କରୋନା ନେଇ ଛତ୍ରପୁରରେ ବୁଲି ବୁଲି ଦୋକାନ ବଜାର ବନ୍ଦ କଲେ ପିଡି

ଛତ୍ରପୁର : କରୋନା ସଂକ୍ରମଣରୁ ଦୂରରେ ରହିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ବ୍ୟାପକ ସତର୍କତା ନିର୍ଦ୍ଦେଶାବଳି ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି କରିଛନ୍ତି । ଜନସାଧାରଣଙ୍କ ଚଳପ୍ରଚଳ ସୀମିତ କରିବା ପାଇଁ ଜିଲ୍ଲାରେ ଥିବା ବିଭିନ୍ନ ମଲ, ପାର୍କ, ଗାଡ଼ି ଗ୍ୟାରେଜ, ଗାଡ଼ି ସୋ ରୁମ, ଲୁଗା ଦୋକାନ, ଗାରମେଂଟ ଦୋକାନ, ବିୟୁଟି ପାର୍ଲର, ଫାଷ୍ଟଫୁଡ ଦୋକାନ ଏବଂ ବାହାରେ ପରିବେଷଣ କରାଯାଉଥିବା ଖାଦ୍ୟଗୁଡ଼ି ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଗତକାଲିଠାରୁ ଖୋଦ୍ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀମାନେ ଜିଲ୍ଲାର ସମସ୍ତ ଅଂଚଳ ବୁଲି ବ୍ୟବସାୟୀମାନଙ୍କୁ ବନ୍ଦ କରିବା ନିମନ୍ତେ କହିବା ସହ କରୋନା ଉପରେ ସଚେତନ କରିଆସୁଛନ୍ତି । ରବିବାର ରାତିଠାରୁ ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ୧୪୪ ଧାରା ଲାଗୁ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସହର ଆଖପାଖ ଅଂଚଳରେ ଗତକାଲିଠାରୁ ଗଞ୍ଜାମ ଜିଲ୍ଲାପାଳ ଔଷଧ ଦୋକାନ, ପନିପରିବା ଦୋକାନ, କିରାଣି ଦୋକାନ ଛଡ଼ା ଆଉ ସମସ୍ତ ଦୋକାନ ବନ୍ଦ କରିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏ ନେଇ ଛତ୍ରପୁର ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ଛତ୍ରପୁର ସହରରେ ପ୍ରଚାର କରି ଦୋକାନଗୁଡ଼ିକୁ ବନ୍ଦ କରିବା ନିମନ୍ତେ ଅନୁରୋଧ କରାଯାଇଛି । ସକାଳୁ ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶେଖର ସ୍ୱାଇଁ ସହର ସାରା ବୁଲି ସମସ୍ତ ଦୋକାନ ବଜାର ବନ୍ଦ କରିବା ନିମନ୍ତେ ବ୍ୟବସାୟୀମାନଙ୍କୁ କହିଛନ୍ତି । ଏହାସହ ଆଳୁ ଗୋଦାମରେ ଲୋକମାନେ କିପରି ସୁଲଭ ଦରରେ ସମସ୍ତେ କିପରି ଆଳୁ ପାଇପାରିବେ, ଏହାର ତଦାରଖ କରିଛନ୍ତି । ସହରର ସମସ୍ତ ଦୋକାନ ବନ୍ଦ ରହିଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଜିଲ୍ଲପାଳ ପ୍ରିୟ ରଂଜନ ପୃଷ୍ଟି, ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଉମେଶ ସ୍ୱାଇଁଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇ ଦୋକାନ ବଜାର ବନ୍ଦ କରିବା ସହ ଲୋକମାନଙ୍କୁ କରୋନା ଉପରେ ସଚେତନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ