୨୧ଥର ଉଠାଇଲେଣି ଆଧାରକାର୍ଡ଼ ପାଇଁ ଫୋଟ ;ତଥାପି ମିଳୁନାହିଁ
ଫୁଲବାଣୀ,(ପ୍ରଶାନ୍ତ କୁମାର ବେହେରା): ଥରେ ଦୁଇଥର ନୁହେଁ ଆଜି ସୁଦ୍ଧା ୨୧ ଥର ଆଧାରକାର୍ଡ଼ ପାଇଁ କେତେବେଳେ ବ୍ଳକରେ ତ ପୁଣି କେତେବେଳେ ବାହାରେ ଓ ଆଉ କେତେବେଳେ ହେଉଥିବା କ୍ୟାମ୍ପରେ ଫୋଟ ଉଠାଇ ତାଙ୍କ ନିଜର ଏବଂ ପରିବାରର ତଥ୍ୟ ଦେଇ ସାରିଲେଣି କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଆଧାରକାର୍ଡ଼ ମିଳିନାହିଁ । ଶେଷରେ କିଛି ଉପାୟ ନାପାଇଁ ଆଧାରକାର୍ଡ଼ ପାଇଁ ଆଇନ କରିଥିବା ପ୍ରଧାନମନ୍ତ୍ରୀଙ୍କ ନାମରେ ଫୁଲବାଣୀ ଲୋକ ଅଦାଲତାରେ ଗତ ୭ ମାସ ତଳେ ମାମଲା ମଧ୍ୟ ରୁଜୁକରିଛନ୍ତି । ତଥାପି ଆଜି ପର୍ଯ୍ୟନ୍ତ ତାଙ୍କର ସମସ୍ୟାର ସମାଧାନ ହେଉନାହିଁ । ଏଭଳି ଏକ ଅଭିଯୋଗ ମିଳିଛି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ଫା ପଂଚାୟତର ଖେତାପାଜୁ ଗ୍ରାମରେ ।
ଅଭିଯୋଗ ମୁତାବକ,ଖେତାପାଜୁ ଗ୍ରାମର ୨ ନମ୍ବର ୱାର୍ଡ଼ରେ ବାସ କରୁଥିବା ଜିତେନ୍ଦ୍ର କୁମାର ସେଠୀ(୩୩)ଙ୍କ ପାଇଁ ଏବେ ସମସ୍ୟା ହୋଇଛି ତାଙ୍କର ଆଧାର କାର୍ଡ ନମିଳିବା । ଜିତେନ୍ଦ୍ରଙ୍କ ପରିବାରରେ ସ୍ତ୍ରୀ ଲକ୍ଷ୍ମୀ ସେଠୀ (୨୮)ଙ୍କ ସମେତ ତିନି ଝିଅ ଓ ବୃଦ୍ଧ ବାପା ମହେଶ୍ୱର ସେଠୀ (୮୨) ଏବଂ ମା ବାଲମତି ସେଠୀ (୭୫) ଅଛନ୍ତି । ଏହି ୭ ପରିବାର ସଦସ୍ୟଙ୍କ ପେଟରେ ଦାନା ଦେବା ପାଇଁ ଭରସା ହେଉଛନ୍ତି ଜଣେ ମାତ୍ର ଜିତେନ୍ଦ୍ର । ପରଦୁଆରେ ମୂଲଲାଗିଲେ ପରିବାର ଚଳିଥାଏ । ବୃଦ୍ଧ ବାପା-ମାଆଙ୍କୁ ବାର୍ଦ୍ଧକ୍ୟଭତାତ୍ତା ମିଳୁଥିବା ବେଳେ ଜିତେନ୍ଦ୍ରକୁ ଛାଡ଼ି ସମସ୍ତଙ୍କୁ ୫ କିଲୋ ଲେଖାଏଁ ଚାଉଳ ମିଳୁଛି । ତେବେ ଆଜି ପର୍ଯ୍ୟନ୍ତ ଜିତେନ୍ଦ୍ରଙ୍କ ନାମ ରାସନକାର୍ଡ଼ରେ ଚଢୁନାହିଁ । ଏହାର ପଛରେ ମୂଳ କାରଣ ହେଉଛି ଆଧାର କାର୍ଡ । ତେବେ ଆଧାର କାଡ଼ ପାଇଁ ସେ ୨୧ଥର ସପରିବାରେ ଫୋଟ ଉଠାଇବା ସହିତ ତାଙ୍କର ସମସ୍ତ ତଥ୍ୟ ଦେଇ ସାରିଲେଣି । ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ମିଳିପାରୁନାହିଁ ଆଧାରକାର୍ଡ଼ । ଆଧାରକାର୍ଡ଼ ନଥିବା ଯୋଗୁଁ ଆଜି ପର୍ଯ୍ୟନ୍ତ ମଧ୍ୟ ସରକାରଙ୍କର କୌଣସି ଯୋଜନାରେ ସାମିଲ୍ ହୋଇ ପାରୁନାହାନ୍ତି । ଗୋଟିଏ ପଟେ ସରକାର ଆଧାରକାର୍ଡ଼ ନଥିଲେ ସରକାରୀ ଯୋଜନାରୁ ବଂଚିତ ହେବ ନାହିଁ ବୋଲି ଘୋଷଣା କରିଥିଲେ ମଧ୍ୟ ବାସ୍ତବିକ ସରକାରୀ କାର୍ଯ୍ୟାଳୟ ମାନଙ୍କରେ କିନ୍ତୁ ପରୋକ୍ଷରେ ବିନା ଆଧାର କାର୍ଡ଼ରେ ଆଜି କାଲି କିଛି ମଧ୍ୟ କରାଯାଉନାହିଁ ବୋଲି ମଧ୍ୟ ଜିତେନ୍ଦ୍ର ଅଭିଯୋଗ କରିଛନ୍ତି । ଯାହାର ଉଦାହାରଣ ସେ ନିଜେ ବୋଲି ମଧ୍ୟ ଗଣମାଧ୍ୟକୁ ପ୍ରକାଶ କରିବାକୁ ପଛାଇ ନାହାନ୍ତି । ଭଙ୍ଗା ଦଦରା କୁଡ଼ିଆ ଘରେ ସାତ ପ୍ରାଣି କୁଟୁମ୍ବଙ୍କୁ ନେଇ ଜିତେନ୍ଦ୍ର ଦିନ କାଟୁଥିବା ବେଳେ ସରକାରୀ ଯେଜାନାରେ ଘର ଖଣ୍ଡିଏ ପାଇଁ ମଧ୍ୟ ବାରମ୍ବାର ପଂଚାୟତ ଠାରୁ ଆରମ୍ଭ କରି ବ୍ଳକ ପର୍ଯ୍ରନ୍ତ ଦୌଡ଼ିଛନ୍ତି କିନ୍ତୁ ଆଧାର କାର୍ଡ଼ କରିଛି କାଳ, ମିଳିନାହିଁ ଆଜି ପର୍ଯ୍ୟନ୍ତ ଘର ପାଇଁ ମଧ୍ୟ ପ୍ରତିଶୃତି । ତେବେ ଗୋଟିଏ ଦିନରେ ପରିବାରର ସମସ୍ତ ସଦସ୍ୟ ଆଧାରକାର୍ଡ଼ ପାଇଁ ଫଟୋ ଉଠାଇ ସମସ୍ତଙ୍କୁ ମିଳିଥିଲେ ମଧ୍ୟ ଜିତେନ୍ଦ୍ରଙ୍କ ପାଇଁ ଆଜି ପର୍ଯ୍ୟନ୍ତ ତାହା ସଫଳ ହୋଇନାହିଁ । ଆଧାର କାର୍ଡ଼ ନଥିବା ଯୋଗୁଁ କରୋନା କଟକଣା ରେ ସରକାରି ସ୍ତରରେ ଯେଉଁ ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଗଲା ତାହା ଜିତେନ୍ଦ୍ର ପାଇଁ ମଧ୍ୟ ସଫଳ ହୋଇ ପାରିନାହିଁ । ପରିବାରର ସମସ୍ତ ସଦସ୍ୟଙ୍କ ନାମରେ ଚାଉଳ ମିଳୁଥିବା ବେଳେ ଯାହାଙ୍କ ପାଇଁ ନିଜ ସ୍ତ୍ରୀ ଓ ପିଲା ମାନଙ୍କୁ ଉକ୍ତ ଚାଉଲ ମିଳୁଛି ସେ କିନ୍ତୁି ଆଜି ପର୍ଯ୍ୟନ୍ତ ଏହି ସୁବିଧା ପାଇବାରୁ ବଂଚିତ ହେବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟର କଥା ବୋଲି ଅନେକ ମତ ପ୍ରକାଶ କରିଛନ୍ତି । ନାନା ଚିନ୍ତାରେ ଏବେ ଜିତେନ୍ଦ୍ର ଥିବା ବେଳେ ତାକୁ କିଏ ଏଥିରେ ସହଯୋଗ କରିବ ସେ ଦିଗରେ ମଧ୍ୟ ସେ କିଛି ଜାଣିନାହାନ୍ତି । ଇତି ମଧ୍ୟରେ ସେ ବ୍ଳକ ପ୍ରଶସାନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି |କିନ୍ତୁ ଆଧାରଣ କାର୍ଡ଼ ପାଇଁ କୌଣସି ସ୍ତରରେ ମଧ୍ୟ ସୁଫଳ ନମିଳିବାରୁ ସେ ବାଧ୍ୟ ହୋଇ ଆଧାରକାର୍ଡ଼ ନିୟମ କରିଥିବା ପ୍ରଧାନମନ୍ତ୍ରୀଙ୍କ ନାମରେ ଫୁଲବାଣୀ ଲୋକ ଅଦାଲତରେ ଗତ ୧୬ ମାର୍ଚ୍ଚ ୨୦୨୦ରେ ମଧ୍ୟ ଏକ ମାମଲା ରୁଜୁକରିଥିବାର ଜଣାଯାଇଛି । ମାମଲା ରୁଜୁକରି ସେ ନିଜର ଭୋଟର କାର୍ଡ଼ , ଜବ୍ କାର୍ଡ଼ , ବ୍ୟାଙ୍କ ପାଶ୍ ବୁକ୍ ସହିତ ଅନ୍ୟ ସମସ୍ତ କାଗଜପତ୍ର ମଧ୍ୟ ଦାଖଲ କରିଥିବାର ଜଣାଯାଇଛି । ତେବେ ବିଳମ୍ବରେ ହେଲେ ମଧ୍ୟ ଏହି ଖବର ପଦାକୁ ଆସିବା ଓ ଆଧାରକାର୍ଡ଼ ପାଇଁ ପ୍ରଧାନମନ୍ତ୍ରୀଙ୍କ ନାମରେ ଲୋକ ଅଦାଲତର ଆଶ୍ରୟ ନେବା ଘଟଣା ଏବେ ସମଗ୍ର ଜିଲାରେ ଆଲୋଚ୍ୟର ବିଷୟ ହୋଇଛି ।


