ନାବାଳିକା ଦୁଷ୍କର୍ମକାରୀକୁ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୧୮ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ରହିଲେ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି । ଘଟଣାରୁ ପ୍ରକାଶ, ଗତ ୨୦୧୭ ଅଗଷ୍ଟ ୩ ତାରିଖ ଦିନ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ଼ ଥାନା ଅଧୀନ ଗୁଞ୍ଜିବାଡ଼ି ଗ୍ରାମର ଜଣେ ଯୁବକ ମିଠା ଦେବା ବାହାନାରେ ଜଣେ ନାବାଳିକାଙ୍କୁ ତାଙ୍କ ମୋଟର୍ ସାଇକେଲରେ ବସାଇ ଅପହରଣ କରି ନେଇଥିଲା । ଯୁବକ ଜଣକ ନାବାଳିକାଙ୍କୁ ସାରଙ୍ଗଗଡ଼ ମହାବିଦ୍ୟାଳୟ ପଛପଟେ ନୂଆରେ ତିଆରି ଚାଲିଥିବା ଏକ କୋଠାରେ ବାରମ୍ବାର ଦୁଷ୍କର୍ମ କରିଥିଲା। ଏକଥା ବାହାରେ କାହାକୁ କହିଲେ ଜୀବନରେ ମାରିଦେବାକୁ ସମ୍ପୃକ୍ତ ନାବାଳିକାଙ୍କୁ ଧମକ ଦେଉଥିଲା । ତେବେ ନାବାଳିକା ଜଣକ ଘରକୁ ଫେରି ଏ ସମ୍ପର୍କରେ ଘରେ ଜଣାଇବା ପରେ ପରିବାର ଲୋକେ ସାରଙ୍ଗଗଡ଼ ଥାନାରେ ଏତଲା ଦେଇଥିଲେ ଓ ମାମଲା ରୁଜୁ ହୋଇଥିଲା । ଏ ନେଇ ଫୁଲବାଣୀ ଫାଷ୍ଟଟ୍ରାକ ପୋକ୍ସୋ କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ସେସନ୍ସ ଜଜ୍ ଭାସ୍କର ଚନ୍ଦ୍ର ସାହୁ ଏହି ମାମଲାର ବିଚାର କରିଥିବା ବେଳେ ସରକାରଙ୍କ ପକ୍ଷରୁ ମାମଲାଟିକୁ ପବ୍ଲିକ ପ୍ରସିକ୍ୟୁଟର ବନମାଳି ବେହେରା ପରିଚାଳନା କରିଥିଲେ ।


