କିନ୍ନରଙ୍କ ସମସ୍ୟା ଏସ୍ଏସ୍ଇପିଡ଼ି ସଚିବଙ୍କ ସହ ଆଲୋଚନା କରାଯିବ : ଡ଼ିସିପି ସୌମ୍ୟା ମିଶ୍ରା
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କରୋନା ମହାମାରୀ ସମୟରେ ସାରା ଦେଶରେ ଅର୍ଥନୀତି ଭୁଷୁଡ଼ି ପଡ଼ିଥିବା ବେଳେ ସେଥିରୁ କିନ୍ନରମାନେ ବାଦ୍ ଯିବେ କିପରି? ଦେଖିବାକୁ ଗଲେ ଦେଶରେ ଥିବା ହଜାର ହଜାର କିନ୍ନର ସବୁଠାରୁ କ୍ଷତିଗ୍ରସ୍ତ ହେବା ସହ ସେମାନେ ଭୋକ ଉପାସରେ କାଳାତିପାତ କରୁଛନ୍ତି । ନିଜର ପେଟ ଚାଖଣ୍ଡକ ପାଇଁ ଟ୍ରାଫିକ୍ ଛକ ହେଉ ବା ଦୋକାନ ବଜାରମାନଙ୍କରେ ମାଗି ମାଗି ପେଟ ପୋଷୁଛନ୍ତି । କିନ୍ତୁ ବଡ଼ ଦୁଃଖର ବିଷୟ କିନ୍ନରମାନଙ୍କୁ ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ତାଙ୍କୁ ଗଣ୍ଡେ ଦାନା ଦେଇପାରୁନାହାଁନ୍ତି ଅଥଚ ସେମାନଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯ୍ୟତନା ଦେବା ସହ ପୋଲିସ୍କୁ ସେମାନଙ୍କ ବିରୁଦ୍ଧରେ ମଛିରେ ଅଭିଯୋଗ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରର ନୂତନ ଟ୍ରାଫିକ୍ ଡ଼ିସିପି ସୌମ୍ୟା ମିଶ୍ରା କିନ୍ନରମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସେମାନଙ୍କ ସହିତ ଆଲୋଚନା କରିଛନ୍ତି । ଏଥିରେ ସୁଇଟି କିନ୍ନର, କିନ୍ନରମାନଙ୍କ ବିଭିନ୍ନ ସମସ୍ୟା, ସରକାରଙ୍କ ମୌନବ୍ରତ, ଲୋକମାନଙ୍କ ନିର୍ଯ୍ୟାତନା ବିଷୟରେ କହିବା ପରେ ଶ୍ରୀମତୀ ମିଶ୍ରା ଦୁଃଖ ପ୍ରକାଶ କରିବା ସହିତ କଟକ, ଭୁବନେଶ୍ୱରରେ ଥିବା ତୃତୀୟଲିଙ୍ଗୀମାନେ କିପରି ଭାବରେ ଟ୍ରାଫିକ ବା ଛକମମାନଙ୍କରେ ନ ମାଗି ନିଜେ କିପରି ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହୋଇ ନିଜର ଗୁଜୁରାଣ ମେଣ୍ଟାଇପାରିବେ, ସେ ବିଷୟରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଓ ଅଧ୍ୟକ୍ଷ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବେ ବୋଲି ଆଲୋଚନା କରିଥିଲେ । ଏଥିରେ ଓଡ଼ିଶା କିନ୍ନର ଓ ତୃତୀୟଲିଙ୍ଗୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ଟ୍ରାଫିକ ପୋଲିସ୍ ଉପଆୟୁକ୍ତ କିଶୋର କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।