କିରମା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ୍ୟ ମୁଖି ପ୍ରଶାସନ ସହ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରଦୁର୍ଗମ ନଦୀମୁଠା ଅଞ୍ଚଳର କିରାମା ଗ୍ରାମ ପଞ୍ଚାୟତ ପରିସର ଠାରେ ଗ୍ରାମ୍ୟମୁଖି ପ୍ରଶାସନ ସହ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ସମେତ ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ରମଞ୍ଚାଲ ଖମାର ,ବିଡିଓ ଲାବନ୍ୟେନ୍ଦୁ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ରାଜୀବ ଦୋରା, ଅଧ୍ୟକ୍ଷା ମାଳତୀ ପ୍ରଧାନ, ସ୍ଥାନୀୟ ସରପଞ୍ଚ ସୀମିୟ ମଣ୍ଡଳ, ସମିତିସଭ୍ୟା ତୁଳସୀ ଭୂୟାଁ ଓ ଜିଲ୍ଲାର ଏବଂ ବ୍ଲକର ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ୟାର ତ୍ଵରିତ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ବ୍ଳକର ବିଭିନ୍ନ ପଞ୍ଚାୟତରୁ ମୋଟ ୭୭ଟି ଅଭିଯୋଗ ତ୍ଵରିତ ସମାଧାନ ପାଇଁ ପଞ୍ଜିକୃତ ହୋଇଥିଲା। ସେଥି ମଧ୍ୟରୁ ୫୩ଟି ଅଭିଯୋଗ ଗୋଷ୍ଠୀଗତ ହୋଇଥିବା ବେଳେ ୨୪ଟି ବ୍ୟକ୍ତିଗତ ସମସ୍ୟା ଭିତ୍ତିକ ରହିଥିଲା। ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଘଟଣାସ୍ଥଳରେ ହିଁ ଲୋକଙ୍କ ଅଭିଯୋଗର ଶୁଣାଣୀ କରି ତ୍ୱରିତ ସମାଧାନ କରିଛି ଜିଲ୍ଲା ପ୍ରଶାସନ। ଏତତ ବ୍ୟତୀତ ତହସିଲ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରିଥିବା ନଦୀମୁଠା ଅଞ୍ଚଳର ୨୭ ଜଣ ଆଦିବାସୀଙ୍କୁ ଜଙ୍ଗଲଜମି ପଟ୍ଟାକୁ ଜିଲ୍ଲାପାଳ ପ୍ରଦାନ କରିଥିଲେ। ନଦୀମୁଠା ଅଞ୍ଚଳରେ ବ୍ଲକର ୬ଗୋଟି ଗ୍ରାମ ପଞ୍ଚାୟତ ଯଥା କିରାମା, ଅନୁଗୁର, ପରିମଳ, ସମ୍ବଲପୁର, ଉଦୟପୁର ଓ ସୁନ୍ଦରଡାଙ୍ଗ ପଞ୍ଚାୟତର ଗ୍ରାମାଞ୍ଚଳରେ ବିଭିନ୍ନ ସମସ୍ୟା ରହିଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ୬ଟି ପଞ୍ଚାୟତରେ ମୋବାଇଲ ନେଟୱର୍କ, ସ୍ୱାସ୍ଥ୍ୟ କେନ୍ଦ୍ର ନଥିବାରୁ ରୋଗୀ ସେବାରେ ବ୍ୟାଘାତ ଏବଂ ବ୍ଲକରେ ବିଭିନ୍ନ ଗ୍ରାମରେ ପାନୀୟ ଜଳ, ପିଏମଜିଏସୱାଇ ରାସ୍ତା, ପରିମଳକୁ ଗୁରୁତ୍ୱ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ନୂଆଗଡ଼ ବ୍ଲକ ପ୍ରଶାସନ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ