କୁଦାନଗରୀରେ ଫାଣ୍ଡି ଅଫିସ ଗୃହ ନିର୍ମାଣ ମାମଲା ଗୃହ ବିଭାଗ ନିର୍ଦେଶକୁ ଉଲଂଘନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ପାଟକୁରା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ସର୍ବଦା ବେଶ ଚର୍ଚ୍ଚାରେ ଥାଏ । ଏହି ନିର୍ବାଚନମଣ୍ଡଳୀରେ ରହିଛି କୁଦାନଗରୀ । କୁଦାନଗରୀ ଏକ ତୀର୍ଥ ସ୍ଥଳୀ । ମାଘ ସପ୍ତମୀରେ ଲକ୍ଷ ଲକ୍ଷ ଭକ୍ତଙ୍କର ସେଠାରେ ସମାଗମ ହୋଇଥାଏ । ସେହି କାରଣରୁ ଏଠାରେ ଏକ ଫାଣ୍ଡି ନିର୍ମାଣ କରିବା ପାଇଁ ସରକାର ଯୋଜନା କରିଥିଲେ । ଏ ନେଇ ଗୃହ ବିଭାଗ ପକ୍ଷରୁ ନିର୍ଦେଶ ଆସିଥିଲା । ନିର୍ଦେଶ ଅନୁଯାୟୀ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥିଲା । କିନ୍ତୁ କିଛି ଦିନ ନିର୍ମାଣ କାର୍ଯ୍ୟ ହେବା ପରେ ଆଉ କାମ ଆଗେଇଲା ନାହିଁ । ନିର୍ମାଣ କାର୍ଯ୍ୟ ଆଗେଇବା ପାଇଁ ଗୃହ ବିଭାଗ ନିର୍ଦେଶ ଦେଲା । କିନ୍ତୁ ଏହି ନିର୍ଦେଶକୁ କାର୍ଯ୍ୟକାରୀ କରାଗଲା ନାହିଁ । ଯାହା ଫଳରେ ଏହାକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି । ଏହାକୁ ନେଇ ଓଡିଶା ଉଚ୍ଚ ନ୍ୟାୟାଳୟର ଆଇନ୍‌ଜୀବୀ ସୁଧାଂଶୁ ଦାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଦାସ ଏଥିରେ ଉଲ୍ଲେଖ କରିଛନ୍ତି ଯେ ଏ ସଂକ୍ରାନ୍ତରେ ସେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ, ଡିଜି ଓ ଗୃହ ବିଭାଗକୁ ମଧ୍ୟ ଜଣାଇଛନ୍ତି । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସ୍ୱାର୍ଥରେ ଆଞ୍ଚ ଆସିବା କାରଣରୁ ସେଠାରେ ଫାଣ୍ଡି ନିର୍ମାଣ କାର୍ଯ୍ୟକୁ ଅଟକାଇ ଦିଆଗଲା । ଅପରପକ୍ଷରେ କୋରୁଆରେ ଫାଣ୍ଡି ନିର୍ମାଣ ଆରମ୍ଭ କରାଗଲା । କୋରୁଆରେ ଫାଣ୍ଡି ନିର୍ମାଣ କରିବା ପାଇଁ କୌଣସି ସରକାରୀ ନିର୍ଦେଶ ନାହିଁ । ତେଣୁ କେଉଁ ନିର୍ଦେଶ ବଳରେ ଫାଣ୍ଡି ନିର୍ମାଣ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ସେ ହାଇକୋର୍ଟରୁ ରହିତାଦେଶ ଆଣିିଛନ୍ତି । ଗୋଟିଏ ପଟେ କୁଦାନଗରୀରେ ଫାଣ୍ଡି ନିର୍ମାଣ ପାଇଁ ଯେତିକି ଅର୍ଥ ଖର୍ଚ୍ଚ ହୋଇଛି ତାହା ସରକାରୀ ଅର୍ଥ । ତେଣୁ ସେହି ଅର୍ଥ କାହାଠାରୁ ଭରଣା କରାଯିବ । ଗୃହ ବିଭାଗ ନିର୍ଦେଶକୁ ଅବମାନନା କରିଥିବା ସରକାରୀ ବାବୁମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆଇନଜୀବୀ ଦାସ ଦାବି କରିଛନ୍ତି । ଏକ ଗଡ଼ିଆକୁ ମିଥ୍ୟା ତଥ୍ୟ ଦର୍ଶାଇ କାହା ସ୍ୱାର୍ଥରେ କୋରୁଆରେ ଫାଣ୍ଡି ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା ବୋଲି ପ୍ରଶ୍ନ କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ