କରୋନା କାଳୀନ ସ୍ୱତନ୍ତ୍ର ଶିଶୁଙ୍କ ଥେରାପି ସମ୍ପର୍କିତ ୱେବିନାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କରୋନା ସମୟରେ ମସ୍ତିଷ୍କ ପକ୍ଷାଘାତ, ମାନସିକ ମନ୍ଥର ଓ ଅଟିଜିମ୍ ପିଡିତ ଶିଶୁମାନେ ଅନ୍ୟ ସାଧାରଣ ଶିଶୁମାନଙ୍କ ଅପେକ୍ଷା ଅସୁରକ୍ଷିତ ଥାଆନ୍ତି । ସେମାନେ ଆବଶ୍ୟକ କରୁଥିବା ପ୍ରଶିକ୍ଷଣ ଏବଂ ଥେରାପି ସେବାରୁ ବଞ୍ଚିତ ରହିବା ଫଳରେ ସେମାନଙ୍କ ବିକାଶ ବାଧାପ୍ରାପ୍ତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଭିନ୍ନକ୍ଷମ ଶିଶୁମାନଙ୍କୁ ସହାୟତା ପାଇଁ କାର୍ଯ୍ୟ କରୁଥିବା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପୁନର୍ବାସ’ ପକ୍ଷରୁ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜର ଅବସରପ୍ରାପ୍ତ ବରିଷ୍ଠ ବାକ୍ ଓ ଶ୍ରବଣ ଶକ୍ତି ବିଶେଷଜ୍ଞ ନାରାୟଣ ଚନ୍ଦ୍ର ବିଶ୍ୱାଳ, ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ପ୍ରଧାନ ଶିକ୍ଷକ ସ୍ୱପ୍ନାଂଶୁ କୁମାର ଦାସ, ଫିଜିଓଥେରାପିଷ୍ଟ୍ ଅନିତା ବାରିକ, ଆକ୍ୟୁପେସନାଲ ଥେରାପିଷ୍ଟ୍ ଶୁଭଶ୍ରୀ ଜେନା, ସ୍ୱାସ୍ଥ୍ୟ ବିଶେଷଜ୍ଞ ଜ୍ୟୋତି ରଞ୍ଜନ ନାୟକ ଏବଂ ମନୋଜ କୁମାର ରାଉତ ପ୍ରମୁଖ ଅଂଶଗ୍ରହଣ କରି ଘରୋଇ ଥେରାପି ପ୍ରଦାନର ବିଭିନ୍ନ ଉପାୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ସ୍ୱତନ୍ତ୍ର ଶିଶୁମାନଙ୍କ ଅବିଭାବକମାନେ ଅଂଶ ଗ୍ରହଣ କରି ଥେରାପିଷ୍ଟମାନଙ୍କୁ ଏ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ଉଥାପନ କରିଥିଲେ । ଏହି ୱେବିନାରକୁ ଅନୁଷ୍ଠାନର ସଂଯୋଜକ ସଞ୍ଜିବ କୁମାର ଜେନା ପରିଚାଳନା କରିଥିବା ବେଳେ ସଭାପତି ଶ୍ୟାମାଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।