କାଗଜ ଚା’ କପ୍ ଆମ ସ୍ବାସ୍ଥ୍ୟ ପାଇଁ ବିଷ ନା ଅମୃତ..!”
ଡକ୍ଟର ଅମୂଲ୍ୟ କୁମାର ପଣ୍ଡା
ଚା’ କଫି ପିଇବା ପାଇଁ ଆମେ ସାଧାରଣତଃ ପେପର୍ କପ୍ ବ୍ୟବହାର କରିଥାଉ । କିନ୍ତୁ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ଆମ ପାଇଁ କେତେ ବିଷ ଯୁକ୍ତ l ଆମେ ଜାଣିଛନ୍ତି ଯେ କାଗଜରେ କୌଣସି ତରଳ ପଦାର୍ଥ ରହିପାରେ ନାହିଁ, ତେଣୁ ଏପରି ପରିସ୍ଥିତିରେ, କପ୍ର ଭିତର ଅଂଶକୁ ୱାଟରପ୍ରୁଫ୍ କରିବା ପାଇଁ ଅଲଟ୍ରା ଥିନ୍ ପ୍ଲାଷ୍ଟିକରେ କୋଟ୍ କରାଯାଏ । ଯାହାକୁ ଆମେ ମାଇକ୍ରୋପ୍ଲାଷ୍ଟିକ୍ ବୋଲି କହିଥାଉ ।ଏହି ମାଇକ୍ରୋପ୍ଲାଷ୍ଟିକ୍ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ। ଆଜିକାଲି ଅଧିକାଂଶ ଚା ଦୋକାନରେ କାଗଜ କପ୍ର ବ୍ୟବହାର ବହୁଳ ଭାବରେ ହେଉଛି। ଥରଟିଏ ବ୍ୟବହାର କରି ଫିଙ୍ଗି ଦିଆଯାଉଥିବା ଏହି କାଗଜ କପ୍ରେ ଚା ଓ କଫି ଭଳି ଗରମ ପାନୀୟ ପିଇବା ସ୍ୱାସ୍ଥ୍ୟ ପାଇଁ ଆଦୌ ନିରାପଦ ନୁହେଁ। ଭବିଷ୍ୟତରେ ଏହା ଆମ ଶରୀରରେ ସୃଷ୍ଟି କରିପାରେ କର୍କଟ ରୋଗ ! କାଗଜ କପ୍ରେ ଦୈନିକ ତିନି ଥର ଚା ପିଉଥିବା ବ୍ୟକ୍ତିର ଶରୀରରେ ୭୫,୦୦୦ ଅଣୁପ୍ଲାଷ୍ଟିକ୍ (ମାଇକ୍ରୋ ପ୍ଲାଷ୍ଟିକ୍) ଖଣ୍ଡ ପ୍ରବେଶ କରିଥାଏ। ଖଡ଼ଗପୁରସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏକଥା ଜଣାପଡ଼ିଛି। କାଗଜ କପ୍କୁ ଓ୍ବାଟରପ୍ରୁଫ୍ କରିବା ପାଇଁ ସେଥିରେ କେମିକାଲ ମିଶୁଛି। ଗରମ ଚା’ କିମ୍ବା କଫି ସଂସ୍ପର୍ଶରେ ଆସିବା ମାତ୍ରେ ତାହା ତରଳି ଚା’ରେ ମିଶି ପେଟକୁ ଯାଇ ରୋଗ ସୃଷ୍ଟି କରୁଛି। କାଗଜ କପ୍ରେ ଚା’ ପିଇବା ଦ୍ୱାରା କ୍ୟାନସର୍ଠାରୁ ଆରମ୍ଭ କରି ପେଟ ସମସ୍ୟା ଏବଂ ଅନ୍ୟାନ୍ୟ ରୋଗ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହୁଛି। ସେହିପରି ଅନେକ ଲୋକ କ୍ଷୀର ଜରି କିମ୍ବା ଅନ୍ୟାନ୍ୟ ଜରିରେ ଚା’ ପାର୍ସଲ ନେଉଛନ୍ତି। ଏହାଦ୍ୱାରା ମଧ୍ୟ ରୋଗ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଯଦି ଲୋକମାନେ ସଚେତନ ନ ହେବେ, ତେବେ ଭବିଷ୍ୟତରେ ସେମାନେ ନିହାତି ରୋଗରେ ପଡିବେ।ଆଜିକାଲି ଅଭ୍ୟାସଗତ ଭାବେ ଯୁବବର୍ଗଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଚା’ କଫି ଆଦି ପିଇବାକୁ ଭଲପାଆନ୍ତି। ତେଣୁ ସହରଠୁ ଆରମ୍ଭ କରି ଗାଆଁ ରାସ୍ତାପାର୍ଶ୍ୱ, କଲୋନୀ, ବସ୍ତିରେ ଚା’ଦୋକାନ ଖୋଲିଛି। ପୂର୍ବରୁ କାଚ ଗ୍ଲାସ୍, ଚିନାମାଟି କିମ୍ବା ମାଟି କପ୍ରେ ଚା’ ଦେଉଥିଲେ ଦୋକାନୀ। ହେଲେ ଏବେ ଏହାର ସ୍ଥାନ ନେଇଛି କାଗଜ କପ୍। ଏହା ଦୋକାନୀଙ୍କ ପାଇଁ ସୁବିଧାଜନକ ହେଉଥିଲେ ମଧ୍ୟ ଗ୍ରାହକଙ୍କ ପାଇଁ ବିପଦ ସାଜୁଛି। ଏହି ୟୁଜ୍ ଆଣ୍ଡ୍ ଥ୍ରୋ ବା ଏକକ ବ୍ୟବହାରଯୋଗ୍ୟ କପ୍ ଅଜାଣତରେ ଗ୍ରାହକଙ୍କୁ ରୋଗ ବାଣ୍ଟୁଛି। ଗବେଷଣାରୁ ଜଣାପଡ଼ିଛି ଯେ ଗରମ ଚା ବା କଫିରେ ମିଶୁଥିବା ଅଣୁପ୍ଲାଷ୍ଟିକ୍ ଗୁଡ଼ିକ ଆୟନ୍, ପାରୋଡିୟମ୍, କ୍ରୋମିୟମ୍ ଓ ପାଲାଡିୟମ୍ ପରି ବିଷାକ୍ତ ଭାରୀଧାତୁ ତଥା ଜୈବିକ ପଦାର୍ଥର ବାହକ ହୋଇପାରେ। ଏହିସବୁ ପଦାର୍ଥରେ ପାଣି ଲାଗୁ ନଥିବାରୁ ଏଗୁଡ଼ିକ ସହଜରେ ଜୀବଜଗତକୁ ମଧ୍ୟ ସଂକ୍ରମିତ ହୋଇପାରନ୍ତି। ଶରୀରରେ ଏସବୁ ପ୍ରବେଶ କରିବାର ସ୍ୱାସ୍ଥ୍ୟଗତ ପରିଣତି ବେଶ୍ କ୍ଷତିକାରକ ହୋଇପାରେ ବୋଲି ଗବେଷକ ମାନେ ମତପ୍ରକାଶ କରିଛନ୍ତି। ଆମ ପ୍ରତି ବିପଦ ସୃଷ୍ଟି କରୁଥିବା କାଗଜ କପ୍ ଭଳି ସାମଗ୍ରୀ ଗୁଡ଼ିକର ବିକଳ୍ପ ବାଛିବା ବେଳେ ଆମକୁ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ପ୍ଲାଷ୍ଟିକ୍ କପ୍ ଓ ଗ୍ଲାସ୍ର ବିକଳ୍ପ ରୂପେ କାଗଜ କପ୍ ବାଛିବା ବେଳେ ଆମେମାନେ ଯଥେଷ୍ଟ ସାବଧାନତା ଅବଲମ୍ବନ କରୁନାହୁଁ। ଯଦି ଆମେ ଏ ଦିଗରେ ସଚେତନ ନ ହୋଇ ସତର୍କତା ଅବଲମ୍ବନ ନକରିବା ତେବେ ଆଗାମୀ ଦିନରେ କର୍କଟ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେବାର ନିଶ୍ଚିତ ଆଶଙ୍କାକୁ ଏଡ଼ାଇ ଦେଇହେବନି। କାଗଜ କପ୍ରେ ଚା’ ପିଇବା ଦ୍ୱାରା ଡାଇରିଆ, ପାଚନଶକ୍ତି କ୍ଷୟ, କିଡ୍ନୀ ନଷ୍ଟ ହେବାର ମଧ୍ୟ ସମ୍ଭାବନା ଅଧିକ ବୋଲି ଗବେଷକ ମାନେ ଉଲ୍ଲେଖ କରିଛନ୍ତି । କାଗଜ କପ୍ ଡିସ୍ପୋଜ ହେଉଥିଲେ ମଧ୍ୟ ଏଥିପାଇଁ ସମୟ ଲାଗିଥାଏ। ଅପରପକ୍ଷେ ଚା’ ପିଇସାରି ଲୋକମାନେ ଏଣେତେଣେ କପ୍ ଫୋପାଡୁଥିବାରୁ ଏହାଦ୍ୱାରା ଆଖପାଖ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି। ଲୋକମାନେ ମଧ୍ୟ ଅଚିନ୍ତାରେ କାଗଜ କପ୍ରେ ଚା’ ଓ କଫି ପିଉଥିବା ଦେଖାଯାଉଛି। ଶରୀର ପାଇଁ ଏହା ଯେ କେତେ ଭୟଙ୍କର ବିପଦ ଆଣୁଛି, ତାହା ହୁଏତ ଲୋକେ ଜାଣିନାହାନ୍ତି ବା ସଚେତନ ନୁହନ୍ତି। ଆଜିକାଲି ଅଧିକାଂଶ ଚା ଦୋକାନରେ କାଗଜ କପ୍ର ବ୍ୟବହାର ବହୁଳ ଭାବରେ ହେଉଛି। ଥରଟିଏ ବ୍ୟବହାର କରି ଫିଙ୍ଗି ଦିଆଯାଉଥିବା ଏହି କାଗଜ କପ୍ରେ ଚା ଓ କଫି ଭଳି ଗରମ ପାନୀୟ ପିଇବା ସ୍ୱାସ୍ଥ୍ୟ ପାଇଁ ନିରାପଦ ନୁହେଁ। ଭବିଷ୍ୟତରେ ଏହା ଆମ ଶରୀରରେ ସୃଷ୍ଟି କରିପାରେ କର୍କଟ ରୋଗ! କାଗଜ କପ୍ରେ ଦୈନିକ ତିନି ଥର ଚା ପିଉଥିବା ବ୍ୟକ୍ତିର ଶରୀରରେ ୭୫,୦୦୦ ଅଣୁପ୍ଲାଷ୍ଟିକ୍ (ମାଇକ୍ରୋ ପ୍ଲାଷ୍ଟିକ୍) ଖଣ୍ଡ ପ୍ରବେଶ କରିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବିରାଟ ବିପଦ ଆଣିବାର ଏକ ମୁଖ୍ୟ ମାର୍ଗ ବୋଲି ଗବେଷକ ମାନେ ଚେତାବନୀ ଦେଇସାରିଛନ୍ତି l ତେଣୁ ଏବେ ଠାରୁ ସମସ୍ତେ ଏ ବିଷୟ ପ୍ରତି ସଚେତନ ହେବା ଆବଶ୍ୟକ, ନୋହିଲେ ନେଡି ଗୁଡ଼ କହୁଣୀ କୁ ବହିଯିବା ଭଳି ଅବସ୍ତା ନିଶ୍ଚିତ ହେବ, ଯାହାକୁ ଆଦୌ ଏଡ଼ାଇ ଦିଆଯାଇ ନ ପାରେ lକାଚଗ୍ଲାସ୍ କିମ୍ବା ମାଟି କପ୍ ସବୁ ଦୋକାନୀ ଆଜିକାଲି ରଖୁନାହାନ୍ତି। କାଗଜ କପ୍ରେ ଚା ପି’ ସାରିବା ପରେ ତାକୁ ଫୋପାଡ଼ି ଦେବା ସବୁଠାରୁ ସହଜ କଥା ବର୍ତ୍ତମାନ ହୋଇଛି । ଏହା ସମ୍ପୂର୍ଣ୍ଣ ବନ୍ଦ ହେବା ଦରକାର, ନଚେତ୍ କେତେ ଲୋକେ ଅଜାଣତରେ ବଡ ରୋଗର ଶିକାର ହୋଇଯିବେ କେହି ଜାଣି ପାରିବେ ନାହିଁ l ତେବେ ଏହାକୁ ବନ୍ଦ କରିବା ନିୟମ କେବଳ ରାସ୍ତାକଡ଼ ଦୋକାନୀଙ୍କ ପାଇଁ ଲାଗୁ ନ କରିବା ସହ ବଡବଡ କଫିଶପ୍, ଏୟାରପୋର୍ଟ, ରେଲ୍ଓ୍ବେ ଷ୍ଟେଶନ୍ ଆଦିରେ ଥିବା ଦୋକାନ ଉପରେ ମଧ୍ୟ ଲାଗୁ କରିବା ଦରକାର ଆଉ ଏକ ମୁଖ୍ୟ କଥା ଯେ ଏ ଚା କପ୍ ଫ୍ଯାକ୍ଟ୍ରିକୁ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହେବା ଉଚିତ୍ l ଲୋକମାନେ ତିଆରି ହୋଇଥିବା କାଗଜ ଚା କପ୍ ପରିବର୍ତ୍ତେ, ଚିନା ମାଟି କିମ୍ବା ଷ୍ଟିଲ୍ କପ୍, କିମ୍ବା କାଚ ଗ୍ଲାସ୍ ବ୍ୟବହାର ନିହାତି କରିବା ଆବଶ୍ୟକ । ବାହାରେ ଚା’ କିମ୍ବା କଫି ପିଇଲା ତେବେ ମାଟି କୁଲହଡ୍ ବେଷ୍ଟ ଅପ୍ସନ ରହିବ । କିମ୍ବା ସର୍ବଦା ନିଜ ସହ ଏଭଳି ଏକ କପ୍ ରଖିବା ଉଚିତ୍ ଯେ ଯାହାକୁ ବାରମ୍ବାର ବ୍ୟବହାର କରିହେବ । ଏହା କେବଳ ପରିବେଶ ପାଇଁ ନୁହେଁ ବରଂ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅଧିକ ଲାଭଦାୟକ ହେବ ।
ଅରଙ୍ଗାବାଦ, ବରୀ, ଯାଜପୁର
ସମ୍ପାଦକ – ଭଗବତୀ ସାହିତ୍ୟ ସଂସଦ