କାମାକ୍ଷା ମନ୍ଦିରରେ ତିନି ଦିନ ପ୍ରବେଶ ମନା

ଗୌହାଟି ଅନ୍ତର୍ଗତ ନୀଳାଚଳ ପାହାଡ଼ରେ ସ୍ଥିତ ପୀଠରେ ବିରାଜିତ ମା’ କାମାକ୍ଷାଙ୍କୁ ମା’ ସତୀ ମଧ୍ୟ କୁହାଯାଏ । ଏଠାରେ ଦେବୀ ସତୀଙ୍କ ଯୋନି ପଡିଛି ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି । ତେଣୁ ଏଠାରେ ମା’ଙ୍କ ଯୋନି ପୂଜା କରାଯାଏ । ନୀଳାଚଳକୁ ମଧ୍ୟ କାମଗିରି କୁହାଯାଏ । ଶାସ୍ତ୍ର ମତରେ, ସତୀଙ୍କ ଅଙ୍ଗର ୫୧ ଅଂଶବିଶେଷ ଯେଉଁସ୍ଥାନରେ ପଡ଼ିଲା, ସେଠାରେ ଶକ୍ତିପୀଠ ସ୍ଥାପିତ ହେଲା । ଏହି ସମସ୍ତ ଶକ୍ତିପୀଠ ମଧ୍ୟରେ କାମାକ୍ଷା ପୀଠକୁ ସର୍ବଶ୍ରେଷ୍ଠ ବୋଲି କୁହାଯାଇଥାଏ । ମା’ କାମାକ୍ଷା ମନ୍ଦିର ହେଉଛି ଏକ ସିଦ୍ଧ ଶକ୍ତିପୀଠ । ଏଠାରେ ପ୍ରତିବର୍ଷ ଅମ୍ବୁବାଚୀ ମେଳା ଆୟୋଜିତ ହୋଇଥାଏ । ଚଳିତ ବର୍ଷ ଜୁନ୍ ୨୨ରୁ ଏଠାରେ ଏହି ମେଳା ଆରମ୍ଭ ହୋଇଛି । ଏହି ସମୟରେ ତିନିଦିନ ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ନିଷେଧ ହୋଇଥାଏ । ଚତୁର୍ଥ ଦିନ ମନ୍ଦିର ଦ୍ୱାର ଖୋଲେ ଏବଂ ବିଶେଷ ପୂଜା ପରେ ଭକ୍ତଙ୍କୁ ମା’ଙ୍କୁ ଦର୍ଶନ କରିବାର ସୁଯୋଗ ମିଳେ । କୁହାଯାଏ ଏହି ତିନିଦିନ ମା’ ରଜସ୍ୱଳା ହୋଇଥାନ୍ତି । ଶାରଦୀୟ ଦୁର୍ଗା ପୂଜା ଏଠାରେ ବେଶ୍ ଧୂମ୍ଧାମରେ ପାଳିତ ହୁଏ । ଷଷ୍ଠୀରୁ ଦଶହରା ପର୍ଯ୍ୟନ୍ତ ଏଠାରେ ସ୍ୱତନ୍ତ୍ର ନୀତି ସମ୍ପନ୍ନ ହୋଇଥାଏ । ଦଶମହାବିଦ୍ୟାରେ ବର୍ଣ୍ଣିତ ମା’ଙ୍କର କାଳୀ, ଧୂମାବତୀ, ମାଙ୍ଗତୀ, ବଗଳା, ତାରା, କମଳା, ଭୈରବୀ, ଛିନ୍ନମସ୍ତା, ଭୁବନେଶ୍ୱରୀ ଓ ତ୍ରିପୁରା ସୁନ୍ଦରୀ ପ୍ରଭୃତି ୧୦ଟି ରୂପ ମଧ୍ୟ କାମାକ୍ଷା ମନ୍ଦିର ପରିସରରେ ପୂଜା ପାଆନ୍ତିି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ