କଳାପକ୍ଷୀ
ମାଛ କିଣିବାକୁ ଜେଜେଙ୍କ ସଙ୍ଗେ ନାତି ବାହାରିଥିଲା, ଛାଡିଦେଉନଥିଲା ଜେଜେଙ୍କୁ . ଛୋଟ ପିଲାଟା. ଚାଲି ଶିଖିନି କିନ୍ତୁ ବୁଲିବାରେ ଖୁବ ଆଗ୍ରହ. ଏବେ ଜେଜେଙ୍କର ମଧ୍ୟ ଶ୍ୱାସ ରୋଗ ତ ସେ ନାତିକୁ କାଖକରି ନେଇପାରିବେନି ତ ଜେଜେମା ଗଲେ ସାଙ୍ଗରେ. ଏଡ଼େ ବଡ଼ ସହରକୁ ଦୁଇପଟେ ଯିବା ଆସିବା ଲାଗି ରହିଛି. ନାତି ବାବା ଗାଡି ଦେଖି ଭାରି ଖୁସି. ବଡ଼ ଗାଡିର ହର୍ଣ୍ଣ ଶୁଣି ବାବା ଚମକି ପଡୁଥାଏ ତ ଜେଜେମା ତାକୁ ଆଉଁସିକି କହୁଥାନ୍ତି ଡର ନାହିଁ ବାବା ଏଟା ପା ଗାଡି.. ଯାଉଛି ଗଡି ଗଡି. ଠିକ ସେତିକି ବେଳେ ଜେଜେ କିଣୁଥାଆନ୍ତି ଭାକୁର ମାଛ ଓ ଗଛ ଉପରେ କାଉ କରୁଥାଏ କା କା. ବାବାର ନଜର ଏବେ କାଉ ଡାକରେ. ପୁଣି ରାସ୍ତାରେ କସରା ରଙ୍ଗ ଥିବା କୁକୁରଟିକୁ ଦେଖି କହୁଥାଏ ଭୁ ଭୁ. ଜେଜେ ଆଗେ ଆଗେ ଚାଲୁଥିଲେ ମାଛ ପଲିଥିନ ଧରି ଓ ପଛେ ପଛେ ଜେଜେମାଙ୍କ କାଖରେ ବାବା ଓ ତା ପଛେ ପଛେ କୁକୁରଟିକୁ ଚାହିଁ ଚାହିଁ ବାବା ଡାକୁଥାଏ ଆ ଆ. ଜେଜେ ବୁଲି ଚାହିଁଲେ. ବାବାର କୁକୁର ପ୍ରତି ଆକର୍ଷଣ ଓ କୁକୁରଟି ଅନୁସରଣ କରି ପଛେ ପଛେ ଆସୁଥିବା ଦୃଶ୍ୟରେ ବିମୋହିତ ହୋଇ କୁକୁରକୁ ଅଣଆଡ଼ିଆ କରି ମାଛ ଖଣ୍ଡେ ଦେଲେ ଜେଜେ ଖାଇବାକୁ ତ କୁନି ନାତି ଭାରି ଖୁସି ହୋଇଗଲା ଦାରୋଟି ଭାଷାରେ କହୁଥିଲା ଆ ଆ..ଖା ଖା. ବାବା ଏମିତି କହିଲାବେଳକୁ ଗଛ ଉପରେ ଥିବା କାଉଟି ଉଡିଆସିଲା କ୍ଷିପ୍ର ଗତିରେ ଆଉ ଝାମ୍ପି ନେଲା କୁକୁର ମୁହଁରୁ ମାଛ ଖଣ୍ଡକ ଆଉ ଉଡ଼ିଗଲା ଖାଦ୍ୟ ଧରି ଗଛ ଉପରକୁ. ବାବା ସେସବୁ ଲକ୍ଷ କରି କାନ୍ଦିଉଠିଲା. ଛୋଟ ପିଲା ହେଲେ ମଧ୍ୟ ସେ ବୁଝିସାରିଥିଲା କାହାର ଖାଦ୍ୟ କେହି ଖାଇବା ଉଚିତ ନୁହେଁ. ଜେଜେ ବୁଝିପାରିଲେ ବାବାର ମନୋଭାବ. ଆଉ ଖଣ୍ଡେ ମାଛ ଦେଇ କୁକୁରକୁ ଚାଲିଆସିଲେ ସମସ୍ତେ ରାସ୍ତା ଏପାଖକୁ. ବାବା ବୁଲି ବୁଲି କୁକୁରକୁ ଦେଖି କହୁଥାଏ ଖା ଖା. ଗାଈଟିଏ ଆସି ପହଁଞ୍ଚି ଯାଇଥିଲା ତ ବାବାର ଦୃଷ୍ଟି ଏଣିକି ଗାଈ ଉପରେ ଥିଲା. ଯା ହେଉ ଛୋଟ ଛୁଆଟା ଭୁଲିଗଲା ଭାବି ଜେଜେମା ଗାଈକୁ ଦେଖେଇ କହିଲେ ଦେଖ ବାବା ହମା. ବାବା ଦେଖୁଥିଲା କିନ୍ତୁ ଘରେ ପହଁଞ୍ଚି, ଗାଧୁଆ ପାଧୁଆ ସାରି ଯେବେ ବୋହୂ ପୁଅ ବାବାକୁ ପେଟିମାଛ ଖଣ୍ଡେ ଭାଜି ଖୁଆଉଥିଲା ସେ ମାଆକୁ ତାର କହୁଥିଲା ଭୋ ମାନେ କୁକୁର ଖା ଖା.. କା କା କହି ଦେଖାଇ ଦେଉଥିଲା ଝରକା ଫାଙ୍କରୁ ଦେଖାଯାଉଥିବା କାଉକୁ. ବୋହୂ ସିନା ବୁଝିପାରିଲାନି କିନ୍ତୁ ବାବାର ଜେଜେମାଙ୍କୁ ପଚାରୁ ଥିଲା ବାବା ବଜାରରେ କୁକୁର ଓ କାଉ ଦେଖିଥିଲା କି ମାଛ କିଣିଲା ବେଳେ? ଜେଜେ ସବୁକଥା ବର୍ଣ୍ଣନା କଲାବେଳେ ଜେଜେମା କହୁଥିଲେ କାଲ ଠାର କାଲମାଆ ଜାଣେ. ବାବା କିଛି ବୁଝିଲା କି ନାହିଁ କହୁଥିଲା ଭୋ ଖା ଖା.. କା ଯା ଯା. ଜେଜେ କହୁଥିଲେ ଖନା କେବେ କଥା କହିବୁ ତ ଜେଜେମା କହୁଥିଲେ ଏ ସନ ବାହୁଡା଼ ଆସିବା ପୂର୍ବରୁ ମୋ ବାବା ଧନ ନିଶ୍ଚୟ କଥା କହିଥିବ.
ସତକୁ ସତ ରଥଯାତ୍ରା ସମୟ ଆସିଗଲା. ପୁଅ, ବୋହୂ, ଜେଜେ ଓ ଜେଜେମା ବାବାକୁ ନେଇ ରଥଯାତ୍ରା ଦେଖିବାକୁ ନଗଲେ ମଧ୍ୟ ରଥ ଦେଖିବାକୁ ଯାଇଥାଆନ୍ତି. ସେତେବେଳକୁ ହେରାପଞ୍ଚମୀ ସରି, ତିନିରଥ ଦକ୍ଷିଣ ମୋଡ଼ ନେଇସାରିଥାନ୍ତି ଓ ନବମୀ ଦର୍ଶନ ଥାଏ. ପୁଅ ବୋହୂ ନାତିକୁ ନେଇ ସେ ଗହଳିରେ ଜଗନ୍ନାଥଙ୍କୁ ଆଡପ ଦର୍ଶନ କରିବାକୁ ଭାଗ୍ୟରେନାହିଁ ବୋଲି ଭାବିଲା ବେଳକୁ ଜଣେ ନନା ବାହାରି ଆସି କହିଲେ ସୁବିଧାରେ ଦର୍ଶନ କରାଇ ଦେବେ ତ ସମସ୍ତେ ଚାଲିଲେ ତାଙ୍କ ପଛେ ପଛେ. ଜଗତର ନାଥ ଜଗନ୍ନାଥ, ବଡଠାକୁର, ମାଆ ସୁଭଦ୍ରାଙ୍କୁ ଦେଖୁ ଦେଖୁ ଭାବ ବିହ୍ଵଳ ହୋଇ ସମସ୍ତେ ଦର୍ଶନ କରୁଥାନ୍ତି ତ ବାବା ମଧ୍ୟ ଖୁସିରେ ଦୁଇହାତ ଉପରକୁ କରି କହୁଥାଏ ଜୟ ପ୍ରଭୁ. ଦର୍ଶନ କରି ବାହାରକୁ ଆସିଲା ବେଳକୁ ବାବା ନାହିଁ. ପରସ୍ପର ପରସ୍ପରକୁ ଦୋଷ ଦେବା ଭିତରେ ବୋହୂ ଦଉଡି ଯାଉଥିଲା କେବେ କୁକୁରମାନେ ଶୋଇଥିବା ପାଖକୁ ତ କେବେ ଗୁଣ୍ଡିଚା ମନ୍ଦିର ପ୍ରାଚୀର ଉପରେ ବସିଥିବା କାଉମାନଙ୍କ ପାଖକୁ କାରଣ ସେ ଜାଣିଥିଲା ବାବା ପଲ୍ଲିଶ୍ରୀ ମେଳାରୁ ନିଜ ପାଇଁ କିଛି କିଣିବା ବେଳେ କାଉ ଓ କୁକୁରଙ୍କୁ ଦେବାକୁ ବିସ୍କୁଟ କିଣି ରଖିଥିଲା. ହେଲେ ବାବା ମିଳିନଥିଲା. ହେ ଚକାନୟନ, ଅଗତିର ଗତି, ହେ ପ୍ରଭୁ କହି କାନ୍ଦି କାନ୍ଦି ଗୁଣ୍ଡିଚା ମନ୍ଦିର ବାହାରକୁ ଆସିବା ବେଳକୁ ସେହି ନନା ପୁଅ ବାବାକୁ ଧରି ଅପେକ୍ଷା କରିଥିଲେ. ପୁଅ ବାବାକୁ କୋଳ କରି ତା ଦେହ ଝାଡ଼ିଝୁଡି ଦେଇ ଏ କୋଳରୁ ସେ କୋଳ କଲାବେଳେ ନନାଙ୍କୁ ଧନ୍ୟବାଦ କଣ ତାଙ୍କ ପାଦ ତଳେ ଲୋଟି ପଡିବାକୁ ଯାଇ ଯେତେ ଖୋଜିଲେ ମଧ୍ୟ ସେ କୋଉଠି ନଥିଲେ. ଜେଜେ, ଜେଜେମା, ବାବାର ପାପା ଯେତେ ଯୁଆଡେ ଖୋଜିଲେ ମଧ୍ୟ ନନା ଉଭାନ ହୋଇଯାଇଥିଲେ. ସମସ୍ତେ ବ୍ୟସ୍ତ ବିବ୍ରତ ହୋଇ ନପାଇ ଶୁନ୍ୟକୁ ଚାହିଁଥିବା ବେଳେ ବାବା ବୋହୁ କୋଳରେ ଥାଇ କହୁଥିଲା ଜୟ ଜଗନ୍ନାଥ. ବୋହୂ କହୁଥିଲା ନନା ରୂପରେ ଆମକୁ ଦର୍ଶନ କରାଇ, ପୁଅକୁ ଗହଳିରୁ ଉଦ୍ଧାର କରି ଜଗନ୍ନାଥ ସ୍ୱୟଂ ନିଜେ ନିଜକୁ ପ୍ରମାଣିତ କରିଦେଲେ ଯେ ସେ ଭକ୍ତର ବନ୍ଧୁ ଦୀନବନ୍ଧୁ. ତୁ ଏତେ କଥା ଜାଣି ବୁଝି ପାରିଲୁ ଆମେ ମୂର୍ଖ ବୁଝିପାରୁନୁ କହି ଜେଜେମା ହେ ପ୍ରଭୁ କହି ମୁଣ୍ଡିଆ ପରେ ମୁଣ୍ଡିଆ ମାରି ଚାଲିଲା ବେଳେ କୁନି ପୁଅ ବାବା କହୁଥିଲା ଜୟ ଜଗନ୍ନାଥ ଜୟ ଜଗନ୍ନାଥ.
ପୁଅ ବୋହୂ ଓ ନାତି ବାବା ଏବେ ଦିଲ୍ଲୀରେ. ସ୍କୁଲ ଗଲାଣି ବାବା. ଓଡ଼ିଆ ସହ ଅନ୍ୟ ଭାଷା ଶିଖିଲାଣି. ଫୋନ କଲେ ଓଡ଼ିଆ କହିବା ସହ ହିନ୍ଦି, ଇଂରାଜି, ତେଲୁଗୁ, ତାମିଲ କହେ ପଦେ ପଦେ ତ ଜେଜେ କହିବୁଲନ୍ତି ମୋ ନାତି କେତେ ଭାଷା ଶିଖିଲାଣି. ମୋ ଓଡ଼ିଆ ଇଂରାଜି ଲେଖାଗୁଡିକ ସେ ବଡ଼ ହେଲେ ବଂଗାଳି ତାମିଲ, ତେଲୁଗୁ, ହିନ୍ଦି ଭାଷାରେ ପ୍ରକାଶିତ କରିବ. ଜେଜେମା କିନ୍ତୁ ପ୍ରତିଦିନ ରୁଟି ଦିଅନ୍ତି କୁକୁରକୁ ତ କାଳିଆ କସରା ହୋଇ ଚାରିଟା କି ପାଞ୍ଚଟା ସରିକି କୁକୁର ଦୁଆରେ ଶୋଇରହିଥାଆନ୍ତି,କେବେ ରୁଟି, ବିସ୍କୁଟ, ଭାତମାଛ ଖାଇ ଘର ଜଗିଥାଆନ୍ତି.ପାଣି ମଧ୍ୟ ଥୁଆ ହୋଇଥାଏ ବାଲଟିଏ ତାଙ୍କ ପାଇଁ. ଖାଲି କଣ ସେତିକି? ବାବା ପିଲାଦିନେ କୁକୁର, ଗାଈ, ଛେଳିଙ୍କୁ ଭଲ ପାଉଥିବାରୁ ଗାଈ ଗୋରୁଙ୍କ ପାଇଁ ଗୋଟେ ପଥର କୁଣ୍ଡ ଥୁଆ ହୋଇଥାଏ ଦାଣ୍ଡ ଦୁଆର ଆଗକୁ. ରୋଷେଇରୁ ବାହାରୁଥିବା ପେଜ, ତୋରାଣୀ, ନେଳିପରିବା ଚୋପା ସବୁ ସହିତ ଆମ୍ବ, ପଣସ, ତାଳ ଇତ୍ୟାଦି ପକାଯାଏ କୁଣ୍ଡରେ ଓ ଛାତ ଉପରେ ଠାଆକୁ ଠାଆ ପାଣି ଓ ଖୁଦ ରଖାଯାଏ ପକ୍ଷୀ ମାନଙ୍କ ପାଇଁ. ଜାତି ଜାତି ପକ୍ଷୀ ଯଥା କାଉ, ବଣି, ପାରା, କଜ୍ଜଳପାତି, ଘରଚଟିଆମାନେ ଆସି ଚାଉଳ, ଖୁଦ ଇତ୍ୟାଦି ଖାଇ ପାଣି ପିଇ ଉଡିଯିବାର ଦୃଶ୍ୟ ଦେଖି ଜେଜେମାଙ୍କର ପେଟ ପୁରିଯାଏ. ଫୋନ କରି ନାତି ବାବାକୁ ସବୁ କୁହନ୍ତି ଜେଜେମା ତ ସେ କହୁଥାଏ ଜେଜେମା ଏଠି ବହୁତ ପାରା. ପ୍ରତିବର୍ଷ ତିନିଥର ଲେଖାଏଁ ପାରା ଅଣ୍ଡା ଦେଇ ଛୁଆ ଫୁଟାଏ. ବାପା ତାଙ୍କ ପାଇଁ ଝୁଲା ଘର କରିଦେଇଛନ୍ତି ତଥାପି ଓଲା ପାରା ଦୁଇଟି କେବେ ଦୁଇଟି ଯାକ ଅଣ୍ଡା ଫୁଟାନ୍ତି ତ କେବେ ଗୋଟିଏ ଅଣ୍ଡା ଫୁଟାଇ ଅନ୍ୟଟିକୁ ଭାଙ୍ଗି ଦେଇଥାନ୍ତି ତ ମାମା ସଫା କରେ. ଆଉ କେବେ କେବେ ଗୋଟିଏ ଛୁଆକୁ ଉଡେଇ ନେଇ ଚାଲିଯାଆନ୍ତି ଯେ ଅନ୍ୟ ଛୁଆଟି ଏକୁଟିଆ ସଂଘର୍ଷ କରୁଥାଏ ଏକା ଏକା. ମାଆ ବାପା ଓ ମୁଁ ତାର ସେବା କରୁଥାଉ କିଛି ଦିନ. ନାତି କଥା ଶୁଣି ଜେଜେମା ଭାବନ୍ତି କେବେ ଦିଲ୍ଲୀ ଗଲେ ସେ ପାରାଙ୍କୁ ଦେଖିବେ. ଏଠି ଘର ଛାତ ଉପରେ ଦେଖୁଥାନ୍ତି କାଉକୁ ଯିଏ ନିହାତି ସବୁଦିନ ଆସି ଚାଉଳ ଖାଏ ଓ ପାଣି ପିଇ ଉଡିଯାଏ ଆକାଶକୁ. ନାତିର ପିଲାଦିନ କଥା ମନେପକେଇ ଜେଜେ ଜେଜେମା ପଶୁ ପକ୍ଷୀ ସେବା କରୁ କରୁ ନାତି ବାବା ପୁଅ ବୋହୂଙ୍କ ସଙ୍ଗେ ଏବର୍ଷ ଦୀପାବଳୀକୁ ଆସିଥାଆନ୍ତି ଘରକୁ ତ ଜେଜେ ଜେଜେମାଙ୍କ ଗୋଡ଼ ତଳେ ଲାଗୁନଥାଏ.
ଜେଜେମାଆ ଓ ଜେଜେଙ୍କ ପଶୁ ଓ ପକ୍ଷୀ ପ୍ରେମ ଦେଖି ବାବା ବହୁତ ଖୁସି ହୋଇ ହିନ୍ଦି, ଇଂରାଜି, ତେଲଗୁ ଓ ତାମିଲ ତଥା ବଙ୍ଗଳାରେ ଜେଜେବାପା ଓ ଜେଜେମାଆଙ୍କ ବିଷୟରେ ରଚନା ଲେଖୁଥାଏ. ଏତିକିବେଳେ ଜେଜେ, ଜେଜେମା, ବାପା ଓ ମାଆ ଛାତ ଉପରେ ଦୀପାବଳୀ ପାଇଁ ଲିଚୁ ଲାଇଟ ଓ ଅନ୍ୟାନ୍ୟ ସାଜସଜ୍ଜା ତଦାରଖ କରିବାକୁ ଛାତ ଉପରେ ଥାଆନ୍ତି. ରଚନା ଲେଖା ସାରି ବାବା ମଧ୍ୟ ଉପରକୁ ଗଲା. ସେଠି କାଉ କାହାକୁ ଡ଼ରୁନଥିଲା. ନିର୍ଭୟରେ ପାଣି ପିଇ, ଚାଉଳ ଖାଇ ଉଡ଼ିଗଲା ଆକାଶକୁ. ବାଦୁଡ଼ିମାନେ ଉଡି ଉଡି ଏମିତି ଶବ୍ଦ କରୁଥିଲେ ଜେଜେ ଓ ଜେଜେମା କହୁଥିଲେ ଦେଖିଲୁ ଦେଖିଲୁ ବାବା ଶୁଆପରି ବୋବାଳି କରୁଛି କେମିତି ବାଦୁଡ଼ି. ତମେ ଏ ଭିତରେ କେତେ ବଡ଼ ପକ୍ଷୀ ବିଷାରଦ ବନି ଯାଇଛ ଜେଜେମା! ତମେ ଜେଜେଙ୍କୁ ନେଇକି ଦିଲ୍ଲୀ ଚାଲିଆସ ଯେ ସେଠାରେ ଶୁଆ ଦେଖି ଦେଖି ଖୁସି ହେବ ଓ ଆମ ଘର ବୋକା ପାରା ବାପା ମାଆ ପକ୍ଷୀଙ୍କୁ ଚାଲାକ କରାଇବ. ଏତିକି ବେଳେ ପାଣି ପିଇ ଉଡିଯାଉଥିବା କାଉଙ୍କୁ ଘଉଡ଼େଇ କଜ୍ଵଳପାତି ବୋବାଉଥାଏ ତ ତା ସ୍ୱରର ଭାଷାକୁ ରୁପାନ୍ତରୀଣ କରି ଉତ୍ତର କହୁଥିଲା ବାବା ହଁ ହଁ ଆମେ ଭଲଅଛୁ. ଜେଜେମା କହିଲେ କୋଉ ଭାଷାରେ ରୁପାନ୍ତର କଲୁକି କଜ୍ଜଳପାତି ଛଢେଇର ବୋବାଳିକୁ ?? ବାବା କହୁଥିଲା ସେ କହୁଛି ବଂଗାଳି ଭାଷାରେ “କେମଛୁ”?ଅର୍ଥାତ କେମିତି ଅଛ? ଜେଜେମା କହୁଥିଲେ କି ପ୍ରେମ ମ ତାର? ହସି ହସି ଗଡି ଯାଉଥିଲା ବାବା.ବାବା ଯେବେ ପଚାରୁଥିଲା ତୁମେ କାଉକୁ ଏତେ କାହିଁ ଭଲପାଅ ଜେଜେମା, ତ ଜେଜେମା କହିଥିଲେ ଆରେ ନାତିଆ ଜଗନ୍ନାଥ ପରା କଳାପକ୍ଷୀ,ଠିକ ସେହି କାଉ ପରି.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ