କାଦବରାଙ୍ଗରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ସମାବେଶ
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲ୍ଲା ପରିଷଦ ଓ ବନ୍ତ ବ୍ଲକର ମିଳିତ ସହଯୋଗରେ କାଦବରାଙ୍ଗ ଗ୍ରାମ ପଞ୍ଚାୟତ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ମଣ୍ଡଳ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପୂର୍ବତନ ସମିତି ସଭ୍ୟ ରମେଶ ଚନ୍ଦ୍ର ପହି ସମାବେଶର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପୂର୍ବତନ ସରପଞ୍ଚ ଭାଗୀରଥି ସେଠୀ ଅୟୋଜିତ ହିତାଧିକାରୀ ସଚେତନତା ସଭାକୁ ପରିଚାଳନା କରିଥିଲେ । ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶିକାନ୍ତ ଖୁଣ୍ଟିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ହିତାଧିକାରୀ ମାନଙ୍କୁ ବୁଝାଇଥିଲେ । ବଡବର୍ଚ୍ଚିକୟାଁର ପୂର୍ବତନ ସରପଞ୍ଚ ସୁରେନ୍ଦ୍ରନାଥ ଜେନା, ସମିତି ସଭ୍ୟଙ୍କ ପ୍ରତିନିଧି ଆଦିତ୍ୟ ଜେନା ଘର କରିବା ପାଇଁ ସରକାରଙ୍କ ବିଭିନ୍ନ ନିୟମାବଳୀ ଉପରେ ଆଲୋଚନା କରି ନିର୍ଦ୍ଧାରିତ ସମୟରେ ଘର କାର୍ଯ୍ୟ ଶେଷ କଲେ ଯୋଜନାର ସୁଫଳ ପାଇ ପାରିବା ବୋଲି କହିଥିଲେ । ଏଥିରେ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ବିକାଶ ରାଉତ ଗୃହ କାର୍ଯ୍ୟ କିପରି କରିବେ, କିସ୍ତି ଟଙ୍କା ଜମା ଖାତାକୁ କେମିତି ଆସିବ, ବୋନସ୍ ଅର୍ଥ ପାଇବା ପାଇଁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଗୃହ କାର୍ଯ୍ୟ ସାରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଦବରାଙ୍ଗ ସେବା ସମବାୟ ସମିତି ସଭାପତି ବାସୁଦେବ ଜେନା, ସମାଜସେବୀ ସୁନାରାଣୀ ପଣ୍ଡା, କିଶୋର ରାଉତ ବକ୍ତବ୍ୟ ରଖିଥିଲେ । ସମାବେଶରେ କାଦବରାଙ୍ଗ ଓ ବଡବର୍ଚ୍ଚିକୟାଁ ଗ୍ରାମ ପଞ୍ଚାୟତରୁ ୨୦୦ରୁ ଉର୍ଦ୍ଧ୍ୱ ହିତାଧିକାରୀ ଉପସ୍ଥିତ ଥିଲେ ।