କଲିକତାରୁ ପାରାଦୀପ ଆସୁଥିବା ସଦାନନ୍ଦ ବସରେ ଅଗ୍ନିକାଣ୍ଡ, ଜଣେ ମହିଳା ମୃତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କଲିକତାରୁ ପାରାଦୀପ ଆସୁଥିବା ବସରେ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ୧୬ନମ୍ବର ଜାତୀୟ ରାଜପଥରେ ୩୮ଜଣ ଯାତ୍ରୀଙ୍କୁ ନେଇ କଲିକତାରୁ ପାରାଦୀପ ଆସୁଥିବା ଶିବମ ଟ୍ରାଭେଲସ୍ର ସଦାନନ୍ଦ ନାମକ ସ୍ଲିପର କୋଚ ବସଟି ଖଡଗପୁର ସନ୍ନିକଟ ଡେବରା ନିକଟରେ ହୋଇଥିବା ବେଳେ ହଠାତ ବସରେ ନିଆଁ ଲାଗି ଯାଇଥିଲା । ବସର ଡ୍ରାଇଭର ଡେଇଁ ପଳାଇଯାଇଥିବା ବେଳେ ବସର ମୁଖ୍ୟ ଦ୍ୱାରଟି ବନ୍ଦ ହୋଇଯାଇଥିଲା । ଫଳରେ ସେହି ବସରେ ଥିବା ଯାତ୍ରୀମାନେ ଝରକା ବାଟେ ଡେଇଁ ବାହାରକୁ ପଳାଇ ଆସିଥିବା ବେଳେ ଜଣେ ମହିଳା ବସରୁ ବାହାରି ପାରିନଥିଲେ । ଫଳରେ ସେହି ମହିଳା ଜଣଙ୍କର ବସ ଭିତରେ ପୋଡି ହୋଇ ମୃତ୍ୟୁ ହୋଇଯାଇଥିଲା । ମୃତ ମହିଳା ଜଣଙ୍କ ବସ ଭିତରୁ ପ୍ରଥମେ ତାଙ୍କ ସ୍ୱାମୀ ଓ ପୁଅକୁ ବସ ବାହାରକୁ ବାହାର କରିବାରେ ସକ୍ଷମ ହୋଇଥିବା ବେଳେ ପରେ ତାଙ୍କ ସମ୍ମୁଖ ସିଟରେ ବସିଥିବା ଜଣେ ବୃଦ୍ଧଙ୍କୁ ବସ ବାହାରକୁ ବାହାର କରିଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ବସ ଭିତରେ ପ୍ରବଳ ଧୂଆଁରେ ଭର୍ତ୍ତି ହୋଇଯାଇଥିବା ବେଳେ ସଂପୃକ୍ତ ମହିଳା ଜଣଙ୍କ ପିନ୍ଧି ଥିବା ସିନ୍ଥେଟିକ ଶାଢୀରେ ନିଆଁ ଲାଗି ଯିବାରୁ ସେ ବସ ବାହାରକୁ ଆଉ ବାହାରି ପାରିନଥିଲେ । ଫଳରେ ବସ ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କେତେକ ଯାତ୍ରୀଙ୍କୁ ସୋରୋ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବା ବେଳେ ସେହି ବସ ମଧ୍ୟରେ ଥିବା କେନ୍ଦ୍ରାପଡା ଜିଲ୍ଲାର ୧୬ଜଣ ଯାତ୍ରୀଙ୍କୁ ଏକ ସ୍ୱତନ୍ତ୍ର ବସ ଯୋଗେ ସେଠିକାର ଜିଲ୍ଲା ପ୍ରଶାସନ କେନ୍ଦ୍ରାପଡାକୁ ପଠାଇ ଦେଇଥିଲା । ସେହି ଯାତ୍ରୀମାନେ କେନ୍ଦ୍ରାପଡାରେ ପହଞ୍ଚିବା ପରେ ସେମାନଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଏକ ସ୍ୱତନ୍ତ୍ର ଗାଡି ଯୋଗେ ସେହି ଯାତ୍ରୀମାନଙ୍କୁ ସେମାନଙ୍କ ଘର ମହାକାଳପଡା ବ୍ଲକ ଅନ୍ତର୍ଗତ ଜମ୍ବୁ, ବଉଳକଣୀ, ପେଟଛେଲା. କଂସାର ବଡଦାଣ୍ଡୁଆ, ହରୋଦିଆ, ମନୋପାଟଣା, ରାମଚଣ୍ଡି, ମାର୍ଶାଘାଇ ଥାନାର ଖମାର, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନିଳାଦ୍ରିପୁର ପ୍ରଭୃତି ଅଞ୍ଚଳକୁ ପଠାଇ ଦିଆଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଡେରାବିଶ ତହସିଲଦାର ପ୍ରଜ୍ଞା ପରମିତା ପୃଷ୍ଟି, କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର କୁମାର ମଲ୍ଲିକ ଏବଂ ଟାଉନ ଥାନାର ଭାରପ୍ରାପ୍ତ ଆଇ.ଆଇ.ସି. ସରୋଜ ସାହୁ ପ୍ରମୁଖ ଡାକ୍ତରଖାନାରେ ପହଞ୍ଚି ସେହି ଯାତ୍ରୀମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଇବା ସହିତ ସେମାନଙ୍କୁ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଦେବା ପରେ ସେହି ୧୬ଜଣ ଯାତ୍ରୀଙ୍କୁ ୩ଟି ସ୍ୱତନ୍ତ୍ର ଗାଡି ଯୋଗେ ସେମାନଙ୍କ ଘରକୁ ପଠାଇ ଦେଇଥିଲେ । ମୃତ ମହିଳା ଜଣଙ୍କ ହେଉଛି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନିଳାଦ୍ରୀପୁର ଗ୍ରାମର ଚୈାଧୁରୀ ରାଜେନ୍ଦ୍ର ଦାସଙ୍କ ପତ୍ନୀ ପୁଷ୍ପାଞ୍ଜଳି ଦାସ ।


