କଳାଧନ ହ୍ରାସ ପାଇଛି
ନୂଆଦିଲ୍ଲୀ: ବିମୁଦ୍ରୀକରଣର ତିନିଟି ପ୍ରମୁଖ ଲକ୍ଷ୍ୟ ଥିଲା। ତାହା ହେଉଛି କଳାଧନ ଓ ଜାଲ୍ ନୋଟ୍ ବିରୋଧରେ ଲଢ଼େଇ ଓ ନଗଦ ରାଶିର ବ୍ୟବହାର କମ୍ କରି ଏକ ନଗଦବିହୀନ ଡିଜିଟାଲ୍ ଅର୍ଥନୀତି ସୃଷ୍ଟି କରିବା। ବିଗତ ଚାରି ବର୍ଷରେ ସେଥିରୁ କ’ଣ ହାସଲ ହୋଇଛି ତାହାକୁ ନେଇ ଆମର ଏହି ଉପସ୍ଥାପନା । ଏହା ଥିଲା ବିମୁଦ୍ରୀକରଣର ପ୍ରମୁଖ ଉଦ୍ଦେଶ୍ୟ। ଯେଉଁ ନଗଦ ରାଶିର କୌଣସି ନିର୍ଦିଷ୍ଟ ଉତ୍ସ ନାହିଁ ତାହା ବ୍ୟାଙ୍କକୁ ଫେରିବ ନାହିଁ। ସେଗୁଡ଼ିକୁ କଳାଧନ ଭାବେ ବିଚାର କରାଯିବ ବୋଲି ସରକାର ଭାବିଥିଲେ। ଭାରତୀୟ ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁସାରେ ବିମୁଦ୍ରୀକରଣ ସମୟରେ ୧୫.୩୧ ଲକ୍ଷ କୋଟି ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଥିଲା। ସେଥି ମଧ୍ୟରୁ ୧୫.୩୧ ଲକ୍ଷ କୋଟି ଟଙ୍କା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଫେରିଆସିଛି। ବିମୁଦ୍ରୀକରଣ ଯୋଗୁଁ ୩-୪ ଲକ୍ଷ କୋଟି ଟଙ୍କାର କଳାଧନ ବାହାରିବ ବୋଲି ସରକାର ଭାବିଥିଲେ। କିନ୍ତୁ ବାସ୍ତବ ସତ୍ୟ ତାହାର ପାଖାପାଖି ମଧ୍ୟ ପହଞ୍ଚିନାହିଁ। ଏଥିରୁ ଏହା ବୁଝିବାକୁ ହେବ ଯେ ହୁଏତ ଲୋକମାନେ ଚତୁରତାର ସହିତ ନିଜର କଳାଟଙ୍କାକୁ ଧଳା କରିବାରେ ସଫଳ ହୋଇଛନ୍ତି। ଅନ୍ୟଥା ଲୋକମାନଙ୍କ ପାଖରେ କଳାଟଙ୍କା ନଥିଲା। ଏହି ଦୁଇଟି ବିଷୟ ମଧ୍ୟରୁ ଯେକୌଣସି ଗୋଟିଏ ସତ ବୋଲି କୁହାଯାଇପାରିବ। ବିମୁଦ୍ରୀକରଣର ତୃତୀୟ ଲକ୍ଷ୍ୟ ଥିଲା ନଗଦ ରାଶିର ବ୍ୟବହାର କମ୍ କରି ଡିଜିଟାଲ୍ କାରବାର ବଢ଼ାଇବା ଏବଂ ଏକ ନଗଦବିହୀନ ଅର୍ଥନୀତି ସୃଷ୍ଟି କରିବା। ବିମୁଦ୍ରୀକରଣ ପରବର୍ତୀ ବର୍ଷଗୁଡ଼ିକରେ ନଗଦ ରାଶିର ବ୍ୟବହାର କମିନଥିଲା। ୨୦୧୬ରେ ଦେଶରେ ୧୬.୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ନଗଦ ରାଶି ପ୍ରଚଳନରେ ଥିଲା। ୨୦୨୦ ମାର୍ଚ୍ଚ ସୁଦ୍ଧା ସେହି ସଂଖ୍ୟା ୨୪.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ୨୦୧୬ରେ ବଜାରରେ ୯ ଲକ୍ଷ ଖଣ୍ଡ ନଗଦ ନୋଟ୍ ପ୍ରଚଳନରେ ଥିବା ବେଳେ ୨୦୨୦ରେ ସେହି ସଂଖ୍ୟା ବୃଦ୍ଧି ପାଇ ୧୧.୬ ଲକ୍ଷ ଖଣ୍ଡରେ ପହଞ୍ଚିଛି। ଡିଜିଟାଲ୍ କାରବରେ ଅବଶ୍ୟ ଏହି ସମୟରେ ବୃଦ୍ଧି ଘଟିଛି। କିନ୍ତୁ କରୋନା ମହାମାରୀ ପରେ ତାହା ଅଧିକ ତ୍ବରାନ୍ବିତ ହୋଇଛି। ୨୦୧୭-୧୮ରେ ୟୁପିଆଇ ପେମେଣ୍ଟ୍ ପରିମାଣ ୯୧.୫୨ କୋଟି ଟଙ୍କା ଥିଲା। ୨୦୧୯-୨୦ରେ ତାହା ୧୨୫୧.୮୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ସବୁ ପ୍ରକାର ଡିଜିଟାଲ୍ କାରବାର ମଧ୍ୟ ୟୁପିଆଇ ଆଗରେ ରହିଛି। ୨୦୧୬ରେ ୭୦,୪୬୬ ଥର ଡିଜିଟାଲ୍ କାରବାର ହୋଇଥିଲା। ୨୦୨୦ରେ ସେହି ସଂଖ୍ୟା ବହୁଗୁଣିତ ହୋଇ ୩.୪ ଲକ୍ଷରେ ପହଞ୍ଚିଛି।


