କୁତୁରଙ୍ଗରେ ଧାନମଣ୍ଡି ବନ୍ଦ କରାନଯିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୁତୁରଙ୍ଗ ସମବାୟ ସମିତିର ଧାନମଣ୍ଡିକୁ ବନ୍ଦ କରାନଯିବାକୁ କୁତୁରଙ୍ଗ, ନିକିରାଇ ଓ ଢୋଲ ପଞ୍ଚାୟତର ଚାଷୀମାନେ କୁତୁରଙ୍ଗ ପଞ୍ଚାୟତ ସରପଞ୍ଚ ସୀତାସୁନ୍ଦରୀ ମଲ୍ଲିକଙ୍କ ନେତୃତ୍ୱରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କୁ ଭେଟି ଦାବି କରିଛନ୍ତି । ସେମାନେ କହିଛନ୍ତି ଯେ ଚଳିତ ଖରିଫ ଋତୁରେ ଅମଳ ହେବାକୁ ଥିବା ଧାନ କୁତୁରଙ୍ଗ ଧାନମଣ୍ଡିରେ ସରକାରୀ ଧାର୍ଯ୍ୟ ମୂଲ୍ୟରେ ବିକ୍ରୀ କରିବା ପାଇଁ ଚାଷୀମାନେ କୁତୁରଙ୍ଗ ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ରାଜ୍ୟ ଯୋଗାଣ ବିଭାଗରେ ନାମ ପଞ୍ଜିକୃତ କରିଥିଲେ । ବିଗତ ଜୱାଦ ବାତ୍ୟା ଓ ତତ୍‌ଜନିତ ଲଗାଣ ବର୍ଷାରେ ବହୁ ଧାନଫସଲ ନଷ୍ଟ ହୋଇଯାଇଥିବା ବେଳେ ବଞ୍ଚିଯାଇଥିବା ଅବଶିଷ୍ଟ ଧାନକୁ ଚାଷୀମାନେ ବିକ୍ରୀ କରିବାକୁ ଆଶାବାନ୍ଧି ବସିଛନ୍ତି । ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ କୁତୁରଙ୍ଗ ସମବାୟ ସମିତିରେ ପଞ୍ଜିକୃତ ଚାଷୀଙ୍କୁ ଇନ୍ଦୁପୁର ଧାନମଣ୍ଡିରେ ଧାନ ଦେବାକୁ ନିଷ୍ପତ୍ତି ଗ୍ରହଣ କରିଥିବାରୁ ଚାଷୀମାନେ ଏଭଳି ନିଷ୍ପତ୍ତିର ପ୍ରତିବାଦ କରିଛନ୍ତି । କୁତୁରଙ୍ଗ ସମିତିରେ ପଞ୍ଜିକୃତ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ପରିବହନ ଖର୍ଚ୍ଚ ଦେଇ ୧୦କିଲୋମିଟର ଦୂରକୁ ଧାନ ନେଇ ଇନ୍ଦୁପୁର ଧାନମଣ୍ଡିରେ ବିକ୍ରୀ କରିବା ସମ୍ଭବ ନୁହେଁ ବୋଲି କହିଛନ୍ତି । ଏତଦବ୍ୟତିତ ଇନ୍ଦୁପୁର ଠାରେ ମଣ୍ଡି ପରିଚାଳନା ପାଇଁ ସ୍ଥାନ ଏବଂ ଗୋଦାମ ଗୃହର ଅଭାବ ରହିଥିବା, ମଣ୍ଡିରେ ଧାନ ଗଦାକରି ବହୁ ସମୟ ଅପେକ୍ଷା କରିବାକୁ ପଡୁଥିବାରୁ ସେଠାରେ ଧାନ ଚୋରୀ ହେବାର ସମ୍ଭାବନା ଥିବା ସହ ଖରାବର୍ଷାରେ ଧାନ ନଷ୍ଟ ହୋଇ ଚାଷୀ କ୍ଷତିଗ୍ରସ୍ତ ହେବାର ମଧ୍ୟ ସମ୍ଭାବନା ରହିଛି । କୁତୁରଙ୍ଗ ଧାନମଣ୍ଡି ବନ୍ଦ କରାଗଲେ ଚାଷୀମାନେ ଅଭାବି ବିକ୍ରୀର ସମ୍ମୁଖୀନ ହେବେ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ବିଗତ ଦିନରେ କୁତୁରଙ୍ଗ, ଢୋଲ ଏବଂ ନିକିରାଇ ୩ଟି ପଞ୍ଚାୟତର ଚାଷୀମାନଙ୍କ ଠାରୁ କୁତୁରଙ୍ଗ ଧାନମଣ୍ଡିରେ ଜିଲ୍ଲାର ସର୍ବାଧିକ ଧାନ ସଂଗୃହିତ ହୋଇଥିବାର ରେକର୍ଡ ରହିଛି । ତେଣୁ ଚଳିତ ବର୍ଷ କୁତୁରଙ୍ଗ ଧାନମଣ୍ଡିକୁ ବନ୍ଦ କରାନଯିବାକୁ ସରପଞ୍ଚ ଶ୍ରୀମତୀ ମଲ୍ଲିକଙ୍କ ନେତୃତ୍ୱରେ ଯୁବନେତା ନରୋତ୍ତମ ମଲିକ, ଶରତ ଚନ୍ଦ୍ର ଜେନା, ଅକ୍ଷୟ କୁମାର ସାହୁ, ଦୁଃଶାସନ ମଲିକ, ଅଭିମନ୍ୟୁ ମହାନ୍ତି, ରାଜନ ପ୍ରସାଦ ଥାଟୋଇ, ଗୋଲଖ ଚନ୍ଦ୍ର ଜେନା, ଅକ୍ଷୟ କୁମାର ଜେନା, ବିଦ୍ୟାଧର ମଲିକ, କଳ୍ପତରୁ ଜେନା, ରମେଶ ଚନ୍ଦ୍ର ପରିଡା, ଧରଣୀଧର ସାହୁ, ମନୋଜ କୁମାର ସାହୁ, ଶ୍ରୀଚରଣ ସାହୁ, ଚିତ୍ତରଞ୍ଜନ ଆଚାର୍ଯ୍ୟ, କୃଷ୍ଣଚନ୍ଦ୍ର ବେହେରା, ଶ୍ରୀନିବାସ ଆଚାର୍ଯ୍ୟ, ପ୍ରଦୀପ କୁମାର ଆଚାର୍ଯ୍ୟ, ଆଦିକନ୍ଦ ଜେନା, ସରକାରୀ ଆଇନଜୀବୀ ନିରଞ୍ଜନ ବଳ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ