କାଶୀନଗର ଗ୍ରାମର ନିଜ ଘର ପାଖରୁ ଅପହରଣ ହେବାର ୨ ଦିନ ପରେ ଶିଶୁ ଉଦ୍ଧାର
ପାରଳାଖେମୁଣ୍ଡି,( ତାରିଣୀ ପ୍ରାସାଦ ପଣ୍ଡା ): ଗଜପତି ଜିଲା କାଶୀନଗରରେ ଘର ନିକଟରେ ଖେଳୁଥିବା ବେଳେ ଗତ ୧୬ ତାରିଖରୁ ନିଖୋଜ ହୋଇଯାଇଥିବା ଶିଶୁପୁତ୍ର ଆଜି ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି । ଘର ଠାରୁ ୩ କିମି ଦୂର କଇଥପଦର ଗାଁରେ ଥିବା ଏକ ନିର୍ମାଣାଧିନ ଘରୁ ସଂପର୍କୀୟମାନେ ପିଲାଟିକୁ ଉଦ୍ଧାର କରିଥିବା ଜଣାଯାଇଛି । ତେବେ ତାକୁ କିଏ ଓ କାହିଁକି ଅପହରଣ କରିଥିଲା ତାହା ଏବେ ବି ସନ୍ଦେହ ଘେରରେ ରହିଛି । ପିଲାଟି ଦୁଇଦିନ ଭୋକିଲା ଥିବା ଜଣା ପଡ଼ିଛି ଓ ଭୟଭୀତ ହୋଇ ପଡ଼ିଛି ।ସୂଚନାଯୋଗ୍ୟ, ଗତ ୧୬ ତାରିଖ ସନ୍ଧ୍ୟାରେ ଗଜପତି ଜିଲ୍ଲା କାଶୀନଗର କୁମୁଟିସାହିସ୍ଥିତ କୁମୁଟି ସାହିର ଯାମ୍ମି ମନ୍ମଧାଙ୍କ ପୁଅ ଯାମ୍ମି ହାର୍ଦ୍ଦିକ ଘର ନିକଟରେ ଖେଳୁଥିଲା । ମାତ୍ର ୨ ଜଣ ଅଜଣା ବ୍ୟକ୍ତି ଆସି ବାଇକ୍ରେ ଛୁଆଟିକୁ ନେଇଯାଇଥିବା ପିଲାର ସାଙ୍ଗ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।ଖବର ପାଇ କାଶୀନଗର ଥାନା ପୁଲିସ୍ ସମେତ ଗଜପତି ଏସ୍ପି ପହଞ୍ଚି ଛାନଭିନ କରିଥିଲେ ମଧ୍ୟ ନିଖୋଜ ଛୁଆର ସନ୍ଧାନ ମିଳିପାରି ନ ଥିଲା । ଆଜି ହାର୍ଦ୍ଧିକଙ୍କ ମଉସା ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ କାଠପଦରରେ ନିର୍ମାଣାଧିନ କୋଠାଘରେ ପହଞ୍ଚି ଖୋଜିଥିଲେ । ସେଠାରେ ଥିବା ଗୋଦାମ ଘର ଖୋଲି ଦେଖିବାରୁ ହାର୍ଦ୍ଧିକ ସେଠାରେ ଶୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ ସେଠାରୁ ଉଦ୍ଧାର କରି ଘରକୁ ଆଣିଥିଲେ । ହାର୍ଦ୍ଧିକଙ୍କୁ ପାଇବା ପରେ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି ।ଖବର ପାଇ ପୁଲିସ୍ ପହଞ୍ଚି ପିଲାଟିର ଡାକ୍ତରୀ ପରୀକ୍ଷା କରାଇ ଅଧିକ ତଦନ୍ତ ଚଳାଇଛି । ଚାଇଲ୍ଡ ଲାଇନ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ କରିଛି । ଯାମ୍ମି ମନ୍ମଧା ଜଣେ କାଜୁ ବ୍ୟବସାୟୀ ହୋଇଥିବାରୁ ପୁଅ ନିଖୋଜ ପଛରେ ଅପହରଣ ନା ଆଉ କିଛି କାରଣ ଅଛି, ତାକୁ ନେଇ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି l


