‘କିଓର ଏଣ୍ଡ କେୟାର’ର ପ୍ରତିଷ୍ଠା ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱରର ଅନ୍ୟତମ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ସଂସ୍ଥା ‘କିଓର ଏଣ୍ଡ କେୟାର’ କ୍ଲିନିକର ପଞ୍ଚମ ବାର୍ଷିକ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହିତ ସାମ୍ପ୍ରତିକ ପ୍ରଦୂଷଣଯୁକ୍ତ ସମାଜରେ ରୋଗ ପ୍ରତିରୋଧକ ଶକ୍ତିବୃଦ୍ଧି କରିବା ସମସ୍ତଙ୍କ ପାଇଁ ଆହ୍ୱାନ ହୋଇଛି ବୋଲି କହିଥିଲେ । ସ୍ୱଚ୍ଛ ମାନସିକତା ଓ ନିୟମିତ ଶାରୀରିକ ପରିଶ୍ରମ ସାଙ୍ଗକୁ ସ୍ୱାସ୍ଥ୍ୟ ପରୀକ୍ଷାର ଆବଶ୍ୟକତାକୁ କେବେ ଏଡ଼େଇ ଦିଆଯାଇ ନପାରେ ବୋଲି ସେ ମତ ପ୍ରକାଶ କରିଥିଲେ । ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ସମାଜସେବୀ ଲକ୍ଷ୍ମୀଧର ବେହେରା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିରୋଗ ଶରୀର ପାଇଁ ଆବଶ୍ୟକ ଉପାଦାନ ଉପରେ ଆଲୋକପାତ କରିଥିଲେ । କ୍ଲିନିକର ପ୍ରତିଷ୍ଠାତା ସମାଜସେବୀ ଶରତ କୁମାର ବିଶ୍ୱାଳ ଏଥିରେ ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂସ୍ଥାର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ଜିଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କ୍ଲିନିକର ଉପଦେଷ୍ଟା ନରୋତ୍ତମ ଜେନା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଡାକ୍ତର ସରୋଜ କୁମାର ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ‘କିଓର ଏଣ୍ଡ କେୟାର’ର ସହ-ପ୍ରତିଷ୍ଠାତା ପ୍ରାର୍ଥସାରଥୀ ବିଶ୍ୱାଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଅନ୍ୟର ଜୀବନ ରକ୍ଷା ପାଇଁ ରକ୍ତଦାନ କରୁଥିବା ଯୁବକ ଯୁବତୀଙ୍କୁ ଏଥିରେ ଅତିଥିମାନେ ପୁଷ୍ପ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଶିବିର ଶେଷ ସୁଦ୍ଧା ଶହେରୁ ଅଧିକ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଡାକ୍ତର ତାରାକାନ୍ତ ନନ୍ଦ, ଡାକ୍ତର ଶିବାଶିଷ ଆଚାର୍ଯ୍ୟ, ଡାକ୍ତର ରାଜୀବ କୁମାର ବେହେରାଙ୍କ ସମେତ ପ୍ରଭାସିନୀ ସାହୁ, ନିତ୍ୟାନନ୍ଦ ପଣ୍ଡା, ସନ୍ତୋଷ କୁମାର ସାହୁ, ମନୋଜ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ