କରୋନା ମାଡ଼ରେ ଘାଇଲା କନ୍ଧମାଳର ବିଶ୍ୱ ପ୍ରସିଦ୍ଧ ହଳଦୀ ଓ ଶିଆଳୀ ଖଲି ପତ୍ର ବ୍ୟବସାୟୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ହଳଦୀ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବାବେଳେ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ମିଳିଛି। ମାତ୍ର ଚଳିତ ବର୍ଷ କରୋନା ମାଡରେ ହଳଦୀ ଚାଷୀ କ୍ଷତିଗ୍ରସ୍ତ ହୋଇପଡିଛନ୍ତି।କରୋନା ଯୋଗୁ ହଳଦୀ ମୂଲ୍ୟ ହ୍ରାସ ପାଇଛି। ପୂର୍ବ ବର୍ଷଗୁଡିକରେ ହଳଦୀ କି.ଗ୍ରା. ପ୍ରତି ଦର ୧୦୦ ଟଙ୍କାରୁ ଊର୍ଦ୍ଧ୍ୱ ରହୁଥିଲା, ଏବେ ତାହା ହ୍ରାସ ପାଇ ୩୫ରୁ ୪୨ ଟଙ୍କାରେ ପହଂଚିଗଲାଣି । ଫଳରେ ଚାଷୀମାନେ ହଳଦୀ ଚାଷରୁ ମୁହଁ ଫେରାଇବା ଭଳି ପରିସ୍ଥିତି ଦେଖାଦେଲାଣି। ପୂର୍ବରୁ ଟିକାବାଲି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଦାରିଙ୍ଗବାଡ଼ିରେ ସପ୍ତାହକୁ ଏକାଧିକ ଥର ଚାଷୀଙ୍କ ଠାରୁ ହଳଦୀ କିଣିବାକୁ ବଜାର ବସୁଥିଲା। ଏବେ ତାହା ବନ୍ଦ କରି ଦିଆଯାଇଛି। ଫଳରେ ଚାଷୀ ଶସ୍ତାରେ ଦଲାଲ୍‌ଙ୍କୁ ବିକ୍ରି କରୁଛନ୍ତି। ସ୍ଥାନୀୟ ହଳଦୀ ବ୍ୟବସାୟୀ ବ୍ରହ୍ମପୁର ଏବଂ କଟକ ମାଲ୍‌ଗୋଦାମ ଉପରେ ନିର୍ଭର କରୁଥିଲେ। ସେଠିକାର ହୋଲ୍‌ସେଲ ବ୍ୟବସାୟୀ ପୂର୍ବଭଳି ହଳଦୀ ଷ୍ଟକ ରଖୁ ନ ଥିବା ଯୋଗୁ ଦର ଶସ୍ତା ହୋଇଥିବା କୁହାଯାଉଛି। ସେହିପରି ଅଞ୍ଚଳରେ ହଳଦୀ ପରେ ସିଆଳି ଖଲିପତ୍ର ସଂଗ୍ରହ କରି ଜନଜାତି ସମ୍ପ୍ରଦାୟର ଲୋକ ପ୍ରତିପୋଷଣ ହେଉଥିଲେ। ୮୦ ସିଲେଇ ଖଲିପତ୍ରକୁ ଏକ ବିଡା ବନ୍ଧାଯାଇ ତାକୁ ୨୦ ରୁ ୩୦ ଟଙ୍କାରେ ପୂର୍ବରୁ ବିକ୍ରି ହେଉଥିଲା। ଯାହାକି ଏବେ ଦାରିଙ୍ଗବାଡ଼ି ସମେତ ବ୍ରାହ୍ମଣୀଗାଁ ଆଦି ନିଷିଦ୍ଧାଞ୍ଚଳ ଘୋଷଣା ପରେ ବ୍ୟବସାୟୀମାନେ ମାତ୍ର ୧୦ରୁ ୧୩ଟଙ୍କାରେ ବଣ୍ଡଲ କିଣୁଛନ୍ତି। ଫଳରେ ଖଲିପତ୍ର ବିକି ଘର ଚଳାଉଥିବା ଜନଜାତି ଗରିବ ପରିବାର ପାଇଁ କଷ୍ଟକର ହୋଇପଡୁଛି।
ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବା ସହ ଗଞ୍ଜାମ-କନ୍ଧମାଳ ସୀମାରେ କଟକଣା କୋହଳ କରି ଚାଷୀଙ୍କ ଜିନିଷ ବ୍ରହ୍ମପୁର ଏବଂ କଟକରେ ପହଞ୍ଚାଇବା  ସୁବିଧା କଲେ ଏସବୁ ସାମଗ୍ରୀର ଉଚିତ ଦର ଚାଷୀ ପାଇପାରିବ ବୋଲି ବ୍ୟବସାୟୀ ଏବଂ ଚାଷୀ କହିଛନ୍ତି।ଏ ନେଇ ସିମନବାଡ଼ି ଅଞ୍ଚଳର ଜଣେ ବ୍ୟବସାୟୀ ଦିଲୀପ କୁମାର ବେହେରା କହିଛନ୍ତି, ଦର କମ୍‌ ରହିଥିଲେ ମଧ୍ୟ ସେ ଏବେ କେଜି ୪୩ ଟଙ୍କା ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ହଳଦୀ କିଣୁଛନ୍ତି। ଉପର ମାର୍କେଟରେ ଦର ବୃଦ୍ଧି ହେଲେ ସେମାନେ ମଧ୍ୟ ଉଚ୍ଚ ଦରରେ କିଣିପାରିବେ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ