“କଳାପାହାଡ଼” ଭୂମିକାରେ ଅଭିନେତା ଚନ୍ଦନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବର୍ତ୍ତମାନ ସମୟରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି ଓ ଅନେକ ସିନେମା ହଲଗୁଡ଼ିକ ବନ୍ଦ ହେବାକୁ ଲାଗିଲାଣି । ଚଳଚ୍ଚିତ୍ର ଜଗତକୁ ପୂର୍ବଭଳି ଉଜ୍ଜିବୀତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଅଭିନେତା ଚନ୍ଦନ କର । ଚିରାଚରିତ ଲଭ, ରୋମାଞ୍ଚ ଭଳି ସିନେମାଠୁ ଦୂରେଇ ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ନେଇ ଚଳଚ୍ଚିତ୍ର କରିବାକୁ ସେ ଉଦ୍ୟମ ଜାରି ରଖିଛନ୍ତି । କିଛିଦିନ ପୂର୍ବରୁ ଓଡ଼ିଶାର ପ୍ରଥମ ସହିଦ ଜୟୀ ରାଜଗୁରୁଙ୍କ ଜୀବନକାହାଣୀକୁ ନେଇ ମହର୍ଷି ଶୀର୍ଷକ ଏକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଯାହା ମୁକ୍ତିଲାଭ ଅପେକ୍ଷାରେ ଅଛି ଓ ଏହା ଜନମାନସରେ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଆସ୍ଥାପ୍ରକଟ କରିବ ବୋଲି ଆଶା କରାଯାଉଛି । ଆଉ ଏବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଇତିହାସ ସୃଷ୍ଟି କଲାଭଳି ଚଳଚ୍ଚିତ୍ର ‘କଳା ପାହାଡ଼’ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ଅଭିନେତା ଚନ୍ଦନ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳବେ । ଯାହାର ପୋଷ୍ଟର ଓ ମୋସନ ପିକଚ୍ର ଭୁବନେଶ୍ୱରସ୍ଥିତ ଗୀତଗୋବନ୍ଦ ସଦନରେ ଲୋକାର୍ପିତ ହୋଇଯାଇଛି । ଏଥିରେ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଦିଲ୍ଲୀପ ଶ୍ରୀଚନ୍ଦନ, ବରିଷ୍ଠ ଅଭିନେତ୍ରୀ ପ୍ରତିଭା ପଣ୍ଡା, ବରିଷ୍ଠ ସ୍ତମ୍ଭକାର ଅମିୟ ପାଣ୍ଡବ ଓ ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ସଭାପତି ଶକ୍ତି ପ୍ରକାଶ ପତି ପ୍ରମୁଖ ଯୋଗ ଦେଇ ଅଭିନେତା ଚନ୍ଦନ କରଙ୍କ ଏହି ନୂତନ ପ୍ରୟାସକୁ ପ୍ରଶଂସା କରିଥିଲେ ।