କରୋନା ମାଡରେ ଫିକା ପଡିଲା ବିଶ୍ୱକର୍ମା ପୂଜା
ପାରାଦୀପ,(ପିତବାସ ପ୍ରଧାନ): ଆଜି ହେଉଛି ବିଶ୍ୱକର୍ମାଙ୍କ ପୂଜା । ପ୍ରତିବର୍ଷ ଆଜିର ଦିନରେ ପାରାଦୀପର ସମସ୍ତ କଳ କାରଖାନା,ବିଭିନ୍ନ ସଂଗଠନ, ଦୋକାନ ବଜାରରେ ପୂଜା ପାଇଥାନ୍ତି ଦେବଶିଳ୍ପୀ ବିଶ୍ୱକର୍ମା । ପ୍ରାୟ ୩୦ ରୁ ୪୦ ଟି ପୂଜା ମଣ୍ଡପରେ ଲକ୍ଷାଧିକ ଟଙ୍କା ବିନିମୟରେ ତୋରଣମାନ କରାଯାଇ ଥାଏ । ପୂଜାର ମାସକ ଆଗରୁ ତୋରଣ କାମ ଆରମ୍ଭ ହୋଇଥାଏ । ଚଳଚଞ୍ଚଳ ହୋଇଉଠେ ବନ୍ଦର ନଗରୀ ପାରାଦୀପ ସହର । ନୂଆ ନୂଆ ତୋରଣ ଆଉ ଆଲୋକ ମାଳାରେ ଜଗତସିଂହପୁର ଜିଲ୍ଲା ସହିତ ଆଖପାଖ ଜିଲ୍ଲାରୁ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଦେଖଣା ହାରି ପାରାଦୀପ କୁ ଆସିଥାନ୍ତି ପୂଜା ଦେଖିବା ପାଇଁ । ସମସ୍ତଙ୍କ ମନରେ ଥାଏ ଖୁସିର ଲହରୀ । କିଏ ବେପାର ବଣିଜ କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି ତ ଆଉ କିଏ ପୂଜାରେ ବୁଲି ବୁଲି ଆନନ୍ଦ ଉଠାଇ ଥାନ୍ତି । ଏ ବର୍ଷ କିନ୍ତୁ ସବୁ ଫିକା ପଡିଛି । ନା ଅଛି ପ୍ରତିବର୍ଷ ଭଳି ପୂଜା ପରିବେଶ ନା ଅଛି ଜନଗହଳି ନା ଅଛି ଦୋକାନ ବଜାର । ପୂଜା ହେଉଛି ସତ ସଂଘଠନ ମାନେ ବିଧି ରକ୍ଷା କରିବାକୁ ଯାଇ ନିଜ ନିଜର କାର୍ଯ୍ୟଳୟ ଭିତରେ ପୂଜା କରୁଛନ୍ତି ନିଡାମ୍ବରର ସହିତ । ବିଶ୍ୱ ମହାମାରୀ କରୋନା ମାଡରେ ଏ ବର୍ଷ ଫିକା ପଡିଛି ବିଶ୍ୱକର୍ମା ପୂଜା ।