କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ କୋର୍ଟର ଆଶ୍ରୟ ନେବାକୁ ଚେତାବନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ମହାଦୁର୍ନୀତି ହୋଇଥିବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସେହିସବୁ ଦୁର୍ନୀତିର ସ୍ୱତନ୍ତ୍ର ତଦନ୍ତ ତଥା ସ୍ୱତନ୍ତ୍ର ଅର୍ଡିଟ କରାଯିବାକୁ ଦାବି କରି ଜିଲ୍ଲାପାଳ, ମୁଖ୍ୟ ଆକାଉଣ୍ଟାଟ ଜେନେରାଲ, ରାଜ୍ୟ ଭିଜିଲାନ୍ସ ନିର୍ଦେଶକ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନସଚିବ, ମୁଖ୍ୟ ଶାସନସଚିବ, ୫-ଟି ସଚିବ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଅଭିଯୋଗ ପତ୍ର ପଠାଇ ପୁରାତନ ଛାତ୍ର ପ୍ରତାପ ମହାନ୍ତି ଦାବି କରିଛନ୍ତି । ତାଙ୍କ ଅଭିଯୋଗରେ ଦର୍ଶାଯାଇଛି ଯେ କଲେଜର ଜଣେ ପୁରାତନ ଛାତ୍ର ତଥା ସୂଚନା ଅଧିକାର କର୍ମୀ ଭାବରେ ଏସମ୍ପର୍କରେ ପୂର୍ବରୁ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେହି ଘଟଣାର ତଦନ୍ତ କରାଯାଇନାହିଁ । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବହୁ ବେଆଇନ କାର୍ଯ୍ୟ କରାଯିବା ସହିତ ବିଭିନ୍ନ ସ୍କିମ ଏବଂ କଲେଜ ଅର୍ଥରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ କରାଯାଇଥିବା ଦର୍ଶାଇ ବହୁ ଦୁର୍ନୀତି ତଥା ଅର୍ଥ ତୋଷରପାତ କରାଯାଇଛି । ପୂର୍ବରୁ ଲୋକାଲ ଫଣ୍ଡ ଅର୍ଡିଟ ରିପୋର୍ଟରେ କଲେଜର ବହୁ ଷ୍ଟାଫଙ୍କ ନାମରେ ଲକ୍ଷାଧିକ ଟଙ୍କା ରିକଭରି କରାଯିବାକୁ ନିର୍ଦେଶ ଥିଲେ ମଧ୍ୟ ସେହି ଅର୍ଥ ସେମାନଙ୍କ ଠାରୁ ବର୍ଷ ବର୍ଷ ଧରି ଆଦାୟ କରାଯାଇନାହିଁ । ଏସମ୍ପର୍କରେ ଗତ ମାର୍ଚ୍ଚମାସ ୨୩ତାରିଖରେ ଅଭିଯୋଗକାରୀ ଶ୍ରୀ ମହାନ୍ତି ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେ କହିଛନ୍ତି । ଏହାବ୍ୟତିତ ସେ ଅଭିଯୋଗ କରିଛନ୍ତି ଯେ ନିକଟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାଇ ରୁସା, ୟୁଜିସି ଓ ଇଗ୍ନୋ ପ୍ରଭୃତି ପାଣ୍ଠିରେ ବ୍ୟାପକ ଦୁର୍ନୀତି ତଥା ଅର୍ଥ ତୋଷରପାତ କରାଯିବା ସହ କଲେଜ ପାଣ୍ଠିର ମଧ୍ୟ ବ୍ୟାପକ ହରିଲୁଟ କରାଯାଇଛି । କଲେଜର ଛାତ୍ରୀନିବାସ ପାଣ୍ଠି, କଲେଜ ଟ୍ୟୁସନ ଫିସ ପ୍ରଭୃତିର ମଧ୍ୟ ଅସଦ ବିନିଯୋଗ କରାଯାଇ ବ୍ୟାପକ ଅର୍ଥ ତୋଷରପାତ କରାଯାଇଛି । ଏତଦବ୍ୟତିତ କଲେଜ ପାଣ୍ଠିରୁ କୋଟି କୋଟି ଟଙ୍କା ଉଠାଯାଇ ରାସ୍ତା ନିର୍ମାଣ, ସିସିଟିଭି ମରାମତି, ନାକ ଟିମ ପ୍ରସ୍ତୁତି, ଲାପଟପ୍‌, କମ୍ପ୍ୟୁଟର କିଣାଯିବା ଭଳି କାର୍ଯ୍ୟ ବିନା ଟେଣ୍ଡରରେ କରାଯାଇ ମିଥ୍ୟା ବ୍ୟୟ ଦର୍ଶାଯାଇ ସେହି ଅର୍ଥକୁ ହରିଲୁଟ କରାଯାଇଛି । କଲେଜର କାର୍ଯ୍ୟ କରାଯିବା ନାମରେ କୋଟି କୋଟି ଟଙ୍କା ବେଆଇନ ଭାବେ ଖର୍ଚ୍ଚ ଦର୍ଶାଇ ଚଳୁ କରିଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ପ୍ରାୟ ଶହେ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ସରକାରୀ ଅନୁଦାନ ଓ କଲେଜ ପାଣ୍ଠିରୁ ବିନା ଟେଣ୍ଡରରେ ବେଆଇନ ଭାବରେ ଖର୍ଚ୍ଚ ଦର୍ଶାଯାଇ ଲୁଟ କରାଯାଇଛି । ବାରମ୍ବାର ଅଭିଯୋଗ ପରେବି ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା କୈାଣସି ପଦକ୍ଷେପ ଗ୍ରହଣ କରାନଯିବା ଫଳରେ କଲେଜର ଷ୍ଟାଫମାନଙ୍କୁ ଏହା ଅଧିକରୁ ଅଧିକ ଦୁର୍ନୀତି ଓ ଅର୍ଥ ତୋଷରପାତ କରିବାକୁ ପ୍ରୋତ୍ସାହନ ଯୋଗାଇଦେଇଛି । ତେଣୁ ଉପରୋକ୍ତ ମହାଦୁର୍ନୀତି ଗୁଡିକର ସ୍ୱତନ୍ତ ତଦନ୍ତ କରାଯିବା ସହ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସ୍ୱତନ୍ତ ଅର୍ଡିଟ କରାଯାଇ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପୁରାତନ ଛାତ୍ର ଶ୍ରୀ ମହାନ୍ତି ଦାବି କରିଛନ୍ତି । ନଚେତ ସେ ବାଧ୍ୟ ହୋଇ କୋର୍ଟର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ