କାର୍ତ୍ତିକ ପୂର୍ଣ୍ଣିମାରେ ଚଳଚଞ୍ଚଳ ବାଲିଘାଟ ଓ ଚାନ୍ଦିପୁର ବେଳାଭୂମି
ବାଲେଶ୍ୱର, (ସରୋଜ ପଣ୍ଡା) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶୁକ୍ରବାର ଭୋର ସମୟରୁ ଚଳଚଞ୍ଚଳ ହୋଇ ଉଠିଥିଲା ବୁଢ଼ାବଳଙ୍ଗ ନଦୀର ବାଲିଘାଟ ଓ ଚାନ୍ଦିପୁର ସମୁଦ୍ର ବେଳାଭୂମି । ସହର ସମେତ ଜିଲାର ବିଭିନ୍ନ ଅଞ୍ଚଳରୁ ଲୋକେ ଏଠାକୁ ଆସି ପୂଜାର୍ଚ୍ଚନା ସହ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ଡଙ୍ଗା ଭସାଇଥିଲେ । ସୋଲ, କଦଳୀ ପଟୁ ଓ ଥର୍ମକୋଲରେ ତିଆରି ଡଙ୍ଗାରେ ଧୂପ ଦୀପ, ଫଳ ରଖି ବନ୍ଦାପନା ପରେ ଆ-କା-ମା- ବୈ, ପାନ ଗୁଆ ଥୋଇ ଗୀତ ବୋଲିବା ସହ ସମସ୍ତେ ଡଙ୍ଗା ଭସାଇ ପୁରୁଣା ପରମ୍ପରାର ସ୍ମତିଚାରଣ କରଥିଲେ । ତେବେ ଗତବର୍ଷ ତୁଳନାରେ ଏବେ କରୋନା ପ୍ରକୋପ ହ୍ରାସ ପାଇଥିଲେ ବି ମାତ୍ର ଲୋକେ ସାମାଜିକ ଦୂରତା ନ ରଖି ଡଙ୍ଗା ଭସାଇଥିବା ଲକ୍ଷ୍ୟ କରାଯାଇଥିଲା । ଅନ୍ୟପକ୍ଷରେ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଜନସାଧାରଣଙ୍କ ସୁବିଧା ପାଇଁ ପ୍ରତିବର୍ଷ ବାଲେଶ୍ୱର ପୌରପାଳିକା ପକ୍ଷରୁ ବାଲିଘାଟ ପରିଷ୍କ।।ର ପରିଚ୍ଛନ୍ନ କରାଯାଇଥାଏ । ମାତ୍ର ଚଳିତବର୍ଷ ପୌର କର୍ତ୍ତୃପକ୍ଷ ଏହାକୁ ସମ୍ପୂର୍ଣ୍ଣ ଭୁଲିଯାଇଥିଲେ । ଫଳରେ ଲୋକେ ବାଲିଘାଟ ପାହୁଚରେ ଫୁଟେ ବହଳର ପଡ଼ିଥିବା କାଦୁଅ ସ୍ତର ଉପରେ ଛିଡ଼ାହୋଇ ଅତିକଷ୍ଟରେ ପୂଜାର୍ଚ୍ଚନା ଓ ଡଙ୍ଗା ଭସାଇବା କାର୍ଯ୍ୟ କରିଥିଲେ । କେତେକ ବ୍ୟକ୍ତି ଅସାବଧାନତା ଯୋଗୁଁ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା । ପୌର କର୍ତ୍ତୃପକ୍ଷଙ୍କ ଖାମଖିଆଲି କାର୍ଯ୍ୟକୁ ନେଇ ଡଙ୍ଗାଭସା ବେଳେ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିଭଳି ଚଳିତବର୍ଷ ବାଲିମେଳା ବନ୍ଦ ରହିଥିବା ବେଳେ ଶ୍ରଦ୍ଧାଳୁମାନେ ବାଲିଘାଟ ସ୍ଥିତ ମନ୍ଦିରକୁ ଯାଇ ଦିଅଁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ପୂର୍ବଭଳି ବାଲିଘାଟରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିଙ୍କ ସମସ୍ତେ ଟଙ୍କା ପଇସା, ଚାଉଳ, ଫଳମୂଳ ପ୍ରଦାନ କରୁଥିବା ଳକ୍ଷ୍ୟ କରାଯାଇଥିଲା । ତେବେ ବାଲିଘାଟରେ କୌଣସି ପ୍ରକାର ଅଘଟଣକୁ ଏଡ଼େଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ପାୱାର ବୋଟ ମୁତୟନ କରାଯାଇଥିଲା । ଅନୁରୂପ ଭାବେ ନୂଆକରି ଶୀତ ଆରମ୍ଭ ହୋଇଥିବା ବେଳେ ଆଜିର ଶୀତୁଆ ସକାଳରେ ଚାନ୍ଦିପୁର ବେଳାଭୂମିରେ ବି ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା । ଲୋକେ କୋଭିଡ କଟକଣାକୁ ଫୁ କରି ଜୁଆରର ପାଣିରେ ବୁଡ ପକାଇବା ସହ ଡଙ୍ଗା ଭସାଇଥିଲେ । ଧର୍ମ ମାସ ଭାବେ ପରିଚିତ କାର୍ତ୍ତିକ ପୂର୍ଣ୍ଣିମାକୁ ସମସ୍ତେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ପାଳନ କରିଥିଲେ । ସକାଳୁ ସକାଳୁ ସ୍ନାନ କରି ଲୋକେ ବିଭିନ୍ନ ମନ୍ଦିରରେ ଦିଅଁ ଦର୍ଶନ ସହ ନିଜ ନିଜ ପରିବାରର ଶୁଭ ମନାସିଥିଲେ । କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ମନ୍ଦିରରେ ସ୍ୱତନ୍ତ୍ର ପୂଜାନୀତି ବ୍ୟବସ୍ଥା କରାଯାଇଥିଲା । ସେହିପରି ମହାପଞ୍ଚକ ଉଦଯାପନ ଦିବସ ହୋଇଥିବା ବେଳେ ଘରେ ଘରେ ତୁଳସୀ ଚଉରାରେ ଝୋଟି ଚିତା ଏବଂ ମୁରୁଜ ଆଙ୍କିବା ସହିତ ମହିଳାମାନେ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ବିଭିନ୍ନ ସଂଗଠନମାନଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ।


