କାର୍ ବୋମା ବିସ୍ଫୋରଣରେ ଅନ୍ୟୂନ ୨୬ଜଣ ଆଫଗାନ ନିରାପତ୍ତା କର୍ମଚାରୀ ନିହତ: ରିପୋର୍ଟ
ରବିବାର ଦିନ ଜଣେ ଆତ୍ମଘାତୀ କାର୍ ବୋମାବିସ୍ଫୋରଣକାରୀ ଆଫଗାନିସ୍ତାନର ଏକ ‘ଆର୍ମି ବେସ୍’ରେ ଧକ୍କା ଦେବାରୁ ଅନ୍ୟୂନ ୨୬ଜଣ ନିରପତ୍ତା କର୍ମଚାରୀ ନିହତ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି । ତାଲିବାନ ଏବଂ ସରକାରୀ ସେନା ମଧ୍ୟରେ ନିୟମିତ ଲଢ଼େଇ ଚାଲୁଥିବା ଗଜନି ପୂର୍ବାଞ୍ଚଳ ପ୍ରଦେଶର ରାଜଧାନୀ ଗଜନି ସହର ଉପକଣ୍ଠରେ ଏହି ଆକ୍ରମଣ ସଙ୍ଗଠିତ ହୋଇଛି । ଦୁଇ ଦଶନ୍ଧି ହେବ ଚାଲିଥିବା ଲଢ଼େଇରେ ହଜାର ହଜାର ଲୋକ ପ୍ରାଣ ହରାଇଥିବା ଏହି ଗରିବ ଦେଶରେ ଯୁଦ୍ଧର ଅବସାନ ନିମନ୍ତେ ସରକାର ଓ ତାଲିବାନ ଶାନ୍ତି ଆଲୋଚନା ଚଳାଇଥିବା ବେଳେ ଏଭଳି ଆକ୍ରମଣ ହୋଇଛି। ଗଜନି ହସ୍ପିଟାଲ୍ର ନିର୍ଦେଶକ ବାଜ ମହମ୍ମଦ ହେମତ ଗଣମାଧ୍ୟମକୁ କହିଛନ୍ତି, ଏ ପର୍ଯ୍ୟନ୍ତ ଆମେ ୨୬ଟି ମୃତ ଦେହ ଓ ୧୭ଜଣ ଆହତଙ୍କୁ ଗ୍ରହଣ କରିଛୁ। ସେମାନଙ୍କ ମଧ୍ୟରୁ ସମସ୍ତେ ହେଉଛନ୍ତି ନିରାପତ୍ତା କର୍ମଚାରୀ । ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ବିସ୍ଫୋରକ ଭର୍ତ୍ତି ସେହି ଗାଡ଼ିଟିକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିବା କଥା ଗୃହ ମନ୍ତ୍ରାଳୟ ମୁଖପାତ୍ର ତାରିକ ଆରିଆନ୍ କହିଛନ୍ତି । ଏପର୍ଯ୍ୟନ୍ତ କୌଣସି ସଂଗଠନ ଏହି ଆକ୍ରମଣ କରିଥିବା ଦାବି କରି ନାହାନ୍ତି।