କରୋନା ଭୂତାଣୁ – କୋଭିଡ ୧୯ ସଚେତନତା ଜନିତ ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ବୈଠକ
କେନ୍ଦ୍ରାପଡା : କରୋନା ଭୂତାଣୁ -କୋଭିଡ ୧୯ ସଚେତନତା ଜନିତ ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ବୈଠକ ଶନିବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଭାରପ୍ରାପ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ର,ସୂଚନା ଓ ଲୋକ ସମ୍ପର୍କ ବିଭାଗ ଉପନିର୍ଦେଶକ ଚନ୍ଦ୍ରକାନ୍ତ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଉର୍ମିଳା ମିଶ୍ର,ଏଡିଏମଓ(ଜନସ୍ୱାସ୍ଥ୍ୟ) ଡା. ମିର୍ଜାବାବର ବେଗ,ଏଡିଏମଓ(ପରିବାର କଲ୍ୟାଣ) ଡା.ସଚିଦାନନ୍ଦ ମିଶ୍ର ପ୍ରମୁଖ ଯୋଗଦେଇ କରୋନା ଭୂତାଣୁ -କୋଭିଡ ୧୯ ସମ୍ପର୍କରେ ଆଲୋଚନା କରିବା ସହ ବ୍ୟକ୍ତିଗତ ସଚେତନତା, ବିଦ୍ୟାଳୟରେ ସଚେତନତା,ବିଭିନ୍ନ କାର୍ଯ୍ୟାଳୟରେ ସଚେତନତା ମୂଲକ ପଦକ୍ଷେପ ସମ୍ବଦ୍ଧରେ ଆଲୋଚନା କରାଯାଇଥିଲା । ପ୍ରାକାଶ ଥାଉକି କରୋନା ଏକ ଭୂତାଣୁ ଜନିତ ରୋଗ । ଶରୀରରେ ରୋଗ ପ୍ରତିଶେଧକ ଶକ୍ତି କମିବା ଦ୍ୱାରା ଏହି ଭାଇରସ ସମ୍ପର୍କରେ ଆସିଲେ କରୋନା ଆକ୍ରାନ୍ତ ହୋଇଥାଏ । ଅଦ୍ୟାବଧି ଭାରତରେ ତଥା ଓଡିଶାରେ କରୋନା ରୋଗରେ କେହି ଆକ୍ରାନ୍ତ ହୋଇନଥିବା ବେଳେ ବୀଦେଶରୁ ଆସିଥିବା ୩୧ଜଣ ବ୍ୟକ୍ତି ବିଶେଷଙ୍କ ଠାରେ କରୋନା ଭାଇରସ ନିରୂପଣ କରାଯାଇଛି । ଚୀନରେ ଏହି କରୋନାରେ ୮୦ହଜାର ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ ୩ହଜାର ୮୨ଜଣଙ୍କର ମୃତ୍ୟୁ ହୋଇଯାଇଛି । କରୋନା ଭୂତାଣୁ କେଭିଡ ୧୯ର ବ୍ୟାପକ ସଚେତନତା ତଥା ଏହି ରୋଗରେ ଆକ୍ରାନ୍ତ ନହେବା ପାଇଁ ବିଭିନ୍ନ ପ୍ରତିଶେଧକ ମୂଳକ ପଦକ୍ଷେପ ତଥା ସଚେତନତା ଉପରେ ବୈଠକରେ ବିସ୍ତୃତ ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ମିଶ୍ର,ଏଡିଏମଓ ଡା.ବେଗ,ଏଡିଏମଓ ଡା.ମିଶ୍ର ପ୍ରମୁଖ ବୁଝାଇଥିଲେ । ବିଦ୍ୟାଳୟରେ ପ୍ରାର୍ଥନା ସମୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଶିକ୍ଷା ବିଭାଗକୁ ନିର୍ଦେଶ ଦିଆଯାଇଛି । ଆଗାମୀ ପଂଚୁଦୋଳ ଓ ହୋଲି ମେଲଣ ସମୟରେ ରାସାୟନିକ ରଙ୍ଗ ବ୍ୟବହାର ପ୍ରତି ସାବଧାନତା ଅବଲମ୍ବନ କରିବା ସହ ଏକତ୍ରିତ ମେଳି ହୋଇ ରଙ୍ଗ ନଖେଳିବାକୁ ପରାମର୍ଶ ଦିଆଯାଇଛି । କରୋନା ଭାଇରସ ଦ୍ରୁତ ବେଗରେ ପରିବ୍ୟାପ୍ତ ହୁଏ କିନ୍ତୁ ମୃତ ସଂଖ୍ୟା ଶତକଡା ୨ଭାଗ ହୋଇଥାଏ । ଏଣୁ ଜନସାଧାରଣ ସାବଧାନତା ଅବଲମ୍ବନ କରିବା ସହ ବୀଦେଶରୁ ଫେରୁୁଥିବା ବ୍ୟକ୍ତି ବିଶେଷଙ୍କୁ ଡାକ୍ତରଖାନାରେ ପରୀକ୍ଷିତ ହେବା ପାଇଁ ପରାମର୍ଶ ଦିଆଯାଇଛି । ବୀଦେଶରୁ ଫେରୁଥିବା ଏପରି ଲୋକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୪ଦିନ ପର୍ଯ୍ୟନ୍ତ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ୨ ଶଯ୍ୟା ବିଶିଷ୍ଟ ଚିକିତ୍ସା ଗୃହ ଖୋଲାଯାଇଛି । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୪ଘଂଟିଆ କଂଟ୍ରୋଲରୁମ ଖୋଳାଯାଇଛି । ଜିଲ୍ଲାରୁ ବୀଦେଶରେ କାମ କରୁଥିବା ଓ ବୀଦେଶ ଫେରନ୍ତାଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି । ଏହି କରୋନା ଭୂତାଣୁ କୋଭିଡ ୧୯ ଚୀନର ଉହାନ ସହରରୁ ସମଗ୍ର ବିଶ୍ୱକୁ ବ୍ୟାପିଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ୫ଟି ସଚେତନତା ବାର୍ତ୍ତା ବିଶ୍ୱ ଜନସମାଜକୁ ଦିଆଯାଇଛି । କରୋନାରୁ ସୁରକ୍ଷା ପାଇଁ ହାତକୁ ଭଲଭାବେ ନିୟମିତ ବ୍ୟବଧାନରେ ଧୋଇବା କାଶ ବା ଛିଙ୍କୁଥିବା ବ୍ୟକ୍ତିମାନେ ମୁଁହରେ ଭଲଭାବରେ ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ଶରୀରର ତାପମାତ୍ରା ପରୀକ୍ଷା କରିବା,ଏକତ୍ରୀତ ମେଳିରେ ସାମିଲ ନହେବା,ହାତ ଭଲ ଭାବରେ ନଧୋଇ ମୁହଁ ଓ ଆଖିରେ ନଲଗାଇବା ପ୍ରଭୃତି ୫ଟି ସଚେତନତା କରୋନାରୁ ସୁରକ୍ଷା ପାଇଁ ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।