କାଳିଆ ଯୋଜନାରୁ ଅର୍ଥ କାଟ ପ୍ରତିବାଦରେ- ଅକ୍ଷୟ କୁମାରଙ୍କ ଅନଶନ ଦ୍ୱିତୀୟ ଦିନରେ

ଭୁବନେଶ୍ୱର: ଚାଷୀଙ୍କ ଜୀବିକା ସୁରକ୍ଷା ପାଇଁ ରବି ଓ ଖରିଫ୍‌ରେ ବର୍ଷକୁ ୧୦ ହଜାର ଲେଖାଏଁ ଟଙ୍କା ଦେବା ପାଇଁ ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତିର ଖିଲାପ ପ୍ରତିବାଦରେ ନବନିର୍ମାଣ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଚଳାଇଥିବା ଅନଶନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପୂର୍ବରୁ ୭୦ ଲକ୍ଷ ଚାଷୀ କାଳିଆ ଯୋଜନା ପାଇବେ, ଜଣେ ବି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେ ନାହିଁ । କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ଓ ନିର୍ବାଚନ ଜିତିବାର ୨୪ ଘଣ୍ଟା ଭିତରେ ସମସ୍ତଙ୍କ ଜନଧନ ଆକାଉଣ୍ଟକୁ ୧୦ ହଜାର ଲେଖାଏଁ ଟଙ୍କା ଜମା ହେବ ବୋଲି କହିଥିଲେ । ମାତ୍ର ନିର୍ବାଚନ ପରେ ଏହି ଯୋଜନାରେ ବ୍ୟାପକ ଜାଲିଆତି ହେବା, ଅର୍ଦ୍ଧାଧିକ ଯୋଗ୍ୟ ହିତାଧିକାରୀ ଅର୍ଥ ନ ପାଇବା, କେତେକଙ୍କୁ ମେସେଜ୍ ମିଳିବା ପରେ ସେମାନଙ୍କ ଆକାଉଣ୍ଟକୁ ଅର୍ଥ ନଯିବା ଭଳି ବିସଙ୍ଗତି ଘଟଣା ବ୍ୟାପକ ମାତ୍ରାରେ ଘଟିଥିଲା । ଏହା ବିରୁଦ୍ଧରେ ନବ ନିର୍ମାଣ ସଂଗଠନ ଗତ ଡ଼ିସେମ୍ବର ୧୬ ତାରିଖରେ ସମସ୍ତ ଏସ୍‌ପି ଅଫିସରେ ନବୀନ ପଟ୍ଟନାୟକ ବିରୁଦ୍ଧରେ ୪୦୬, ୪୦୯, ୪୧୫ ଓ ୪୨୦ ଦଫାରେ ମୋକଦ୍ଦମା କରିବା ପାଇଁ ଏତଲା ଦାୟର କରିଛି । ଏହା ପରେ ଏହି ଘଟଣାକୁ ଜନସ୍ୱାର୍ଥ ମାମଲା ଭାବେ ଗ୍ରହଣ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ମଧ୍ୟ ଜନସ୍ୱାର୍ଥ ମାମଲା ଦାୟର କରିଛି । ଏହା ପରେ ବି ନବୀନ ପଟ୍ଟନାୟକଙ୍କୁ ନୈତିକ ଭାବରେ ଚାପ ସୃଷ୍ଟି କରିବା ପାଇଁ ତାଙ୍କ ବିରୁଦ୍ଧରେ ଶ୍ରୀ କୁମାର ଅନଶନ ଚଳାଇଛନ୍ତି । ଏହି ଅନଶନକୁ ରାଜ୍ୟ ବ୍ୟାପୀ କୃଷକମାନେ ସମର୍ଥନ ଜଣାଇବା ସହିତ ବିଭିନ୍ନ ଚାଷୀମାନେ ଶ୍ରୀ କୁମାରଙ୍କୁ ସାକ୍ଷାତ କରିବା ପାଇଁ ଆସୁଛନ୍ତି । ଆଜିର ଅନଶନସ୍ଥଳରେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହସଂଯୋଜକ ଉମାକାନ୍ତ ଭାରତ, ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱାର ଅଲ୍ଲୀ, ମୟୁରଭଞ୍ଜ ପ୍ରଭାରୀ ଦୀନେଶ ଦାଶ, ସୁନ୍ଦରଗଡ଼ ପ୍ରଭାରୀ ଭରତ ସ୍ୱାଇଁ, ଢେଙ୍କାନାଳ ପ୍ରଭାରୀ ଅଶ୍ୱିନୀ ଜେନା, ବଡ଼ଗଡ଼ ସଂଗଠକ ରଞ୍ଜନ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ