ଏସ୍‌.ସି ତାଲିକାରୁ ବାଦ୍ ଦିଆଯାଉ…

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ବାର୍ଷିକ ସମ୍ମିଳନୀ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଅସ୍ପୃଶ୍ୟତା, ଅନଗ୍ରସରତା ଓ ତାଡ଼ନାର ଶିକାର ହେଉଥିବା ରାଜ୍ୟର ଏସ୍‌.ସି., ଏସ୍‌.ଟି.ମାନଙ୍କୁ ଦେଶର ମହାସ୍ରୋତରେ ସାମିଲ୍ କରିବା ନିମିତ୍ତ ସମ୍ବିଧାନରେ ସଂରକ୍ଷଣର ବ୍ୟବସ୍ଥା କରାଯାଇଅଛି । କିନ୍ତୁ ଦୁଃଖର ବିଷୟ, ଓଡ଼ିଶାରେ ଏମାନଙ୍କ ପାଇଁ ସଂଖ୍ୟାନୁପାତିକ ୪୦ଭାଗ ସଂରକ୍ଷଣ ଥିଲେ ମଧ୍ୟ ତାହା ପ୍ରଶାସନର ଚକ୍ରାନ୍ତ ଦ୍ୱାରା ସିଂହଭାଗ ହଡ଼ପ ହୋଇଯାଉଅଛି । ପ୍ରକୃତରେ ଦେଖାଗଲେ ଆମେ ୪୦ ଭାଗରୁ ମାତ୍ର ୪ ଭାଗ ପାଖାପାଖି ସଂରକ୍ଷଣ ପାଇଛୁ । ଏହାର ଉଦାହରଣ ହେଉଛି କେଉଟ, କୈବର୍ତ୍ତ, ଧୀବର ଆଦି ସବର୍ଣ୍ଣ ଜାତି । ଏମାନେ ଚୋରାରେ ସଂରକ୍ଷଣକୁ ହଡ଼ପ କରୁଥିଲେ, ପରେ ଚକ୍ରାନ୍ତ କରି ସରକାରଙ୍କ ସହଯୋଗରେ ପଛଦ୍ୱାର ଦେଇ ଏସ୍‌.ସି. ତାଲିକାକୁ ୨୦୦୨ ଡ଼ିସେମ୍ବରରେ ପଶି ଆସିଛନ୍ତି । ଦୀର୍ଘଦିନ ଧରି ସେମାନଙ୍କୁ ବିରୋଧ କରାଯାଉଥିଲେ ମଧ୍ୟ ସରକାର ତାଙ୍କୁ ଏସ୍‌.ସି ତାଲିକାରୁ ବାଦ ଦେଉନାହାଁନ୍ତି । ବରଂ ତାଙ୍କୁ ସାଦୃଶ କରି ରାଢି, ନିଆରି, ଘଣି ଆଦି ସାତଟି ଜାତିକୁ ଏସ୍‌.ସି ତାଲିକାରେ ସ୍ଥାନ ଦେବାଲାଗି ସୁପାରିଶ କରିଛନ୍ତି । ଏହା ଏକ ବେପାରରେ ପରିଣତ ହୋଇଗଲାଣି । ଆହୁରି ତେଲି, ତନ୍ତୀ, ଭଣ୍ଡାରୀ, ବାରିକ, ଗୁଡ଼ିଆ, କମାର, କୁମ୍ଭାର, ରଙ୍ଗଣୀ ଇତ୍ୟାଦି ବହୁ ସବର୍ଣ୍ଣ ଜାତି ଅର୍ଥ ବ୍ୟୟ କରି ଓଡ଼ିଶାର ଏସ୍‌.ସି ତାଲିକାରେ ପଶିବା ପାଇଁ ଚକ୍ରାନ୍ତ ଚାଲିଛି । ସେହିପରି ମାହାନ୍ତ ଓ ମେହେର ଆଦି ସବର୍ଣ୍ଣ ଜାତିମାନେ ଏସ୍‌.ଟି ତାଲିକାରେ ସ୍ଥାନିତ ହେବା ନିମିତ୍ତ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ପରିତାପର ବିଷୟ ସମାଜର ତଳସ୍ତରରେ ଥିବା ମେହେନ୍ତର, ଝୁରିଆ ଓ ଦଳିତ ବୈଷ୍ଣବ ଜାତିମାନେ ଏହି ତାଲିକାରେ ସ୍ଥାନ ପାଇପାରୁ ନାହାଁନ୍ତି । ସେହିପରି ଆଦିମ ଯୁଗରୁ ସଅର, ସଉରା, ସବର ଜାତିକୁ ମଧ୍ୟ ଏସ୍‌.ଟି ତାଲିକାରେ ସ୍ଥାନିତ କରାଯାଉ ନାହିଁ । ଏଣୁ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ସହ ଅନୁବନ୍ଧିତ ସର୍ବଭାରତୀୟ ଅନୁସୂଚିତ ଜାତି ଜନଜାତି ସଂଘମାନଙ୍କର ପରିଷଦ, ନାଗରିକ ଏକତା ପରିଷଦ, ଦଳିତ ଆଦିବାସୀ ସୁରକ୍ଷା ମଞ୍ଚ, ସାମାଜିକ ନ୍ୟାୟ ପରିଷଦ, ଦାଣ୍ଡିମାଳ ସେବକ ସଂଘ, ନୀଳମାଧବ ଶବର ସଂଘ, ଉତ୍କଳ ରଜକ ମହାସଂଘ, ରାଷ୍ଟ୍ରୀୟ ଦଳିତ ମହାସଭା, ଅଲ୍ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦ, କାଳନ୍ଦୀ ସମାଜ, ପାସି ସମାଜ, ବାଲ୍ମିକୀ ସମାଜ, ଭେଇ ସମାଜମାନଙ୍କ ତରଫରୁ ଏହି କେଉଟ, କୈବର୍ତ୍ତ, ଧୀବର ଜାତିଙ୍କୁ ତୁରନ୍ତ ଏସ୍‌.ସି. ତାଲିକାରୁ ହଟାଯିବା ଏବଂ ସୁପାରିଶ ହୋଇଥିବା ରାଢି, ନିଆରି, ଘଣି ଇତ୍ୟାଦି ସବର୍ଣ୍ଣ ଜାତିର ପ୍ରସ୍ତାବକୁ ପ୍ରତ୍ୟାହାର କରିବା, ମେହେନ୍ତର, ଝୁରିଆ ଓ ଦଳିତ ବୈଷ୍ଣବମାନଙ୍କୁ ଏସ୍‌.ସି ତାଲିକାଭୁକ୍ତ କରିବା ଓ ସଅର, ସଉରା ଜାତିକୁ ଏସ୍‌.ଟି ତାଲିକାଭୁକ୍ତ କରିବା ନିମିତ୍ତ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ବାର୍ଷିକ ସମ୍ମିଳନୀରେ ଦାବି କରାଯାଇଛି । ୨୦୧୫ ମସିହାରୁ କାର୍ଯ୍ୟ କରୁନଥିବା ଏସ୍‌.ସି/ଏସ୍‌.ଟି ପରାମର୍ଶଦାତା କମିଟି ରାଜ୍ୟ ସରକାର ତୁରନ୍ତ ଗଠନ କରନ୍ତୁ । ଏସ୍‌.ସି. ସଂରକ୍ଷଣକୁ ଚୋରି କରି ମନ୍ତ୍ରୀ ହୋଇଥିବା ତୁଷାରକାନ୍ତି ବେହେରାଙ୍କୁ ତୁରନ୍ତ ମନ୍ତ୍ରୀପଦରୁ ହଟାଯାଉ ଓ ଏସ୍‌.ସି/ଏସ୍‌.ଟି କଲ୍ୟାଣ କମିଟିରୁ ଶଶୀଭୂଷଣ ବେହେରାଙ୍କୁ ବହିଷ୍କାର କରାଯାଉ । ନକଲି କେଉଟ ସାର୍ଟିଫିକେଟ ହାତେଇଥିବା ଘଣି ଜାତିର ସୋର ବିଧାୟକ ପର୍ଶୁରାମ ଧଡା ଅସଲି ଏସ୍‌.ସି.ମାନଙ୍କ ଉପରେ କରୁଥିବା ଅତ୍ୟାଚାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ରାଜନୈତିକ ଦଳର ସଭାପତିମାନେ ଯଥା : ରଙ୍କ ବେହେରା ଓ ବିଭୁ ତରାଇଙ୍କୁ ଏସ୍‌.ସି ସେଲ୍‌ର ମୁଖ୍ୟ ପଦରୁ ବହିଷ୍କାର କରନ୍ତୁ । ଏସ୍‌.ସି/ଏସ୍‌.ଟି ଗବେଷଣା ସଂସ୍ଥାର ନିର୍ଦ୍ଦେଶକ ଥିବା ଏ.ବି. ଓତାଙ୍କୁ ମଧ୍ୟ ଏସ୍‌.ସି/ଏସ୍‌.ଟି ବିରୋଧୀ କାର୍ଯ୍ୟ ନିମନ୍ତେ ନିର୍ଯ୍ୟାତନା ସୁରକ୍ଷା ଆଇନ ଅନୁସାରେ ଚାକିରୀରୁ ବହିଷ୍କାର କରାଯାଉ । ଓ.ବି.ସି.ମାନଙ୍କୁ ରାଜ୍ୟ ସରକାର ସିଡ୍ୟୁଲ୍‌-୯ ଅନୁସାରେ ସଂରକ୍ଷଣ ଦେବାର ବ୍ୟବସ୍ଥା କରନ୍ତୁ । ଏସ୍‌.ସି/ଏସ୍‌.ଟି ନିର୍ଯ୍ୟାତନା ନିବାରଣ ଆଇନକୁ ତୁରନ୍ତ ସଠିକ ଭାବେ କାର୍ଯ୍ୟକାରୀ କରାଯାଇ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ସହିତ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଶେଷରେ ନିର୍ବାଚନ ତଥା ସବୁ କ୍ଷେତ୍ରରେ ଏହି ଜାତିର ଲୋକମାନଙ୍କୁ ବର୍ଜନ କରାଯିବା ନିମନ୍ତେ ଦାବି ଉପସ୍ଥାପନ କରାଯାଇଛି । ଏଣୁ ଓଡ଼ିଶା ସରକାର, ସମସ୍ତ ରାଜନୈତିକ ଦଳ ଓ ଜନସାଧାରଣଙ୍କୁ ଅନୁରୋଧ, ଏ ବିଷୟରେ ଆମର ସହାୟତା କରନ୍ତୁ । ଅନ୍ୟଥା ଆମେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବୁ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ବିଦ୍ୟାଧର ଦେହୁରୀ, ସୁନାକର ବେହେରା, ଗୋପାଳ ନାୟକ, ଲକ୍ଷ୍ମୀଧର ବେହେରା, ରବୀନ୍ଦ୍ରନାଥ ସେଠୀ, ସୁରେନ୍ଦ୍ର ନାୟକ, ପ୍ରମୋଦିନୀ ମଲ୍ଲିକ, ମାନଗୋବିନ୍ଦ ସେଠୀ, କଳ୍ପତରୁ ମଲ୍ଲିକ, ଗୋପାଳ ସେଠୀ, ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ବହୁ ସଂଗଠନର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ