କୁକୁଡାଖଣ୍ଡି ତହସିଲଦାରଙ୍କ ସପକ୍ଷରେ ୨୨ଟି ପଞ୍ଚାୟତବାସୀଙ୍କ ଲିଖିତ ପତ୍ର ପ୍ରଦାନ 

ଛତ୍ରପୁର,(ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ତହସିଲଦାର ଡ.ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର ସଂପୂର୍ଣ୍ଣ ଭାବେ ସ୍ୱଚ୍ଛତା ସହ ସମସ୍ତ କାର୍ଯ୍ୟ ସଂପାଦନ କରୁଥିବା ବେଳେ କିଛି ଅସାଧୁ ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ନିଜ ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ଲାଗି ତହସିଲଦାରଙ୍କୁ ବଦଳି କରିବା ପାଇଁ ଏକ ଷଡଯନ୍ତ୍ର କରୁଛନ୍ତି । ଏଥିସହ ତହସିଲଦାରଙ୍କ ନାମରେ ମିଥ୍ୟା ଓ ଅପପ୍ରଚାର କରୁଛନ୍ତି ଯାହାକୁ କୁକୁଡାଖଣ୍ଡିବାସୀ ଘୋର ନିନ୍ଦା କରିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ ସର୍ବ ଭାରତୀୟ ସମବାୟ ଶିକ୍ଷା କମିଟି ସଦସ୍ୟ ସନାତନ ସଂଗ୍ରାମ ସିଂଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ଗ୍ରାମବାସୀ ଏବଂ ସଂଗଠନମାନେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଟ୍ରାକ୍ଟର ସଂଘର କର୍ମକର୍ତ୍ତା, ପୂର୍ବତନ କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷା ନମିତା ପାତ୍ର, ଦିଲ୍ଲୀପ ପାତ୍ର, ପ୍ରଦୀପ ସ୍ୱାଇଁ, ସନ୍ତୋଷ କୁମାର ଗୌଡ, ସିମାଞ୍ଚଳ ପାତ୍ର, ନରସିଂହ ସାହୁ, ସୁକାନ୍ତ ସାସମଲ, ପ୍ରଦୀପ ପାଢୀ, ଶିଶିର ଦାସଙ୍କ ସମେତ ବହୁ ସଂଖ୍ୟକ ଜନସାଧାରଣ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଯେ, ବିଭିନ୍ନ ସମୟରେ ନିଜର ଉଚ୍ଚକୋଟୀର କାର୍ଯ୍ୟଶୈଳୀ ଏବଂ ଦୁର୍ନୀତି ମୁକ୍ତ ବ୍ୟବସ୍ଥା ପାଇଁ ଜିଲ୍ଲା ଓ ରାଜ୍ୟ ସ୍ତରରେ କୁକୁଡାଖଣ୍ଡି ତହସିଲଦାର ବେଶ୍ ପ୍ରଶଂସା ପାତ୍ର ହୋଇଛନ୍ତି । କରୋନା ମହାମାରୀ ଠାରୁ ଆରମ୍ଭ କରି କୁକୁଡାଖଣ୍ଡି ବ୍ଲକ ଓ ତହସିଲସ୍ତରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି । କୁକୁଡାଖଣ୍ଡି ଅଞ୍ଚଳରେ ବେଆଇନ ଗୁଟ୍‌ଖା, ଚୋରାମଦ, ଜମି ଜାଲିଆତି ଏବଂ ଚୋରା ଲଘୁ ଖଣିଜଦ୍ରବ୍ୟ କାରବାର ରୋକିବାରେ ସେ ବେଶ୍ ପାରଦର୍ଶିତା ଅର୍ଜନ କରିଛନ୍ତି । ଯାହା ଫଳରେ ତହସିଲଦାର ସେମାନଙ୍କ ପାଇଁ କଣ୍ଟା ସାଜିଛନ୍ତି । ଏଣୁ ଉକ୍ତ ନିସ୍ୱାଃର୍ଥପର ବ୍ୟକ୍ତିମାନେ କୁକୁଡାଖଣ୍ଡି ତହସିଲଦାରଙ୍କୁ ଏଠାରୁ ବଦଳି କରିବା ଲାଗି ଚକ୍ରାନ୍ତ କରୁଛନ୍ତି । ଏହାକୁ ବିରୋଧ କରି ତହସିଲଦାରଙ୍କ ସପକ୍ଷରେ କୁକୁଡାଖଣ୍ଡି ବ୍ଲକର ୨୨ଟି ପଞ୍ଚାୟତର ପ୍ରତ୍ୟେକ ଗାଁରୁ ଦସ୍ତଖତ ଅଭିଯନ ଆରମ୍ଭ ହୋଇଛି । ପ୍ରାୟ ୨ ହଜାରରୁ ଅଧିକ ଦସ୍ତଖତ ସମ୍ବଳିତ ଏକ ପତ୍ର କୁକୁଡାଖଣ୍ଡି ତହସିଲ ଅନ୍ତର୍ଗତ ପ୍ରତି କୋଣ ଅନୁକୋଣରୁ ଲୋକମାନେ ସ୍ୱତପ୍ରବୃତ ଭାବରେ ନିଜ ସହମତି ଜଣାଇ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ବିଧାନସଭା ବାଚସ୍ପତି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ରାଜସ୍ୱ ସଚିବ, ଗଞ୍ଜାମ ଜିଲ୍ଲାପାଳ ଓ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ପଠାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ