କାଶୀନଗର ରେ ଘରେ ଘରେ କଂଗ୍ରେସ ପଦ ଯାତ୍ରା ଅନୁଷ୍ଠିତ
କାଶୀନଗର, (ରାଜେଶ କୁମାର ପଟନାୟକ):କାଶୀନଗରରେ କଂଗ୍ରେସ ପକ୍ଷରୁ ଏକ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି।ଦଳର ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ଏହାର ନେତୃତ୍ୱ ନେଇଥିଲେ।ଶିଆଳି ସରପଞ୍ଚ ରାମ ପ୍ରସାଦ ପଟ୍ଟନାୟକ , ଯୁବନେତା ସୁବାସ ପାତ୍ର , ଶୁଭ୍ରାଂଶୁ ପାତ୍ରଙ୍କ ସମେତ ବହୁ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିଲେ।ସ୍ଥାନୀୟ ଷ୍ଟେଟବ୍ୟାଙ୍କ ଛକରୁ ବାହାରି ପଦଯାତ୍ରା ସହର ପରିକ୍ରମା କରିଥିଲା ।ଏ ଅବସରରେ ଲୋକଙ୍କ ସହ ଆଲୋଚନା ବେଳେ ପ୍ରଚାର କମିଟି ଅଧ୍ୟକ୍ଷ ଉଭୟ ବି ଜେ ଡି ଓ ବି ଜେ ପି ଉପରେ ବର୍ଷିବା ସହ କଂଗ୍ରେସ ସରକାର ସମୟରେ ରାଜ୍ୟ ଓ ଦେଶରେ ହୋଇଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ।କହିଥିଲେ ଯେ , ହୀରାକୁଦ , ଇନ୍ଦ୍ରାବତୀ , ରେଙ୍ଗାଲି , ସୁବର୍ଣ୍ଣରେଖା ଆଦି ନଦୀବନ୍ଧ ଯୋଜନା କଂଗ୍ରେସ ଶାସନ ସମୟରେ ହିଁ କାର୍ଯ୍ୟକାରୀ ହୋଇଥିଲା।ଜଗତପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୮ ବନସ୍ପତି କାରଖାନା ଓ ଖୋର୍ଦ୍ଧା ଠାରେ ସୋରିଷତେଲ କାରଖାନା ବି ଖୋଲା ଯାଇଥିଲା ।ଗତ ୨୪ ବର୍ଷ ଭିତରେ ଏସବୁ ବନ୍ଦ ହୋଇ ଯାଇଛି ।ବି ଜେ ଡି , ବି ଜେ ପି ଦ୍ୱାରା କରା ଯାଉଥିବା ଅପପ୍ରଚାର ଦ୍ୱାରା ପ୍ରଭାବିତ ନହୋଇ ଓଡ଼ିଶାର ସବୁ ବର୍ଗ ଲୋକଙ୍କ ଆଶା ଆକାଂକ୍ଷା ପୂରଣ ନିମନ୍ତେ ଆଗାମୀ ନିର୍ବାଚନରେ କଂଗ୍ରେସକୁ ଭୋଟ ଦେବା ପାଇଁ ସେ ନିବେଦନ କରିଥିଲେ l


