ଚେକିଂ ବେଳେ ଏନଫୋର୍ସମେଣ୍ଟ ଟିମ୍ କୁ ଦୁର୍ବ୍ୟବହାର;ଯୁବକ ଗିରଫ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ):କରୋନା କଟକଣାକ ଅମାନିଆ କଲେ କାର୍ଯ୍ୟାନୁଷ୍ଠାନ ନେବା ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଶକ୍ତ ନିର୍ଦ୍ଦେଶ ରହିଛି ।କିନ୍ତୁ କିଛି ଅମାନିଆ ଏହି ସବୁ ନିୟମକୁ ଫୁ କରି ବୁଲୁଥିବା ଦେଖିବାକୁ ମିଳୁଛି ।ଫଳରେ ବହୁ ସ୍ଥାନରେ ଏନଫୋର୍ସମେଣ୍ଟ ଟିମ ଚେକିଂ କରି ଅମାନିଆଙ୍କ ଠାରୁ।ଜୋରିମାନା ଆଦାୟ କରୁଛନ୍ତି ।ଆଜି ସକାଳ ୯ଟା ବେଳେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ତାଙ୍କ ଟିମ ବେଲଗୁଣ୍ଠା ପୋଲିସ ସହ ବେଲଗୁଣ୍ଠା ବଲାଡି ପ୍ରାଥମିକ ବିଦ୍ୟାଳୟ ବିଦ୍ୟାଳୟ ନିକଟରେ ଚେକିଂ କରୁଥିଲେ ।ସେହି ସମୟରେ ଗରିଶୋଲାର ରମେଶ ପ୍ରଧାନ(୩୨) ତାଙ୍କ ଏଚ୍ ଏଫ୍ ଡିଲକ୍ସ ଓଡି୩୨ସି୮୨୮୬ ରେ ବେଲଗୁଣ୍ଠା ଆସୁଥିଲେ ।ସେ ମାସ୍କ ପିନ୍ଧି ନ ଥିବା ଦେଖି ଏନଫୋର୍ସମେଣ୍ଟ ଟିମ୍ ତାଙ୍କୁ ଅଟକାଇ ଜୋରିମାନା ଦେବାପାଇଁ କହିଥିଲେ ।କିନ୍ତୁ ରମେଶ ଜୋରିମାନା ଦେବା ବଦଳରେ ତହସିଲଦାର ସରୋଜ କୁମାର ବେହେରା ଓ ତାଙ୍କ ଟିମ୍ କୁ ଦୁର୍ବ୍ୟବହାର ଦେଖାଇବ ସହ ଧମକଚମକ ଦେଇଥିଲେ, ସେଠାରେ କାର୍ଯ୍ୟରତ ବେଲଗୁଣ୍ଠା ଫାଣ୍ଡିର ହୋମଗାର୍ଡ ନୀଳମାଧବ ପାଢ଼ୀ ଓ ପୂର୍ଣ୍ଣଚନ୍ଦ୍ର ନାୟକ ତାଙ୍କୁ ତାଗିଦ କରିବା ସହ ତହସିଲଦାରଙ୍କୁ କାହିଁକି ଖରାପ ବ୍ୟବହାର ଦେଖାଉଛ ବୋଲି ପଚାରିଥିଲେ ।ଫଳରେ ରମେଶ ଉତକ୍ଷୀପ୍ତ ହୋଇ ନୀଳମାଧବଙ୍କୁ ନିଜ ହେଲମେଟରେ ମୁଣ୍ଡକୁ ପିଟିଦେଇଥିଲେ, ନୀଳମାଧବଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡିଛି ।ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ଖବର ପାଇ ରମେଶ କୁ ଫାଣ୍ଡିକୁ ଆଣି ଅଟକ ରଖିଥିଲେ ।ତହସିଲଦାର ଶ୍ରୀ ବେହେରା ଏ ନେଇ ବେଲଗୁଣ୍ଠା ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ ।ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ୪୫୧/୨୦ରେ ଏକ ମାମଲା ରୁଜ୍ଜୁ କରି ରମେଶ କୁ ଗିରଫ କରିଥିବା ବେଳେ ତାଙ୍କ ବାଇକ୍ ଜବତ କରିଥିବା ପ୍ରକାଶ କରିଛନ୍ତି ।


