କରୋନା ପାଇଁ ଖର୍ଚ୍ଚକାଟ

ଭୁବନେଶ୍ୱର: ବିଶ୍ୱବ୍ୟାପୀ କରୋନା ମହାମାରୀର ପ୍ରଭାବ ଓଡ଼ିଶାକୁ କରାୟତ୍ତ କରିବା ସହିତ ରାଜ୍ୟର ଅର୍ଥନୈତିକ ସ୍ଥିତିକୁ ଦୋହଲାଇ ଦେଇଛି । ସମ୍ବଳ ସଂଗ୍ରହ ମାତ୍ରାଧିକ ହ୍ରାସ ପାଇଥିବାରୁ ଆର୍ଥିକ କାର୍ଯ୍ୟକ୍ରମ ଗୁରୁତର ବାଧାପ୍ରାପ୍ତ ହୋଇଛି । ଏଣେ କୋଭିଡ ପରିଚାଳନା ପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ପଡ଼ୁଛି । ଏଭଳି ସ୍ଥିତିରେ ଅର୍ଥ ବିଭାଗ ଅନାବଶ୍ୟକ ଖର୍ଚ୍ଚ କାଟ ସହିତ ବିଭାଗ ଗୁଡ଼ିକୁ ସମ୍ବଳକୁ ଦେଖି ଜରୁରୀ କ୍ଷେତ୍ରରେ ଅର୍ଥ ଖର୍ଚ୍ଚ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨ ବର୍ଷ ପର୍ଯ୍ୟନ୍ତ କେବଳ ସ୍ୱାସ୍ଥ୍ୟ ବିଭାଗକୁ ଛାଡ଼ି ଅନ୍ୟ କୌଣସି ବିଭାଗରେ ନୂତନ ନିଯୁକ୍ତି ଉପରେ କଟକଣା ଲଗାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଛାଡ଼ିଦେଲେ ଅନ୍ୟ ବିଭାଗରେ ନୂଆ ପଦ ସୃଷ୍ଟି ଉପରେ କଟକଣା ଲାଗୁ ହୋଇଛି । ନିହାତି ଜରୁରୀ ପରିସ୍ଥିତିରେ ପଦବୀ ସୃଷ୍ଟି ପାଇଁ ଅର୍ଥ ବିଭାଗର ଅନୁମୋଦନ ନେବାକୁ ପଡ଼ିବ । ପାଞ୍ଚ ବର୍ଷ ଧରି ଖାଲିପଡ଼ିଥିବା ପଦ ଉଚ୍ଛେଦ କରିଦିଆଯିବ । ୨୦୨୦ ଜୁଲାଇ ୩୧ ସୁଦ୍ଧା ଏଥିପାଇଁ ସବୁ ପ୍ରଶାସନିକ ବିଭାଗ ଆନୁଷ୍ଠାନିକ ଭାବେ ପଦ ଉଚ୍ଛେଦ ନିର୍ଦ୍ଦେଶ ଜାରି କରିବା ସହିତ ଏ ସଂକ୍ରାନ୍ତରେ ଅର୍ଥ ଓ ସାଧାରଣ ପ୍ରଶାସନ ବିଭାଗକୁ ରିପୋର୍ଟ ଦେବାକୁ କୁହାଯାଇଛି । କନସଲଟାଣ୍ଟ, ଆଉଟସୋର୍ସିଂ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଉପରେ କଟକଣା ଲାଗୁ ହୋଇଛି । ଯଦି ଜରୁରୀ ପଡେ଼ ଏଥିପାଇଁ ଅର୍ଥ ବିଭାଗକର ଅନୁମତି ନେବାକୁ କୁହାଯାଇଛି । ସ୍ୱାସ୍ଥ୍ୟ ବିଭାଗ ଭିନ୍ନ କୌଣସି ନୂଆ ଯୋଜନା, ପ୍ରକଳ୍ପ ଅନ୍ୟ ପ୍ରଶାସନିକ ବିଭାଗ ଦ୍ୱାର ହାତକୁ ନିଆଯିବ ନାହିଁ । ଯଦି ସରକାରୀ ସେବା ପାଇଁ କିଛି ଜରୁରୀ ପଡେ଼ ସେଥିପାଇଁ ଅର୍ଥ ବିଭାଗ ଖର୍ଚ୍ଚ କମିଟିକୁ ଅବଗତ କରିବାକୁ ହେବ । କୋଭିଡ ୧୦ ମୁକାବିଲା ପାଇଁ ଖର୍ଚ୍ଚ ଏବଂ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଜୀବିକାକୁ ବାଦ ଦେଲେ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ଯୋଜନାରେ ଖର୍ଚ୍ଚ କାଟ କରାଯିବ । ଏହି ମର୍ମରେ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ରାଜ୍ୟର ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, ସଚିବଙ୍କୁ ଚିଠି ଲେଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ