କର୍ମୀଙ୍କ ଘର ପାଲଟିଛି ପିଲାଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):୨୦୧୮ ମସିହାରେ ତାଣ୍ଡବ ରଚିଥିଲା ବାତ୍ୟା ତିତଲି. ବାତ୍ୟାର କରାଳ ରୂପ ମହେନ୍ଦ୍ରଗିରିର ପାଦଦେଶକୁ ଧ୍ଵସ୍ତ କରିଥିଲା. ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଗଙ୍ଗାବାଡ଼ ପଞ୍ଚାୟତ. ବାତ୍ୟା କ୍ଷତିଗ୍ରସ୍ତ ବଡ଼ଦେଉଳା ଏବଂ ସାନଦେଉଳା ଲୋକଙ୍କୁ ସମତଳ ସ୍ଥାନରେ ଥଇଥାନ କରାଯାଇଥିଲା. ହେଲେ ଏହାରି ଭିତରେ ୪ ବର୍ଷ ବିତି ସାରିଥିଲେ ମଧ୍ୟ ଆଜି ଯାଏଁ ଏଠାରେ ଅଙ୍ଗନବାଡି କେନ୍ଦ୍ରଟିଏ ନିର୍ମାଣ ହୋଇପାରିନାହିଁ. ଏଠାକାର ଅଙ୍ଗନବାଡି କର୍ମୀ ନିଜ ଘରେ ଏହି କେନ୍ଦ୍ର ଚଳାଇ ଆସୁଛନ୍ତି. ଏଠାରେ ହିଁ ପିଲାମାନଙ୍କ ପାଠ ପଢା ସହ ସେମାନଙ୍କ ପାଇଁ ଆସିଥିବା ମଧ୍ୟାହ୍ନ ଭୋଜନ ମଧ୍ୟ ରୋଷେଇ କରି ଦିଆଯାଉଛି.ଏହାକୁ ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି. ହେଲେ ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳରେ ସବୁ ସ୍ୱାଭାବିକ କରାଯାଇଥିବା କହୁଥିବା ପ୍ରଶାସନ କିନ୍ତୁ ୪ ବର୍ଷ ପରେ ଗାଁରେ ଅଙ୍ଗନବାଡି ଘରଟିଏ ନିର୍ମାଣ କରିବାରେ ବିଫଳ ରହିଛି. ଏଭଳି ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାର ଦେଉଳା ନୂଆ କଲୋନୀରେ. ବାତ୍ୟା ପରବର୍ତ୍ତୀ ସମୟରେ ରାଜ୍ୟର ବହୁ ନେତା ମନ୍ତ୍ରୀ ଏହି ଅଞ୍ଚଳକୁ ଆସି ସ୍ଥିତି ଆକଳନ କରିଥିଲେ. ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ଗସ୍ତ କରି କ୍ଷତିଗ୍ରସ୍ତଙ୍କୁ ସହୟତା ଘୋଷଣା କରିଥିଲେ. ବାତ୍ୟା କ୍ଷତିଗ୍ରସ୍ତ ବଡ଼ଦେଉଳା ଏବଂ ସାନଦେଉଳା ଲୋକଙ୍କୁ ପାହାଡ଼ ଉପରୁ ଆଣି ଏକ ସମତଳ ସ୍ଥାନରେ ଥଇଥାନ କରାଯାଇଥିଲା. ଚମ୍ପାପୁର ନିକଟରେ ନୂତନ ଭାବେ ସୃଷ୍ଟି ହୋଇଥିବା ଏହି ଗାଁର ନାଁ ଦେଉଳା ନୂଆ କଲୋନୀ ନାମରେ ନାମିତ କରାଯାଇଛି. ଅନ୍ୟ କୌଣସି ଉପାୟ ନଥିବାରୁ ଅଙ୍ଗନବାଡି କର୍ମୀ ନିଜ ଘରେ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ବାଧ୍ୟ ହେଉଥିବା କଥା କହିଛନ୍ତି. ଏ ସମ୍ପର୍କରେ ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ସମସ୍ତଙ୍କ ଦୃଷ୍ଟି ଆକାଶରଣ କରାଯାଇଥିଲେ ମଧ୍ୟ ଆଜି ଯାଇଁ ଏହାର ସମାଧାନ କରାଯାଉନାହିଁ ବୋଲି ସ୍ଥାନୀୟ ସରପଞ୍ଚ ଅଭିଯୋଗ କରିଛନ୍ତି. ଏ ଘଟଣା ସମ୍ପର୍କରେ ସବିବେଶ ବିବରଣୀ ପାଇଲା ପରେ ଖୁବ ଶୀଘ୍ର କାର୍ଯ୍ୟକରି ହେବ ବୋଲି ପିଡି ଡିଆରଡିଓ ସୂଚନା ପ୍ରକାଶ କରିଛନ୍ତି.