କଳିଙ୍ଗା ଘାଟିରୁ ମହିଳାଙ୍କୁ କାର୍‌ରେ ଅପହରଣ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ଥାନା ଅଧୀନ କଳିଙ୍ଗା ଘାଟିରୁ ଶୁକ୍ରବାର ଅପରାହ୍ନ ୪ଟାରେ ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ କାର୍‌ରେ ଅପହରଣ କରିନେଇଥିଲେ। ତେବ‌େ ୪ ଘଣ୍ଟା ପରେ ପୁଲିସ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନାନୁସାରେ, ଫିରିଙ୍ଗିଆ ଥାନା କେଳାପଡ଼ା ଗ୍ରାମର ପଞ୍ଚମୀ ବିଶୋୟୀ (୨୩) ଓ ତାଙ୍କ ସ୍ବାମୀ ବଲ୍ଲଭ ଦିଗାଲ କୌଣସି କାମ‌ରେ ବାଇକ୍‌ରେ ବ୍ରହ୍ମପୁର ଯାଉଥିଲେ। ଏହି ସମୟରେ କଳିଙ୍ଗା ଘାଟିରେ କିଛି ଦୁର୍ବୃତ୍ତ ଏକ କାର୍‌ରେ ଆସି ବାଇକ୍‌କୁ ଅଟକାଇଥିଲେ। ବଲ୍ଲଭଙ୍କୁ ଧମକଚମକ ଦେଇ ପଞ୍ଚମାଙ୍କୁ କାର୍‌ରେ ବସାଇ ଅପହରଣ କରି ଘୁ.ଉଦୟଗିରି ଅଭିମୁଖେ ଯାଇଥିଲେ। କିଛି ସମୟ ପରେ ପଞ୍ଚମାଙ୍କୁ ଫେରାଇବା ବଦଳରେ ସେମାନେ ବଲ୍ଲଭଙ୍କ ମୋବାଇଲ୍‌କୁ ଫୋନ୍ କରି ୮୦ ହଜାର ଟଙ୍କା ଦାବି କରିଥିଲେ। ତେବେ ବଲ୍ଲଭ ସାହସ ଜୁଟାଇ କଳିଙ୍ଗା ଗ୍ରାମର ଅମନ ଚନ୍ଦ୍ର ନାୟକଙ୍କ ସହାୟତାରେ ଘୁ.ଉଦୟଗିରି ଥାନାଧିକାରୀ ଅଜୟ କୁମାର ସ୍ବାଇଁଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଏସଡିପିଓ ବିଜୟ କୁମାର ବିଶିଙ୍କ ନେତୃତ୍ବ‌ରେ ସ୍ବତନ୍ତ୍ର ଅପରେସନ୍ ଆରମ୍ଭ ହୋଇଥିଲା। ପଞ୍ଚମୀଙ୍କୁ ଉଦ୍ଧାର କରିବା ଲାଗି ସେକେଣ୍ଡ୍ ଅଫିସର୍ ଅନନ୍ତ ପ୍ରଧାନ ଓ ଏଏସ୍‌ଆଇ ବୁଲୁ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ସମସ୍ତ ରାସ୍ତାରେ ଯାନବାହନ ଯାଞ୍ଚ କରିଥିଲେ। ଏହାସହ ଅପହରଣକାରୀଙ୍କ ମୋବାଇଲ୍ ନମ୍ବରକୁ ଟ୍ରାକ୍ କରାଯାଇଥିଲା। ତେବ‌େ ନିଜେ ଥାନାଧିକାରୀ ଶ୍ରୀ ସ୍ବାଇଁ ପଞ୍ଚମୀଙ୍କୁ ରାତି ପ୍ରାୟ ୮ଟାରେ ସିର୍କି ନିକଟରୁ ଉଦ୍ଧାର କରିଥିଲେ।ସେଠାରୁ କିନ୍ତୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ପୋଲିସ ତଦନ୍ତ ଅବ୍ୟାହତ ରଖି ଶନିବାର ଦିନ ଏ ଭଳି କାର୍ଯ୍ୟରେ ଲିପ୍ତ ଥିବା ସନ୍ଦେହରେ ଅଞ୍ଚଳର କିଛି ଯୁବକ ଙ୍କୁ ଅଟକ ରଖି ପଚରା ଉଚୁରା କରୁଥିବା ଜଣାପଡିଛି l ଏନେଇ ବଲ୍ଲଭଙ୍କ ଏତଲା କ୍ରମେ ଘୁ.ଉଦୟଗିରି ଥାନାରେ କେସ୍ ନମ୍ବର ୧୧୪/୨୩ରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଅବ୍ୟାହତ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ