କାନ୍ଧଉପରେ ମୁଣ୍ଡଥିବା ଲୋକମାନଙ୍କ କଥା

ବିପିନ ବିହାରୀ ମହାନ୍ତି

ଗୋଟିଏ ଦେଶରେ ରାଜା ଥିଲେ ଜଣେ ଯୁବକ । ତାଙ୍କର ବହୁ ଯୁବ ବନ୍ଧୁ ଥିଲେ । ସେ ତାଙ୍କ ବାପାଙ୍କ ଅମଳର ସବୁ ବରିଷ୍ଠ ଏବଂ ଅଭିଜ୍ଞ ମନ୍ତ୍ରୀମାନଙ୍କୁ ବିଦା କରି ତାଙ୍କ ଯାଗାରେ ତାଙ୍କ ଯୁବକ ବନ୍ଧୁମାନଙ୍କୁ ସଭାଷଦ କଲେ । ଦିନେ ରାଜା ଓ ତାଙ୍କ ପରିଷଦ ବୃନ୍ଦ ମିଶି ନିଷ୍ପତ୍ତି କଲେ ଯେ ପ୍ରୌଢ ବା ବରିଷ୍ଠମାନେ ବର୍ତ୍ତମାନ ଖାଲିବସି ଅନ୍ନଧ୍ୱଂସ କରୁଛନ୍ତି । ଏମାନଙ୍କର ସମାଜପ୍ରତି ଆଉ କୌଣସି ଅବଦାନ ନାହିଁ । ତାଙ୍କର ଥିଲା ବେଳର ଜୀବନ ଚାଲିଗଲାଣି । ଏଣୁ ଏବେ ସେମାନଙ୍କର ଉପସ୍ଥିତି ଆବଶ୍ୟକ ନାହିଁ । ସେମାନେ ଏକ ଆଇନ ଗୃହୀତ କଲେ ଯେ ବୁଢାଙ୍କୁ ମାର । ଯିଏ ବୁଢାଙ୍କୁ ଅର୍ଥାତ୍ ବୃଦ୍ଧ ପିତା ମାତାଙ୍କୁ ପଚାରିବାକୁ ଯାଉଛି, ଚୋରାରେ ବା ଲୁଚାରେ, ସେମାନଙ୍କ ସହିତ ତାଙ୍କୁ ବି ମାର । ଏଣୁ ଚାଲିଲା ପ୍ରୌଢବଦ୍ଧ ।
ଏମାନଙ୍କ ମଧ୍ୟରେ ଜଣେ ବିଚାରବନ୍ତ ପୁତ୍ର ଥିଲେ । ତା’ବିଚାରକୁ ଯୋଉ ପିତାମାନଙ୍କ ଯୋଗୁ ସେ ପୁତ୍ର ମଣିଷ ହୋଇ ଜନ୍ମ ହୋଇଛି ଏବଂ ଛିଡା ହୋଇଛି, ଯାହାଙ୍କ ଋଣ ଅଶୁଝା, ସେ ତାଙ୍କୁ ମାରି ଅପରାଧ ଅର୍ଜିବ! ଅସମ୍ଭବ ତେଣୁ ସେ ଭୂମିତଳେ ଏକ ପାତାଳଗୃହ ତିଆରି ତା’ବୃଦ୍ଧ ପିତାମାତାଙ୍କୁ ସେଠାରେ ଲୁଚାଇରଖି ତାଙ୍କ ସେବାକଲା ।
ଦେଶ ବୃଦ୍ଧଶୂନ୍ୟ ହେଲାପରେ ସେ ଦେଶରେ ପ୍ରଥମେ ବନ୍ୟା ଓ ପରେ ପରେ ଲଗାତର ମରୁଡି ହେଲା । ସେମାନେ ତାଙ୍କ ଅମାରରେ ଥିବା ସବୁ ଶସ୍ୟ ଖାଇଦେଲେ । ତାଙ୍କର ଏକ ଅନାଦର୍ଶ ଯୁବନୀତି ଯୋଗୁଁ ପଡୋଶୀଦେଶମାନେ ତାଙ୍କୁ କେହି ସାହାଯ୍ୟ କଲେ ନାହିଁ । ଏଣୁ ସମସ୍ତଙ୍କର ଖାଦ୍ୟ ଚିନ୍ତା । ଏହା ପରେ ଯେତେବେଳେ ଚାଷର ମୌସୁମୀ ଋତୁ ଆସିଲା, ସେତେବେଳେ ତାଙ୍କ ଜମିରେ ବୁଣିବା ପାଇଁ ବି ବିହନଟିଏ ନଥିଲା ।
ଏହି ବିଚାର ବନ୍ତ ଯୁବକଟି ଏବେ ସବୁଦିନ ଏହି ଚିନ୍ତାରେ ଦୁଃଖରେ ଘରକୁ ଫେରୁଥାଏ । ଦିନେ ତା’ ବାପା ଏହାର କାରଣ ପଚାରିଲେ । ସେ ସବୁକଥା କହିଲା ।
ତା’ବାପା ତାକୁ କହିଲେ: ଆମର ଅମାରବାରି ହଳ କରିଦେ । ଯୋଉ ରାସ୍ତା ଦେଇ ଚାଷଜମିରୁ ଶଗଡ ଲଗାଇ ଶସ୍ୟ ବୁହାଇ ଆଣୁ, ତାକୁ ମଧ୍ୟ ଚାଷ କରିଦେ । ଯେତେ ଜମି ପଡିଆ ନରଖି ହଳକରି ଛାଡିଦେ ଏବଂ ନିଶ୍ଚିନ୍ତ ହୋଇ ବସିଯା । ଏଥର ଅପେକ୍ଷା କର ଏବଂ କ’ଣ ହେଉଛି ଦେଖ ।
ଆଶ୍ଚର୍ଯ୍ୟ । କେଇଦିନ ପରେ ମୌସୁମୀ ପ୍ରଭାବରେ ସେ ଯାଗାଗୁଡିକରେ ଶସ୍ୟ ବୁଦାମାନ ଉଠିଲା । ଅନ୍ୟ ଲୋକଙ୍କର ଜମି ସେମିତି ପଡିଆ ପଡିଥାଏ ଅଥଚ ତା ଜମିରେ ଶସ୍ୟ ଭର୍ତ୍ତି ।
ଏକଥା ରାଜାଙ୍କ କାନକୁ ଗଲା । ସେ ତାକୁ ଡକାଇ ପଚାରିଲେ: କୋଉଠୁ ବିହନ ଆଣିଲ? ସେ କହିଲା : ମୁଁ କୋଉଠୁ ବିହନ ଆଣିନାହିଁ କି ମୋ ଘରେ ନଥିଲା ।
ରାଜା କହିଲେ : ଏକଥା ତା’ହେଲେ ହେଲା କେମିତି? ବିଚରା ଯୁବକ ଦେଖିଲା ଯେ: ବାପା ନାଁ ନ କହିଲେ ସେ ମଲା ; କହିଲେ ବି ମଲା । ରାଜାଙ୍କୁ ଏକଥା ନକହିଲେ ସେ ବାପ ଓ ପୁଅ ଉଭୟଙ୍କୁ ହତ୍ୟା କରିବେ । ସେ ଦମ୍ଭବାନ୍ଧି ରାଜାଙ୍କୁ କହିଲା: ଆଜ୍ଞା, ମୁଣ୍ଡରହିଲେ, ତୁଣ୍ଡ କହିବ । ମୋ କରିତ କର୍ମକୁ କ୍ଷମାଦେଲେ କହିବି ।
ରାଜା କହିଲେ: ମଞ୍ଜୁର । କୁହ ।
ଏଥର ସେ ବାପାଙ୍କ ଉପଦେଶ କଥା ତାଙ୍କୁ କହିଲା ଏବଂ ନମାରି ବଂଚାଇ ରଖିଥିବା ହେତୁ କ୍ଷମା ମାଗିଲା ।
ରାଜା ତା’ ବାପାଙ୍କୁ କୋଇଠି ନବୁଣି କାଟିବାର ଉପାୟ କେମିତି ସେ ଜାଣିଲେ ବୋଲି ପଚାରିଲେ ।
ସେ କହିଲେ: ଏ ମାଟି ମା’ ସବୁବିହନର ସଂରକ୍ଷକ । ଯେଉଁଠି ଯୋଉ ଚାଷ ବନ୍ଦୀ ଆମେ କରେ, ସେଠି କିଛି ବିହନ ପଡିଯାଏ ଏବଂ ମାଟି ମା’ ତାକୁ ସାଇତି ରଖେ । ସେଠି ଅନୁକୂଳ ପରିବେଶ ସୃଷ୍ଟିକଲେ, ନବୁଣି ଅମଳ କରିବେ । ଏଇଟା ଆମ ଦୀର୍ଘ ଜୀବନର ଅଭିଜ୍ଞତା କଥା ।
ଏବେ ସମସ୍ତେ ତାହା କଲେ ଏବଂ ନବୁଣି କାଟିଲେ । ଜଣେ ବୃଦ୍ଧଙ୍କର ଉପଦେଶ ଏବଂ ଅଭିଜ୍ଞତା ଗୋଟେ ଦେଶକୁ ବଞ୍ଚାଇ ଦେଲା । ଯଦି ସବୁ ବୃଦ୍ଧ ବଞ୍ଚିଥାନ୍ତେ…..! ଏଥର ସେମାନେ ନିଶ୍ଚିତ ହେଲେ ଯେ କାନ୍ଧ ଉପରେ ସମସ୍ତଙ୍କର ମୁଣ୍ଡ ଥୁଆହୋଇଛି । ହେଲେ ଅସଲ ମୁଣ୍ଡଟା ବୃଦ୍ଧଙ୍କର କାନ୍ଧ ଉପରେ ଅଛି । ସେମାନେ ତାଙ୍କ ସମୟରେ କାର୍ଯ୍ୟକ୍ଷମ ଥିଲେ । ଏବେ ଶାରୀରିକ କ୍ଷମ ନଥିଲେବି, ମାନସିକ ବଳ, ଜ୍ଞାନ ଏବଂ ଅଭିଜ୍ଞତାରେ ପରିପକ୍ୱ ଓ ପରିପୂର୍ଣ୍ଣ । ଅସଲି ବେଳେ ସେମାନଙ୍କର ପରାମର୍ଶ ଓ ଉପଦେଶର ଆବଶ୍ୟକତା ଅଛି ।
ଏଣୁ ଏମାନେ ପୂଜ୍ୟ ଏବଂ ସେବ୍ୟ । ତାଙ୍କ ବିଳାସ ଏବଂ ସ୍ୱାଚ୍ଛନ୍ଦ୍ୟ ଦେଖିବା ସନ୍ତାନମାନଙ୍କର ଧର୍ମ ଅଟେ ।
ଆଶା କରୁଛୁ, ଆମର କହିବା କଥାଟି ପାଠକମାନେ ବୁଝି ସାରିବେଣି । ତେବେ ଏକଥା ସ୍ୱୀକାର କରୁ ଯେ ଏମିତି ହଜାରେ ଗପ କହିଲେ ବି ତା’ର ପ୍ରଭାବ ଆଧୁନିକ ଯୁବ ଗୋଷ୍ଠୀ ଉପରେ ଆଦୌ ପଡିିବ ନାହିଁ କାରଣ ସେମାନେ ବିଭ୍ରାନ୍ତ ଏବଂ ପଥଚ୍ୟୁତ୍ । ସେମାନେ ନିଜ ଗୋଡରେ ଛିଡା ହେବା ପରେ ଅଥବା ନିଜସ୍ୱ ସଂସାର ଗଢିଲା ପରେ, ପିତାମାତାଙ୍କର ନୁହନ୍ତି । ବରଂ ଏହିପରି ନାଥମାନଙ୍କୁ ଅନାଥକରି ନିଜ ସଂସାର ଅନ୍ୟତ୍ର ଗଢନ୍ତି ।
ବୃଦ୍ଧମାନଙ୍କର ନାନାପ୍ରକାର ସମସ୍ୟା ଅଛି । ପ୍ରତିଟି କ୍ଷେତ୍ରରେ ତାଙ୍କ ବାର୍ଦ୍ଧକ୍ୟର ଅସହାୟ ପାଇଁ ସହାୟତା ଲୋଡା ଅଥଚ ଦେବ କିଏ? ତହିଁ କି ଆର୍ଥିକ ଅନାଟନ, ନିଜସ୍ୱ ଚାଲିଚଳନର ଅକ୍ଷମତା, ସ୍ତମିତ ଅବୟବ ଏବଂ ଇନ୍ଦ୍ରିୟମାନଙ୍କର ଦୁର୍ବଳତା ଇତ୍ୟାଦି ସେମାନଙ୍କ ପାଇଁ ନାନା ଦୁଃଖର କାରଣ ପାଲଟିଥାଆନ୍ତିି ।
ଏବେ ସାହାରା ଶୂନ୍ୟ ହୋଇ ସେମାନେ ଲୋଡିଲେଣି ଜରାଶ୍ରମ । ସେଠି ସବୁ ସୁବିଧା ଥାଇପାରେ, ହେଲେ ତାହା କ’ଣ ଘରପରି ମନ୍ଦିର? ନାହିଁ ସେଠି : କାହିଁକି ବନ୍ଧୁତା କାହିଁ ପ୍ରେମ ସୁନ୍ଦର । ନାହିଁ ସେଠି ରକ୍ତ ସଂପର୍କର ମାଧୁରିମା, ମମତା ଓ ବାତ୍ସଲ୍ୟରସ ସମୁହ । ଏହି କାରଣରୁ ଆଜିର ବରିଷ୍ଠ ନାଗରିକଙ୍କର ଜୀବନ ଦୁର୍ବିସହ ।
ଏହ ିପରିପ୍ରେକ୍ଷୀରେ ବରିଷ୍ଠ ନାଗରିକମାନଙ୍କର ସମାଜପ୍ରତି ଅବଦାନକୁ ବିଚାର କରି ଏବଂ ସେମାନଙ୍କ ସମସ୍ୟାକୁ ଧ୍ୟାନ ଦେଇ ତଥା ତାଙ୍କ ଜୀବନକୁ ପ୍ରଭାବିତ କରୁଥିବା ବିପରୀତ କାରକମାନଙ୍କର ନିରାକରଣ ନିମନ୍ତେ ଜାତିସଂଘ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟମାନ ହାତକୁ ନେଇଛି ଏବଂ ପ୍ରତିବର୍ଷ ୧ ଅକ୍ଟୋବରକୁ ବରିଷ୍ଠ ନାଗରିକ ଜିବସରୂପେ ପାଳନ କରୁଛି । ଏହା ଛୁଟି ଦିବସ ନୁହେଁ । ଏହା ଏକ ଆନ୍ତର୍ଜାତିକ ପାଳନ ଦିବସ ଯେଉଁଥିରେ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ଏବଂ ସେବା ଯୁକ୍ତ ବା ସେବା ମୁକ୍ତ ସମସ୍ତ ବ୍ୟକ୍ତିମାନେ ସଭା, ସମିତି, ଆଲୋଚନା ଏବଂ ପ୍ରତିଯୋଗିତା ଇତ୍ୟାଦି ଦ୍ୱାରା ସଚେତନତା ସୃଷ୍ଟି କରାଇ ବରିଷ୍ଠ ନାଗରିକମାନଙ୍କ ପ୍ରତି ଉପଯୁକ୍ତ ସମ୍ମାନ ଏବଂ ଅନୁକୂଳ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟ ରଖିଛି ।
୧୪ ଡିସେମ୍ବର ୧୯୯୦ ମସିହାରେ ଜାତିସଂଘର ସାଧାରଣ ପରିଷଦ ଦ୍ୱାରା ୧ ଅକ୍ଟୋବରକୁ ବିଶ୍ୱ ପ୍ରୌଢଦିବସ ରୂପ ପାଳନ କରିବାକୁ ନିଷ୍ପତ୍ତି ନେଲା ଏବଂ ପ୍ରଥମଥର ପାଇଁ ଅକ୍ଟୋବର ୧, ୧୯୯୧ରେ ଏହା ବିଶ୍ୱବ୍ୟାପୀ ପାଳିତ ହେଲା । ସେବେଠୁ ଉକ୍ତ ଦିବସ ସର୍ବତ ପାଳିତ ହେଉଅଛି । ଖାଲି ପାଳନ ନୁହେଁ, ସେମାନଙ୍କର ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ସମସ୍ୟା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ଏବଂ ଅନ୍ୟାନ୍ୟ ବିଭାଗ ଏହାର ସଂଯୋଜକ ଭାବେ କାର୍ଯ୍ୟ କରୁଅଛନ୍ତି ।

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ :
ବିପିନ ବିହାରୀ ପାଠାଗାର, ଜଟଣୀ, ଖୋର୍ଦ୍ଧା-୭୫୨୦୫୦
ଶୂନ୍ୟଭାଷା : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ