ପ୍ରଶାସନ ତରଫରୁ ଶବ ସଂସ୍କାର କରାଯିବା ଦାବୀରେ ସେଠାରେ ରାସ୍ତାରୋକ କରିଥିଲେ । ପରେ ପୌର କାର୍ଯ୍ୟାଳୟ ପକ୍ଷରୁ କର୍ମଚାରୀ ମାନେ ସେଠାରେ ପହଂଚି କୋଭିଡ ନିୟମ ଅନୁସାରେ ପିପିଇ କିଟ ପରିଧାନ କରି ଶବ ସଂସ୍କାର କରିଥିଲେ ।


