କିର୍ତ୍ତୀମାନ ପୁରୁଷର ମୃତ୍ୟୁ ହୁଏ ନାହିଁ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଜଗନ୍ନାଥ ବିହାରଠାରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ପୂର୍ବତନ କାର୍ଯ୍ୟକାରୀ ସଭାପତି ଏବଂ ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପଣ୍ଡିତ ଦିବ୍ୟସିଂହ ମିଶ୍ରଙ୍କ ଏକାଦଶାହ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ଶାନ୍ତିଯଜ୍ଞ ଆର୍ଯ୍ୟସମାଜ, ଓଡ଼ିଶାର ଅଧ୍ୟକ୍ଷ ତଥା ବୈଦିକ ବିଦ୍ୱାନ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଦିବ୍ୟଜୀବନ ସଂଘର ବରିଷ୍ଠ ସନ୍ନ୍ୟାସୀ ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ କହିଲେ ଯେ, ଦିବ୍ୟସିଂହ ମିଶ୍ର ଥିଲେ ଜଣେ କିର୍ତ୍ତୀମାନ ପୁରୁଷ । ଶାସ୍ତ୍ରକାରମାନେ କୁହନ୍ତି କିର୍ତ୍ତୀମାନ ପୁରୁଷର ମୃତ୍ୟୁ ହୁଏନାହିଁ । ଦିବ୍ୟସିଂହ ମିଶ୍ର ସଂସ୍କୃତ ଭାଷାରେ ଯେଉଁ କାବ୍ୟ ସମ୍ଭାର ସଷ୍ଟି କରି ଯାଇଛନ୍ତି, ଯାହା ତାଙ୍କୁ ଜାବତ୍ ଚନ୍ଦ୍ରାର୍କେ ସଜୀବ ରଖିବ । ପ୍ରକୃତରେ ସେ ଜଣେ ସଂକଳ୍ପସିଦ୍ଧ ମଣିଷ ଥିଲେ । ମୁଖ୍ୟ ବକ୍ତାଭାବେ ଯୋଗଦେଇ ବିଶିଷ୍ଟ ବେଦ ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା କହିଲେ ଯେ, ସଂସାରରେ କିଏ କେତେଦିନ ବଞ୍ôଚରହିଲା ତାହା ବଡ଼କଥା ନୁହେଁ, ଜୀବନକାଳ ମଧ୍ୟରେ ସେ କେତେ ବନ୍ଧୁ ଅର୍ଜନ କରିଛନ୍ତି ତାହା ବଡ଼କଥା । ଶରୀର ମରଣଶୀଳ, କିନ୍ତୁ ଆତ୍ମାର ମୃତ୍ୟୁ ହୁଏନାହିଁ । ପ୍ରକୃତରେ ସେ ଥିଲେ ଜଣେ ପୁରୁଷ ସିଂହ, ଜଣେ ସ୍ୱାଭିମାନୀ ମଣିଷ ।ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ର କହିଲେ ଯେ, ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ସେ ସହପାଠୀ ଥିଲେ । ସେତେବେଳେ ତାଙ୍କର ପ୍ରଜ୍ଞାକୁ ପ୍ରଧ୍ୟାପକମାନେ ସମ୍ମାନ ଦେଉଥିଲେ । ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ ଡିନ୍ ପ୍ରଫେସର ବୁଦ୍ଧଦେବ ମିଶ୍ର ସ୍ୱର୍ଗତ ମିଶ୍ରଙ୍କ ଇଂରାଜୀ ବାକ୍‌ପଟୁତାର ଦକ୍ଷତା ବିଷୟରେ କହିବା ସହ ସେ ଜଣେ ଗୁଣି ବ୍ୟକ୍ତି ଭବେ ଡଃ ହରେକୃଷ୍ଣ ମହାତାବଙ୍କ ପ୍ରିୟପାତ୍ର ଥିଲେ । ଅନ୍ୟତମ ଅତିଥି ଡଃ ସୌରେନ୍ଦ୍ର କୁମାର ମହାପାତ୍ର ତାଙ୍କର ଆଇନ ପେଶାରେ ଥିବା ଦକ୍ଷତା ଓ ଉପସ୍ଥାପନା ଶୈଳୀ ଉପରେ ଆଲୋକପାତ କରିଥିଲେ ।ସ୍ୱର୍ଗତ ମିଶ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ପରଲୋକଗତ ଆତ୍ମାର ଶାନ୍ତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରାରମ୍ଭରେ ଡାକ୍ତର ଦେବାଶିଷ ସାମଲ ସ୍ୱାଗତ ଭାଷଣ ଓ ଶ୍ରୀମତୀ ଦେବଜାୟା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଡାକ୍ତର ସୁଜାତା ପ୍ରିୟଦର୍ଶିନୀ ମିଶ୍ର ପରିଚାଳନା କରିଥିଲେ । ଦୟାନନ୍ଦ ଆଦର୍ଶ ଗୁରୁକୁଳର ଆଚାର୍ଯ୍ୟ ଧର୍ମରାଜଜୀ ବୈଦିକ ଶାନ୍ତିଯଜ୍ଞ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ପ୍ରମୋଦା ପରିଡ଼ା, ଶ୍ରୀମତୀ ରାଜଲକ୍ଷ୍ମୀ ମିଶ୍ର ଓ ଡଃ ସୁଲୋଚନା ଦାସ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ