କିନ୍ନରଙ୍କ ହାତରେ ଅଖିମୁଠି ଅନୁକୁଳ

ଭୁବନେଶ୍ୱର/ମାହାଙ୍ଗା, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଆଜି ଚାଷୀଭାଇମାନେ ବିଲରେ ଧାନ ବିହନ ଅନୁକୁଳ କରି ଶୁଭ ମନାସୀ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି । କିନ୍ତୁ କଟକ ଜିଲ୍ଲା ମାହାଙ୍ଗା ଅନ୍ତର୍ଗତ ମଣିଜୋରି ଗ୍ରାମରେ ଥିବା ଓଡ଼ିଶା ତଥା ଭାରତର ସର୍ବପ୍ରଥମ କୃଷକ ମନ୍ଦିରରେ ଭିନ୍ନ ଧରଣର ଅକ୍ଷୟ ତୃତୀୟା ପାଳନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ସାମାଜିକ କର୍ମୀ, କବି, ଲେଖକ ନିରାକାର ଦାସ ଏବଂ ଅମିୟ ପାଣ୍ଡବ ଯୋଗଦେଇ କୃଷକମାନଙ୍କର ଉନ୍ନତି, ଭବିଷ୍ୟତ ଓ ଆର୍ଥିକ ମେରୁଦଣ୍ଡ ଉପରେ ଆଲୋକପାତ କରିବା ସହ ଚାଷୀମାନଙ୍କର ମଙ୍ଗଳ କାମନା କରିଥିଲେ । କିନ୍ନର ସମାଜର ସଭାପତି ସୁଇଟି ସାହୁ ଏଥିରେ ଯୋଗଦେଇ କୃଷକ ମନ୍ଦିରରୁ ଅଖିମୁଠି ନେଇ ଗ୍ରାମ ପରିକ୍ରମା କରିବା ସହ ବିଲରେ ଅଖିମୁଠି ଅନୁକୁଳ କରିଥିଲେ ଏବଂ ସମସ୍ତ ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ଚାଷୀମାନଙ୍କର ମଙ୍ଗଳ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷକ ମନ୍ଦିର ପ୍ରତିଷ୍ଠାତା ସଭାପତି ପ୍ରତାପ ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ଅଶୋକ ରାଉତ, ଏକାଦଶୀ ପ୍ରଧାନ, ହଳଧର ସାହୁ, ମନୋଜ ସାହୁ, ଜନ୍ମେଜୟ ସାହୁ, ତ୍ରିଲୋଚନ ସାହୁ, ସୁନାକର ସାହୁ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ, ଭାରତର ସର୍ବପ୍ରଥମ କୃଷକ ମନ୍ଦିର ପ୍ରତିଷ୍ଠା କରିବା ଏକ ଐତିହାସିକ ପଦକ୍ଷେପ । ଏହି ପଦକ୍ଷେପ ସାରା ଭାରତରେ ପ୍ରଶଂସା ସାଉଁଟୁଥିବା ବେଳେ ରାଜ୍ୟ ସରକାର ଏହାକୁ ଅଣଦେଖା କରିବା ବଡ଼ ଦୁର୍ଭାଗ୍ୟର କଥା । ବିଧାନସଭାରେ କୃଷକମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଣିବା, ଅକ୍ଷୟ ତୃତୀୟାକୁ ଛୁଟି ଦିବସ ଘୋଷଣା କରିବା ଏବଂ କୃଷକମାନଙ୍କର ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ଏଠାରେ ଦାବି ଉପସ୍ଥାପନ କରାଯାଇଥିଲା । ଶେଷରେ ସମିତି ସଭ୍ୟା ଅନ୍ନପୂର୍ଣ୍ଣା ସାହୁ, ସରପଞ୍ଚ ରଶ୍ମିତା ସ୍ୱାଇଁ ପ୍ରମୁଖ କୃଷକ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ