ବିଜେପି ପକ୍ଷରୁ ଶାନ୍ତିପୂର୍ଣ୍ଣ ବାଲେଶ୍ୱର ବନ୍ଦ

ବାଲେଶ୍ୱର, (ସରୋଜ ପଣ୍ଡା) : କଳାହାଣ୍ଡି ଜିଲା ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ସହ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ସମଗ୍ର ରାଜ୍ୟରେ ବିଜେପି ଆନ୍ଦୋଳନମୁଖୀ ହୋଇଥିବା ବେଳେ ବାଲେଶ୍ୱରରେ ଶନିବାର ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଯାଇଛି । ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲେଶ୍ୱର ସହର ସମେତ ଜିଲାର ପ୍ରମୁଖ ସ୍ଥାନମାନଙ୍କରେ ଏହି ବନ୍ଦ ପାଳନ କରାଯାଇଥିବା ଲକ୍ଷ୍ୟ କାଯାଇଛି । ଏହି ବନ୍ଦ ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲେ ବି ସଂଧ୍ୟାସୁଦ୍ଧା କୌଣସି ସ୍ଥାନରେ ଅପ୍ରୀତିକର ଘଟଣା ଘଟି ନଥିବା ଜଣାପଡ଼ିଛି । ତେବେ ଟ୍ରେନ ଚଳାଚଳ ସ୍ୱାଭାବିକ ଥିବା ବେଳେ ଆମ୍ବୁଲାନ୍ସ ଓ କାଁଭାଁ ଅଟୋରିକ୍ସା ବ୍ୟତୀତ ସମସ୍ତ ବସ, ଟ୍ରକ, ଟ୍ରେକର ଆଦି ବନ୍ଦ ରହିଥିଲା । ବିଜେପି କର୍ମୀମାନେ ଦଳ ଦଳ ହୋଇ ବାଲେଶ୍ୱର ସହରର ମୋତିଗଞ୍ଜ, ନୂଆବଜାର, ଫାଣ୍ଡିଛକ, ଚିଡ଼ିଆପୋଲ, ସିନେମାଛକ, ଆଇଟିଆଇ ଛକ ପ୍ରଭୃତି ଅଞ୍ଚଳରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ । କେତେକ ସ୍ଥାନରେ କର୍ମୀମାନେ ଟାୟାର ଜାଳି ବକ୍ଷୋଭ ପ୍ରଦର୍ଶିନ ସହ ରାସ୍ତାରୋକ ମଧ୍ୟ କରିଥିଲେ । ସହରର ଷ୍ଟେସନ ଛକଠାରେ ବିଜେପି କର୍ମୀ ଓ ନେତାମାନେ ଉପସ୍ଥିତ ରହି ବିକ୍ଷୋଭ ପ୍ରଦର୍ଶନ ସାଙ୍ଗକୁ ରାଜ୍ୟ ସରକାରଙ୍କ ଜନବିରୋଧୀ କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଥିଲେ । ଜିଲା ସଭାପତି ଶ୍ରୀ ମହାପାତ୍ରଙ୍କ ସମେତ ବରିଷ୍ଠ ବିଜେପି ନେତା ଜୀବନ ପ୍ରଦୀପ ଦାଶ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ଜିଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ପୂର୍ବତନ ଜିଲା ସଭାପତି ଲମ୍ବୋଦର ନାୟକ, ନଗର ସଭାପତି ଚିତ୍ତରଂଜନ ପଣ୍ଡା, ଯୁବମୋର୍ଚ୍ଚା ଜିଲା ସଭାପତି ରାଜେଶ ମହାପାତ୍ର, ମହିଳା ମୋର୍ଚ୍ଚା ଟାଉନ ସଭାପତି ସୁସ୍ମିତା ପଣ୍ଡା, ବିଜେପି ଉପ-ସଭାପତି କମଳା ବିନ୍ଧାଣୀଙ୍କ ସମେତ ବିଜେପିର ଛାମୁଆ ନେତାମାନେ ଏଥରେ ଯୋଗଦେଇ ମମିତା ହତ୍ୟାକାଣ୍ଡ ମାମଲାର ତଦନ୍ତ ସିବିଆଇକୁ ଦେବା ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ସାଙ୍ଗକୁ ଗିରଫ ପାଇଁ ଦାବି କରିଥିଲେ । ପରେ କର୍ମୀ ଓ ନେତାମାନେ ବାଇକ ରାଲିରେ ସ୍ଲୋଗାନ ଦେଇ ସହରର ବିଭିନ୍ନ ଅଞ୍ଚଳ ବୁଲିବା ସାଙ୍ଗକୁ ଦୋକାନ ବଜାର ଓ ଗାଡ଼ିମୋଟର ବନ୍ଦ କରିଥିଲେ । ସେହିଭଳି ସଦର ବିଜେପି ନେତା ମାନସ ଦତ୍ତ ନିଜର କର୍ମୀ ଓ ସହଯୋଗୀଙ୍କୁ ନେଇ ସହରର ସରକାରୀ କାର୍ଯ୍ୟାଳୟକୁ ଯାଇ ବନ୍ଦ କରିଥିବା ଦେଖିବାକୁ ମିଳିଥିଲା । ଅନୁରୂପ ଭାବେ ବିଜେପି ଆଇନ ସାମ୍ମୁଖ ଓ ଦଳୀୟ କର୍ମୀମାନେ ଅଦାଲତ ସମ୍ମୁଖରେ ପିକେଟିଂ କରିବା ଯୋଗୁଁ ବିଚାରପତିମାନେ କାଯ୍ୟରେ ଯୋଗ ନ ଦେଇ ଫେରି ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ଦୋକାନ ବଜାର ସାଙ୍ଗକୁ ଯାନବାହାନ ଚଳାଚଳ ବନ୍ଦ ରହିବା ଫଳରେ ଯାତ୍ରୀଙ୍କ ସମେତ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟା ସାମ୍ନା କରିଥିଲେ । ଏହି ବନ୍ଦ ପାଳନ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଜିଲା ପୁଲିସ ପକ୍ଷରୁ ବିହୀତ ପଦକ୍ଷେପ ନିଆଯାଇଥିଲା । ବିଭିନ୍ନ ସରକାରୀ ଅଫିସ ସମେତ ସହରର ବହୁ ସ୍ଥାନରେ ପୁଲିସ ମୁତୟନ କରାଯାଇଥିବା ବେଳେ ଏକାଧିକ ପହରା ଗାଡ଼ି ସହର ମଧ୍ୟରେ ବୁଲି ପରିସ୍ଥିତି ଅନୁଧ୍ୟାନ କରିଥିଲା । ଜିଲା ପୁଲିସର ପଦସ୍ଥ ଅଧିକାରୀମାନେ ମଧ୍ୟ ପରିସ୍ଥିତି ଉପରେ ନଜର ରଖିଥିଲେ । ଏହି ବନ୍ଦ ପାଳନ ବେଳେ ବାଲେଶ୍ୱରରେ ଆପାତତଃ ସେଭଳି ଅଭାବନୀୟ ପରିସ୍ଥିତି ଉପୁଜି ନଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ