ଓ.ଏ.ଏସ ପାଇଲେ ବନ୍ତର ଦେବବ୍ରତ
ବନ୍ତ, (ଚାନ୍ଦିନୀ ମହାନ୍ତି):ସୋମବାର ଓଡିଶା ପ୍ରଶାସନିକ ସେବା ୨୦୨୧ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଭଦ୍ରକ ଜିଲା ବନ୍ତ ବ୍ଲକ ଦୋଳପଦୀ ଗ୍ରାମର ଦେବବ୍ରତ ଖୁଣ୍ଟିଆ ସଫଳତା ହାସଲ କରିଛନ୍ତି । ସେ ୫୨ ର୍ୟାଙ୍କରେ ରହି ଏହି ସଫଳତା ଲାଭ କରିଥିବା ବେଳେ ଓୟୁଏଟି ଭୁବନେଶ୍ୱରରେ ମୃତ୍ତିକା ବିଜ୍ଞାନ ଉପରେ ପି.ଏଚ୍.ଡି କରୁଥିଲେ । ୧୯୯୫ ମସିହା ଫେବୃଆରୀ ୧୬ରେ ଜନ୍ମିତ ଦେବବ୍ରତ କେନ୍ଦୁଆପଦା ହାଇସ୍କୁଲରେ ମାଟ୍ରିକ୍ ପାସ୍ କରିବା ପରେ କଟକସ୍ଥିତ ରେଭେନ୍ସା କଲେଜରେ ଯୁକ୍ତ ଦୁଇ ବିଜ୍ଞାନ, ଓୟୁଏଟି ଭୁବନେଶ୍ୱରରେ ବି.ଏସ୍.ସି ଏଗ୍ରିକଲଚର, ମୃତ୍ତିକା ବିଜ୍ଞାନରେ ଏମ୍.ଏସ୍.ସି ଏବଂ ପି.ଏଚ୍.ଡି କରୁଥିଲେ । ଓ.ଏ.ଏସ ପରୀକ୍ଷା ପାଇଁ ସେ ଦୈନିକ ୧୦ରୁ ୧୨ ଘଣ୍ଟା ପରିଶ୍ରମ କରୁଥିଲେ । ସେ ଦୋଳପଦୀ ଗ୍ରାମର ସରୋଜ କୁମାର ଖୁଣ୍ଟିଆ ଓ ମାତା ତିଳୋତ୍ତମା ଖୁଣ୍ଟିଆଙ୍କ ପୁତ୍ର ହୋଇଥିବା ବେଳେ ସମାଜସେବୀ ତଥା ଟାଟା ଷ୍ଟିଲର ପ୍ରଶାସନିକ ବିଭାଗରେ କାର୍ଯ୍ୟରତ ମନୋଜ ଖୁଣ୍ଟିଆଙ୍କର ପୁତୁରା ଅଟନ୍ତି । ତାଙ୍କ ପିତା ମାଲକାନଗିରି ଜିଲା ଖଇରିପୁଟ୍ ବ୍ଲକର ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ଭବିଷ୍ୟତରେ ସେ ଆଇ.ଏ.ଏସ ହେବାର ସ୍ୱପ୍ନ ରଖିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବନ୍ତ ବ୍ଲକ ସମେତ ସମଗ୍ର ଜିଲାରେ ଖୁସିର ଲହରୀ ଖେଳି ଯାଇଛି ।


