କରୋନା ପାଇଁ ସୋମ୍ ମଦକାରଖାନାକୁ ବନ୍ଦ କରିବାକୁ ପଞ୍ଚାୟତ ଦାବୀ
ଚୌଦ୍ୱାର (ସଞ୍ଜୀବ କୁମାର ତିୱାରୀ):ବିଶ୍ୱ ମହାମାରି ସାଜିଥିବା କରୋନା ଭାଇରସ ଏବେ ଦେଶ ତଥା ରାଜ୍ୟରେ ମଧ୍ୟ ପ୍ରଭାବ ପକାଇ ସାରିଲାଣି । ରାଜ୍ୟ ସରକାର ଏଥିପାଇଁ ଏହାକୁ ରାଜ୍ୟ ବିପତ୍ତିଭାବେ ଘୋଷଣା କରି ବ୍ୟାପକ ପ୍ରତିଶୋଧକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତର ଆଦିବାସୀ ବହୁଳ ବଡପୋଖରୀ ମୌଜାର ବରପଦାଠାରେ ଥିବା ସୋମ୍ ଡିଷ୍ଟିଲାରିଜ ଓ ବ୍ରେୱେରିଜ ପ୍ରାଇଭେଟ ଲିମିଟେଡ କମ୍ପାନୀର ବିଅର କାରଖାନାକୁ ବନ୍ଦ କରିବାକୁ ପଞ୍ଚାୟତ ବାସୀମାନେ କଟକ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଏଥିପାଇଁ ପଞ୍ଚାୟତର ସରପଞ୍ଚ ସସ୍ମିତା ସାହୁ, ସମିତି ସଭ୍ୟ ରାଜେଶ ରଂଜନ ଷଡଙ୍ଗୀ, ବରିଷ୍ଠ ନାଗରିକ ବିଶ୍ୱନାଥ ସ୍ୱାଇଁ, ଯୁବନେତା ବାବୁଲି ସାହୁ, ବିପିନ ବେହେରାଙ୍କ ସମେତ ଅନେକ ଲୋକେ ଟାଙ୍ଗୀ ଚୌଦ୍ୱାର ବିଡିଓଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ସ୍ମାରକପତ୍ରରେ ଶତାଧିକ ଜନସାଧାରଣ ଦସ୍ତଖତ କରିଛନ୍ତି । ରାଜ୍ୟ ସରକାର ଏଥିପାଇଁ ବିଭିନ୍ନ କଟକଣା ଲଗାଇଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷ ଏସବୁକୁ ଅଣଦେଖା କରୁଥିବାର ସ୍ମାରକ ପତ୍ରରେ ଦର୍ଶାଯାଇଛି । କାରଖାନାରେ ବାହାର ରାଜ୍ୟର ଅନେକ ଯୁବକ କାମ କରୁଥିବାରୁ ସେମାନଙ୍କ ଯିବାଆସିବା ଉପରେ କୌଣସି କଟକଣା କରାଯାଇନାହିଁ । ଏହି କାରଖାନାରୁ ଉତ୍ପାଦନ ହେଉଥିବା ମଦ ଯାହାକି ପ୍ରଚୁର ଥଣ୍ଡା ପାଣିରୁ ତିଆରି କରାଯାଇଥାଏ । ଏହି ଥଣ୍ଡା ପାଣିରୁ ବିଅର ତିଆରି ହେବା ସମୟରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ଅତ୍ୟଧିକ ଥଣ୍ଡାରୁ ଜ୍ୱରରେ ପଡିବା ସହିତ କାଶ, ଛିଙ୍କ ହେବାର ଜଣା ପଡିବାରୁ ପଞ୍ଚାୟତରେ ଭୟର ବାତାବରଣ ଖେଳିଯାଇଛି । କାରଖାନାରେ କାର୍ଯ୍ୟରତ ଶତାଧିକ ଶ୍ରମିକ ଏବେ ଥଣ୍ଡା ଜନିତ ରୋଗରେ ଆକ୍ରାନ୍ତ ହେବାର ସୂଚନା ମିଳିବା ପରେ ତୁରନ୍ତ ଏହି ବିଅର କାରଖାନାକୁ ବନ୍ଦ କରିବାକୁ ଦାବି ଉଠିଛି । ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ସାହୁ, ସତ୍ୟବ୍ରତ ବେହେରା, ପ୍ରକାଶ ଷଡଙ୍ଗୀ, ଦୁଃଖିଶ୍ୟାମ ସ୍ୱାଇଁ, ଜଗନ୍ନାଥ ବାରିକ, ମହେନ୍ଦ୍ର କୁମାର ସାହୁ, ଶତୃଘ୍ନ ବେଜ, ଭରତ ବେହେରା, ବଳରାମ ସାହୁ, ଦିପ୍ତୀ ରଂଜନ ବେହେରା, ପ୍ରମୁଖ ସ୍ମାରକପତ୍ର ଦେଲାବେଳେ ଉପସ୍ଥିତଥିଲେ ।